ନିଶା, ହିଂସାମୁକ୍ତ ଓଡ଼ିଶା ଦାବି : ବାଲେଶ୍ୱରରୁ ଭୁବନେଶ୍ୱର ପଦଯାତ୍ରା

0

ବାଲେଶ୍ୱର : ଓଡ଼ିଶାକୁ ନିଶାମୁକ୍ତ ଓ ହିଂସାମୁକ୍ତ କରିବା ଦାବିରେ ‘ମାଆ ଘର ଫାଉଣ୍ଡେସନ’ ପକ୍ଷରୁ ବାଲେଶ୍ୱରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା ବୁଧବାର ମଲ୍ଲିକାଶପୁରସ୍ଥିତ କବିତୀର୍ଥ ଶାନ୍ତିକାନନରୁ ଆରମ୍ଭ ହୋଇଛି। ମାଆଘର ସମେତ ବିଭିନ୍ନ ଗଣ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ ପଦଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରିଥିଲେ। ନିଶା କାରବାର ପାଇଁ ରାଜ୍ୟରେ ହିଂସା ବୃଦ୍ଧି ପାଇବାରେ ଲାଗିଛି ବୋଲି ବକ୍ତାମାନେ କହିଥିଲେ। ଅବକାରୀ ବିଭାଗର ଗୋଟିଏ ଟଙ୍କାର ରାଜସ୍ୱ ଆଦାୟ ବେଳେ ପରୋକ୍ଷ ଭାବେ ସରକାରଙ୍କୁ ହିଂସା ଓ ଅପରାଧ ନିୟନ୍ତ୍ରଣ ପାଇଁ ଶହେଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏହି ପରିପ୍ରେକ୍ଷୀରେ ଅବକାରୀ ରାଜସ୍ୱ ମୂଲ୍ୟହୀନ ଅଟେ। ଏନେଇ ୧୯୫୬ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଆଗତ କରିଥିବା ସମ୍ପୂର୍ଣ୍ଣ ନିଶାନିବାରଣ ଆଇନ୍‍କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ବେଳେ ଏହାକୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟ କରିବାକୁ ବକ୍ତାମାନେ ଦାବି କରିଥିଲେ। ସମ୍ପୂର୍ଣ୍ଣ ନିଶା ନିବାରଣ ନେଇ ସରକାର ଆଗାମୀ ନିର୍ବାଚନ ଇସ୍ତାହାରରେ ପ୍ରକାଶ କରିବାକୁ ମାଆ ଘର ମୁଖ୍ୟ ଋତୁପର୍ଣ୍ଣା ମହାନ୍ତି ଦାବି କରିଥିଲେ। ନହେଲେ ମହିଳାମାନେ ଭୋଟ ବର୍ଜନ କରିବେ ବୋଲି ସେ ଚେତାବନୀ ଦେଇଥିଲେ। ସହର ପରିକ୍ରମା ପରେ ଏହି ପଦଯାତ୍ରା ଭୁବନେଶ୍ୱର ଅଭିମୁଖେ ଯାଇଥିଲା। ଆସନ୍ତା ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀରେ ଏହି ପଦଯାତ୍ରା ଭୁବନେଶ୍ୱର ପହଞ୍ଚି ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବ। ଲୋକଶକ୍ତି, ଓଡ଼ିଶା ଫଲୋଅପ, ନୀଳଗିରୀ ସତ୍ୟାଗ୍ରହୀ, ଯୁବ ବିକାଶ, ବାଲେଶ୍ୱର ନାରୀ ସଂଘ, ଫକୀରମୋହନ ସାହିତ୍ୟ ପରିଷଦ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ସୁରତ-ଓଡ଼ିଶା ସମାଜ, ବାଲେଶ୍ୱର କଳାକେନ୍ଦ୍ର, ରମାରାଣୀ ଇଂଜିନିୟରିଂ କଲେଜ, ବାଲେଶ୍ୱର ମେଡିକାଲ କ୍ରିୟାନୁଷ୍ଠାନ କମିଟି, ରୂପାୟନ ପ୍ରଭୃତି ଏକାଧିକ ଗଣସଂଗଠନ, ସାମାଜିକ ଅନୁଷ୍ଠାନର କମକର୍ତ୍ତା ଓ ବହୁ ସଦସ୍ୟ ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ, ପୂର୍ବତନ ବିଧାୟକ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଗୋବିନ୍ଦ ବଲ୍ଲଭ ଦଳେଇ, କନକଲତା ସାହୁ, ଲକ୍ଷ୍ମଣ ଦାସ, ଶ୍ରଦ୍ଧାଞ୍ଜଳି ରାୟ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଦେବଶ୍ରୀ ଜେନା, ଶିଳ୍ପୀ କେଶୁ ଦାସ, ସର୍ବେଶ୍ୱର ଦାସ, ଦେବଶ୍ରୀ ମହାନ୍ତି, ତୁଷାରକାନ୍ତି ତପସ୍ୱୀ, ଶ୍ରୀହୃଦୟ ପ୍ରମୁଖ ଏଥିରେ ଯୋଗଦେଇ ସରକାରଙ୍କ ଅବକାରୀ ନୀତିକୁ ସମାଲୋଚନା କରିଥିଲେ। ବାଲେଶ୍ୱରଠାରୁ ୧୨ କିଲୋମିଟର ଦୂର ଶେରଗଡ଼ ନିକଟରେ ପଦଯାତ୍ରା ପହଞ୍ଚିଥିବା ବେଳେ ହଠାତ୍‌ ଶ୍ରୀମତୀ ମହାନ୍ତି ସଂଜ୍ଞାହୀନ ହୋଇ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ଘଣ୍ଟା ପରେ ସୁସ୍ଥ ହେବା ପରେ ପୁଣି ପଦଯାତ୍ରାରେ ସାମିଲ ହୋଇ ଭୁବନେଶ୍ୱର ଅଭିମୁଖେ ବାହାରି ଯାଇଥିଲେ।

Leave A Reply