ଭୁବନେଶ୍ୱର : ବିଶ୍ୱହିନ୍ଦୁ ପରିଷଦ ଓଡ଼ିଶା ଶାଖାର କାର୍ଯ୍ୟକାରୀ ପଦରୁ ଇସ୍ତଫା ଦେଇଛନ୍ତି ଡ. ବଦ୍ରିନାଥ ପଟ୍ଟନାୟକ। ଏହାସହିତ ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ଅରୁଣ କୁମାର ଉପାଧ୍ୟାୟ। ଏଠାରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଇସ୍ତଫା ସମ୍ପର୍କରେ ଉଭୟ ଘୋଷଣା କରିଛନ୍ତି।
ଇସ୍ତଫା ଦେଇ ଡ. ପଟ୍ଟନାୟକ କହିଲେ ଯେ ବର୍ତ୍ତମାନ ବିଶ୍ୱହିନ୍ଦୁ ପରିଷଦ ଏକ ରାଜନୈତିକ ଦଳରେ ପରିଣତ ହୋଇଗଲାଣି। ତେବେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନେଇ ଅନିଶ୍ଚିତତା ଦେଖା ଦେଇଥିବାବେଳେ କେନ୍ଦ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ସରକାର ଅଧ୍ୟାଦେଶ ମାଧ୍ୟମରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ପଦକ୍ଷେପ ନେଇପାରିଥାନ୍ତେ, ହେଲେ ତାହା କଲେ ନାହିଁ। ଶହ ଶହ ବର୍ଷର ପୁରୁଣା ମନ୍ଦିର ଓ ମଠମାନଙ୍କର ସୁରକ୍ଷା ପ୍ରତି ସରକାରଙ୍କ ଧ୍ୟାନ ଆକର୍ଷଣ କରି ମଧ୍ୟ କୌଣସି ସୁଫଳ ପାଇପାରିନାହାନ୍ତି। ବିଶ୍ୱହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଡ. ପ୍ରବୀଣ ଭାଇ ତୋଗାଡ଼ିଆଙ୍କ ଚେଷ୍ଟା, ନୀତି ଓ ଆଦର୍ଶକୁ ସମ୍ମାନ ଦିଆନଯିବାରୁ ସେ ବିଶ୍ୱହିନ୍ଦୁ ପରିଷଦରୁ ଯେଉଁଭଳିଭାବେ ଅବ୍ୟାହତି ନେଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଥିଲେ। ଦୀର୍ଘ ୩୦ ବର୍ଷ ହେବ ସେ ବିଶ୍ୱହିନ୍ଦୁ ପରିଷଦ ସହିତ ଜଡ଼ିତ ରହି ଶ୍ରୀ ତୋଗାଡ଼ିଆ ଏବଂ ଅଶୋକ ସିଂଘଲଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିଆସୁଥିଲେ। ୩ ଦଶନ୍ଧି ଧରି ରହିଥିବା ତାଙ୍କର ସେବା, ମନୋବୃତ୍ତି ଓ ତ୍ୟାଗର ଫଳାଫଳ ଦୃଷ୍ଟିଗୋଚର ହୋଇନାହିଁ। ଶ୍ରୀଜଗନ୍ନାଥ ମନ୍ଦିର ନୀତି ଓ ସଂସ୍କୃତିର ସୁରକ୍ଷା ପାଇଁ ଜଷ୍ଟିସ୍ ବି.ପି ଦାସ କମିସନଙ୍କ ଆଗରେ ୧୧,୦୦୦ରୁ ଅଧିକ ସତ୍ୟପାଠ ପ୍ରଦାନ କରିଥିଲେ ମଧ୍ୟ ସେପରି ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିଲା। ଏଥିରେ ସେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିବା ସ୍ପଷ୍ଟ କରିଛନ୍ତି।
‘ରାଜନୈତିକ ଦଳ ପାଲଟିଛି ବିଶ୍ୱ ହିନ୍ଦୁ ପରିଷଦ’
Popular Categories



