ଆଠଗଡ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶତାୟୁ ସାମ୍ବାଦିକ ତଥା ସେବା ଓ ତ୍ୟାଗର ପ୍ରତୀକ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କର ୨୪ତମ ଶ୍ରାଦ୍ଧ ଦିବସରେ ତାଙ୍କ ଜନ୍ମମାଟିରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
ବିଶ୍ୱନାଥ ବିଦ୍ୟାପୀଠ
ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠରେ ଆୟୋଜିତ ଶ୍ରାଦ୍ଧ ଦିବସ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଉଷାରାଣୀ ପତି ରାଧାନାଥ ରଥଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆଠଗଡ ତଥା ରାଜ୍ୟର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷକ ବିଜୟ କୁମାର ସାହୁ ଓ ବରିଷ୍ଠ ଶିକ୍ଷୟିତ୍ରୀ ସରିତା ମିଶ୍ର ମଧ୍ୟ ଡକ୍ଟର ରଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ। ପ୍ରାରମ୍ଭରେ ସ୍କୁଲ ପରିସରରେ ପ୍ରତିଷ୍ଠିତ ଡକ୍ଟର ରଥଙ୍କ ପ୍ରତିମୂର୍ତ୍ତିରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ।
ଗୋପବନ୍ଧୁ ମହିଳା ମହାବିଦ୍ୟାଳୟ
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ମହାନ ଜନସେବକ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କର ୨୪ତମ ପୁଣ୍ୟତିଥି ସ୍ଥାନୀୟ ଗୋପବନ୍ଧୁ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଏବଂ ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି । ମହିଳା ଉଚ୍ଚମାଧ୍ୟମକି ବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡକ୍ଟର ସ୍ନେହଲତା ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଶ୍ରାଦେ୍ଧାତ୍ସବରେ ଡିଗ୍ରୀ ମହିଳା କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ର ଓ ଅନ୍ୟ ଅଧ୍ୟାପିକାମାନେ ଯୋଗଦେଇ ଡକ୍ଟର ରଥଙ୍କର ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କଲେଜର ବରିଷ୍ଠ ଅଧ୍ୟାପିକା ରିନା ପଟ୍ଟନାୟକ, ବବିତା ସାହୁ, ପ୍ରମୋଦିନି ଜେନା, ସ୍ମିତା ମହାପାତ୍ର, ଗାୟତ୍ରୀ ଶତପଥୀ, ବିଜୟାଲକ୍ଷ୍ମୀ ମହାନ୍ତି, ଶୁଭସ୍ମିତା ଦାସ, ସରିତା ଆଚାର୍ଯ୍ୟ, ଅପରାଜିତା ଜେନାମଣି, ଟ୍ୱିଙ୍କିଲ ମିଶ୍ର, ରଶ୍ମିତା ପଣ୍ଡା ପ୍ରମୁଖ ଡକ୍ଟର ରଥଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କଲେଜ ପରିସରରେ ପ୍ରତିଷ୍ଠିତ ପଦ୍ମଭୂଷଣ ଡକ୍ଟର ରଥ ଓ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା।
ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ
ଗୋପବନ୍ଧୁ ବିଜ୍ଞାନ କଲେଜର ପ୍ରତିଷ୍ଠାତା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଆଠଗଡର ପୂର୍ବତନ ବିଧାୟକ ତଥା ରାଜ୍ୟର ମନ୍ତ୍ରୀ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ପୂଣ୍ୟତିଥି କଲେଜ ପରିସରରେ ପାଳିତ ହୋଇଯାଇଛି । ଏଥିରେ ପୌରୋହିତ୍ୟ କରି କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁ, ଡଃ ରଥ ହେଉଛନ୍ତି ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ବୋଲି କହିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବରିଷ୍ଠ ଅଧ୍ୟାପିକା ପ୍ରଭାତି ଦେବୀ, ଶୁଭଶ୍ରୀ ସେଠୀ, ଆରତୀ ନାଥ ପ୍ରମୁଖ ରାଧାନାଥ ରଥଙ୍କର ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ସେବାକୁ ନିଜ ଜୀବନର ମନ୍ତ୍ର ଭାବେ ଗ୍ରହଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବିଜ୍ଞାନାଗାର ସହାୟକ ଶୁଭଦର୍ଶନ ମହାପାତ୍ର, ମୁଖ୍ୟକିରାଣୀ ପ୍ରଦୀପ କୁମାର ସେଠୀ, ବରିଷ୍ଠ କାର୍ଯ୍ୟାଳୟ ସହାୟକ କୁଳମଣି ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କଲେଜ ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓ ଡକ୍ଟର ରଥଙ୍କ ପ୍ରତିମୂର୍ତ୍ତିରେ ଅଧ୍ୟକ୍ଷଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସାମୂହିକ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ସାବିତ୍ରୀ ରଥ ବିଦ୍ୟାପୀଠ

ବିଶିଷ୍ଟ ସମାଜସେବୀ, ବର୍ଷିୟାନ ସାମ୍ବାଦିକ, ସ୍ୱାଧୀନତା ସଂଗ୍ରାମୀ ତଥା ଆଠଗଡ ମାଟିର ଯୋଗ୍ୟତମ ସନ୍ତାନ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କର ୨୪ତମ ଶ୍ରାଦ୍ଧ ଉତ୍ସବ ସମସରପୁରସ୍ଥିତ ସାବିତ୍ରୀ ରଥ ବିଦ୍ୟାପୀଠରେ ପାଳିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁଲୋଚନା ପାଲଙ୍କ ଅଧ୍ୟକ୍ଷତାରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ରାଧାନାଥ ବାବୁଙ୍କ ଘନିଷ୍ଠ ସହଯୋଗୀ ତଥା ବୟୋଜ୍ୟେଷ୍ଠ ସମାଜସେବୀ କଣ୍ଡୁରୀ ଚରଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ରଥଙ୍କ ତ୍ୟାଗପୁତ ଜୀବନୀ ସଂପର୍କରେ ଆଲୋକପାତ କରିବା ସହ ତାଙ୍କର ଡକ୍ଟର ରଥଙ୍କ ସହ ସଂପର୍କର ସ୍ମୃତିଚାରଣ କରିଥିଲେ। ସ୍କୁଲ ପରିସରରେ ପ୍ରତିଷ୍ଠିତ ଡକ୍ଟର ରଥଙ୍କ ସମେତ ତାଙ୍କ ସହଧର୍ମୀଣୀ ସାବିତ୍ରୀ ରଥ ଓ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟଅତିଥି ଶ୍ରୀ ନାୟକଙ୍କ ସମେତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ। ଶିକ୍ଷୟିତ୍ରୀ ସୁକନ୍ୟା ମଙ୍ଗୁଆଳ, ଜ୍ୟୋତିପ୍ରଭା ଭଞ୍ଜ, ସୂର୍ଯ୍ୟକାନ୍ତି ପଣ୍ଡା, ସୁଚିତ୍ରା ରାଉତ, ଓ ସୁଜାତା ସାମନ୍ତରାୟ ପ୍ରମୁଖ ଡକ୍ଟର ରଥଙ୍କ ଜୀବନାଦର୍ଶ ସଂପର୍କରେ ସ୍ମୃତିଚାରଣ କରିଥିଲେ। କାର୍ଯ୍ୟାଳୟ ସହାୟକ ନିରଞ୍ଜନ ସ୍ୱାଇଁ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।



