ନୂଆଦିଲ୍ଲୀ : ମୁମ୍ବଇ ଚଳିତ ଘରୋଇ ସିଜିନ୍ର ୨ୟ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫିରେ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି। ପୃଥ୍ବୀ ସ’ଙ୍କ ରେକର୍ଡ ଓ ଆଦିତ୍ୟ ତାରେଙ୍କ ଶତକ ବଳରେ ଏହି ସିନିୟର ଆନ୍ତଃରାଜ୍ୟ ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ରେ ଉତ୍ତର ପ୍ରଦେଶକୁ ସହଜରେ ୬ ୱିକେଟରେ ମୁମ୍ବଇ ପରାସ୍ତ କରିଛି। ମାଧବ କୌଶିକଙ୍କ ଅପରାଜିତ ଶତକ ବଳରେ ପ୍ରଥମେ ବ୍ୟାଟିଂକରି ୟୁପି ୫୦ ଓଭରରେ ୪ ୱିକେଟରେ ୩୧୨ ରନ୍ କରିଥିଲା। ପରେ ପୃଥ୍ବୀଙ୍କ ବିସ୍ଫୋରକ ୬୩ ଓ ତାରେଙ୍କ ଅପରାଜିତ ଶତକ ବଳରେ ୮.୩ ଓଭର ବାକିଥାଇ ୪ ୱିକେଟ ହରାଇ ମୁମ୍ବଇ ଜିତି ପାରିଥିଲା। ଟସ୍ ଜିତି ଉତ୍ତର ପ୍ରଦେଶ ବ୍ୟାଟିଂ ନେବା ପରେ ଏହାର ଓପ୍ନିଂ ଯୋଡ଼ି ୨୬ ଓଭରରେ ୧୨୨ ରନ୍ କରିଥିଲେ। ସମର୍ଥ ସିଂହ ୩ଟି ଛକା ଓ ୪ଟି ଚୌକା ସହ ୫୫ ରନ୍ କରିଥିଲେ। ପ୍ରିୟମ୍ ଗର୍ଗ ୨୬ ବଲ୍ରୁ ୨୧ ଏବଂ ଅକ୍ଷଦୀପ ନାଥ ୪୦ ବଲ୍ରୁ ୩ଟି ଛକା ଓ ୪ଟି ଚୌକା ସହ ୫୫ ରନ୍ କରିଥିଲେ। ଓପ୍ନର ମାଧବ କୌଶିକ ପୂରା ୫୦ ଓଭର ଖେଳି ୧୫୬ ବଲ୍ରୁ ୪ଟି ଛକା ଓ ୧୫ଟି ଚୌକା ସହ ୧୫୮ ରନ୍କରି ଅପରାଜିତ ଥିଲେ। ତନୁଷ କୋଟିଆନ୍ ୪ଟି ୱିକେଟ ନେଇଥିଲେ। ୩୧୩ ରନ୍ ଲକ୍ଷ୍ୟ ନେଇ ମୁମ୍ବଇ ଓପ୍ନିଂ ଯୋଡ଼ିରେ ମାତ୍ର ୯ ଓଭରରେ ୮୯ ରନ୍ କରିଥିଲା। ଏଥିରୁ ପୃଥ୍ବୀ ସ’ ମାତ୍ର ୩୯ ବଲ୍ରୁ ୪ଟି ଛକା ଓ ୧୦ଟି ଚୌକା ସହ ବିସ୍ଫୋରକ ୭୩ ରନ୍ କରିଥିଲେ। ଯଶସ୍ବୀ ଜୟସୱାଲ ୨୯ ରନ୍ କରିଥିଲେ। ସାମ୍ସ ମୁଲାନି ୨ଟି ଛକା ସହ ୩୬ ଏବଂ ଶିବମ୍ ଦୁବେ ୨୮ ବଲ୍ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୪୨ ରନ୍ କରିଥିଲେ। ଆଦିତ୍ୟ ତାରେ ୧୦୭ ବଲ୍ରୁ ୧୮ଟି ଚୌକା ସହ ୧୧୮ ରନ୍କରି ଅପରାଜିତ ଥିଲେ। ତାରେ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
Popular Categories



