ନୂଆଦିଲ୍ଲୀ/ଭୁବନେଶ୍ଵର : ପୁରୀ ଜିଲ୍ଲାର ପିପିଲି ତହସିଲ ଅନ୍ତର୍ଗତ ବୀରପୁରୁଷୋତ୍ତମପୁର ଗ୍ରାମର ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରର ସଂରକ୍ଷଣ ତଥା ରତ୍ନଚିରା ମୁହାଣରେ ଥିବା ଐତିହ୍ୟରାଜିର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ନିମନ୍ତେ କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଏବ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କୁ ପତ୍ର ଲେଖିଛନ୍ତି।
ନିକଟରେ ‘ଇଣ୍ଡିଆନ୍ ନେସନାଲ ଟ୍ରଷ୍ଟ ଫର ଆର୍ଟ ଏଣ୍ଡ କଲଚରାଲ ହେରିଟେଜ୍(ଇନଟାକ୍)’ ରତ୍ନଚିରା ଉପତ୍ୟକା ଏବଂ ସେଠାକାର ଐତିହ୍ୟରାଜିର ଅନୁସନ୍ଧାନ କରିବା ସମୟରେ ବୀରପୁରୁଷୋତ୍ତମପୁର ଗ୍ରାମରେ ଷଷ୍ଠ ଓ ସପ୍ତମ ଶତାବ୍ଦୀର ଏକ ପ୍ରାଚୀନ ମନ୍ଦିର ମାଟିତଳୁ ଖୋଳି ବାହାର କରିଛି ବୋଲି ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହା ସ୍ୱପ୍ନେଶ୍ୱର ମନ୍ଦିର ଭାବରେ ପରିଚିତ। ମନ୍ଦିର ଢ଼ାଞ୍ଚାର ସ୍ଥିତି ବିପଦଜନକ ସ୍ଥିତିରେ ଥିବା ଦର୍ଶାଇ ଶ୍ରୀ ପ୍ରଧାନ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି। ଏହାସହ ଶୀଘ୍ର ଏହାର ରକ୍ଷଣାବେକ୍ଷଣ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି।
ସେହିଭଳି ରତ୍ନଚିରା ଉପତ୍ୟକାକୁ ନେଇ ଅନେକ କିମ୍ବଦନ୍ତୀ ରହିଥିବା ସେ କହିଛନ୍ତି। ସେ କହିଛନ୍ତି, ରତ୍ନଚିରା ମୁହାଣ କଳିଙ୍ଗ କିର୍ତ୍ତିରାଜିର ମହାନସ୍ଥଳ। ଏହା ଆଜି ପର୍ଯ୍ୟନ୍ତ ଇତିହାସରେ ଲିପିବଦ୍ଧ ରହିଛି। ଏହି ଐତିହାସିକ, ଆଧ୍ୟାତ୍ମିକ, ସାମାଜିକ ତଥା ସାଂସ୍କୃତିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ଦୁଇ ସ୍ଥାପତ୍ୟର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ କରିବା ସହ ଏହାର ସଠିକ ଦସ୍ତାବିଜ୍ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ ଗୁପ୍ତବଂଶର ଶାସନଯୁଗରେ ନିର୍ମିତ ପ୍ରାଚୀନ ଶୈବପୀଠ ଶ୍ରୀ ସ୍ୱପ୍ନେଶ୍ୱରଦେବଙ୍କ ମନ୍ଦିରର ପୁନର୍ଦ୍ଧାର ଓ ରକ୍ଷଣାବେକ୍ଷଣା କାର୍ଯ୍ୟ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ କରାଯିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ଖୁବ୍ଶିଘ୍ର ପଦକ୍ଷେପ ନିଆଯିବା ସହ ଅନୁଦାନ ଯୋଗାଇ ଦିଆଯିବ ବୋଲି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଗତ ଶୁକ୍ରବାର ଏହି ମନ୍ଦିର ପରିଦର୍ଶନ କରିବା ଅବସରରେ ସୂଚନା ଦେଇଥିଲେ।

ବୀରପୁରୁଷୋତ୍ତମପୁର ମହାପାତ୍ରସାହିରେ ଥିବା ଶ୍ରୀଗତିଶ୍ୱରଦେବଙ୍କ ମନ୍ଦିର ପ୍ରାଙ୍ଗଣର ଦକ୍ଷିଣପାଶ୍ୱର୍ରେ ଅବସ୍ଥିତ ଏହି ପୁରାତନ ତଥା ଜରାଜୀର୍ଣ୍ଣ ଶ୍ରୀ ସ୍ୱପ୍ନେଶ୍ୱରଦେବଙ୍କ ମନ୍ଦିରକୁ ଇନ୍ଟାକ୍ ପକ୍ଷରୁ ଆବିଷ୍କାର କରାଯାଇଥିଲା। ଇନ୍ଟାକ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅନୀଲ ଧୀରଙ୍କ ନେତୃତ୍ୱରେ ଐତିହ୍ୟ ଅନୁସନ୍ଧାନକାରୀ ସୁମନ ପ୍ରକାଶ ସ୍ୱାଇଁ ଓ ସୁବାଶିଷ ଦାଶ ପ୍ରମୁଖ ଏହି ପ୍ରାଚୀନ ମନ୍ଦିରକୁ ଆବିଷ୍କାର କରିଥିଲେ। ଏହି ମନ୍ଦିରଟି ପ୍ରାଚୀନ କଳିଙ୍ଗ ରାଜ୍ୟର ଦକ୍ଷିଣ ତୋଷାଳି ଅଞ୍ଚଳର ବୋଲି ମନ୍ଦିରର ଗୁପ୍ତ ତମ୍ବାପ୍ଲେଟ୍ରେ ଉଲ୍ଲେଖ ଥିବା ସୂଚନା ମିଳିଛି। ଏହାର ନିର୍ମାଣ ଶୈଳୀକୁ ବିଚାର କଲେ ଏହା ଦେଢହଜାର ବର୍ଷ ପୁରାତନ ମନ୍ଦିର ବୋଲି ଅନୁମାନ କରାଯାଏ। ମନ୍ଦିର ନିର୍ମାଣରେ ବ୍ୟବହୃତ ପଥର ଗୁଡିକ ଯୋଡିବା ପାଇଁ କୌଣସି ଲେପ କିମ୍ବା ଚୁନ ବ୍ୟବହାର କରାଯାଇନାହିଁ।
ଏହି ପ୍ରକାର ନିର୍ମାଣ ଶୈଳୀ ସୂଚିତ କରୁଛି ଯେ, ସେତେବେଳେ କଳିଙ୍ଗର ପାରମ୍ପରିକ ମନ୍ଦିର ସ୍ଥାପତ୍ୟଶୈଳୀ ସଂପୂର୍ଣ୍ଣ ରୂପେ ବିକଶିତ ହୋଇନଥିଲା। ଏହି ପ୍ରାଚୀନ ମନ୍ଦିରର ଛାତ ଉପରେ ଅନାବନା ଗଛ ମାଡିଯାଇଥିବା ବେଳେ ଗର୍ଭଗୃହରେ ବର୍ଷାଋତୁରେ ପାଣି ପଶିଯାଉଥିବା ସୂଚନା ମିଳିଛି। ଇନ୍ଟାକ୍ ପକ୍ଷରୁ ଏହି ସୂଚନା ମିଳିବା ପରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ବୀରପୁରୁଷୋତ୍ତମପୁର ଗ୍ରାମକୁ ଅଚାନକ ଗସ୍ତରେ ଆସି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ପ୍ରାଚୀନ ମନ୍ଦିରକୁ ପରିଦର୍ଶନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମନ୍ଦିରର ପୁର୍ନଦ୍ଧାର ସହ ଏହାର ରକ୍ଷଣାବେକ୍ଷଣ କରାଯିବ ବୋଲି ସେ ସୂଚନା ଦେଇଥିଲେ।
ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ରାଜ୍ୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ସଂସ୍କୃତି ବିଭାଗର ଅଧିକ୍ଷକ ଅଶ୍ୱିନୀ ଶତପଥୀ, ପିପିଲି ବ୍ଳକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ, ବୀରପୁରୁଷୋତ୍ତମପୁର ଗ୍ରାମ୍ୟ କମିଟିର ମୁଖ୍ୟ ଗୋପବନ୍ଧୁ ମିଶ୍ର, ବୁଦ୍ଧନାଥ ଦାଶ, ଜଗନ୍ନାଥ ତ୍ରିପାଠୀ, ସତ୍ୟନାରାୟଣ ଶତପଥୀ, ବାମଦେବ ଦାଶ, ଦେବାଶିଷ ମିଶ୍ର, ପୂର୍ବତନ ସମିତିସଭ୍ୟ ଧୃବଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।



