ଆଠଗଡ : ଆଠଗଡ ଉପଖଣ୍ଡରେ ପ୍ରାଥମିକ କୃଷିସେବା ସମବାୟ ସମିତି, ମଣ୍ଡି ଜରିଆରେ ଧାନ ବିକ୍ରୟ ଏକ ପ୍ରହସନରେ ପରିଣତ ହୋଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଧାନକ୍ରୟ କାର୍ଯ୍ୟକ୍ରମ ଶେଷ ହେବାକୁ ବସିଥିବାବେଳେ ଏବେ ମଧ୍ୟ ଉପଖଣ୍ଡର ୪ଟି ଯାକ ବ୍ଲକରେ ଶହ ଶହ ଚାଷୀ ସୋନଙ୍କର ବଳକା ଧାନ ବିକ୍ରୟ କରି ନପାରି ହତାଶ ହୋଇ ପଡିବା ସଙ୍ଗେ ସଙ୍ଗେ ବାଧ୍ୟ ହୋଇ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ମିଲରମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏହି ସମସ୍ୟା ଉପୁଜିଥିବା ଅଭିଯୋଗ ହେଉଛି । ଗତ ୩୧ତାରିଖରେ ଆଠଗଡ ବ୍ଲକ ଅନ୍ତର୍ଗତ ଜୋରନ୍ଦା ସେବା ସମବାୟ ସମିତି ମଣ୍ଡିରେ ଧାନ ବିକ୍ରୟ ସମସ୍ୟାକୁ ନେଇ ବହୁ ଚାଷୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ବୁଧବାର ବଡମ୍ବା ବ୍ଲକ୍ ଅନ୍ତର୍ଗତ କଙ୍କଡାଯୋଡି ସେବା ସମବାୟ ସମିତିରେ ଅନୁରୁପ ସମସ୍ୟାକୁ ନେଇ ବହୁଚାଷୀ ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି । ସେଠାରେ ଚାଷୀମାନଙ୍କ ନିକଟକୁ ଧାନ ବିକ୍ରୟ ପାଇଁ ମୋବାଇଲ ବାର୍ତ୍ତା ମାଧ୍ୟମରେ ଟୋକନ୍ ଆସିଥିଲେ ମଧ୍ୟ ମିଲର ଆସୁନଥିବାରୁ ସେମାନେ ଧାନ ବିକ୍ରୟ କରିପାରୁନଥିବା ଅଭିଯୋଗ କରିଛନ୍ତି । ଆସନ୍ତା ୨୧ତାରିଖ ମଧ୍ୟରେ ସେମାନେ ଧାନ ବିକ୍ରୟ କରିନପାରିଲେ ଆଉ ମଣ୍ଡିରେ ଧାନ ବିକ୍ରି କରିବାର ସୁଯୋଗ ହରାଇବେ ବୋଲି ଜାଣିବା ପରେ ଚାଷୀମାନେ ଆଠଗଡ ଉପଜିଲ୍ଲାପାଳଙ୍କୁ ଏ ସଂପର୍କରେ ଏକ ସ୍ମାରକପତ୍ର ଦେଇ ସେମାନଙ୍କ ବଳକା ଧାନ କ୍ରୟ କରାନଗଲେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି କଙ୍କଡାଯୋଡି ଅଞ୍ଚଳର ଚାଷୀ ପ୍ରଭାତ କୁମାର ପଣ୍ଡା, ନିରଞ୍ଜନ ମିଶ୍ର, ବିଶ୍ୱଜିତ୍ ତ୍ରିପାଠୀ, ପ୍ରଭାସ ସାଥୁଆ ଓ ରାଜୀବ ଲୋଚନ ସାହୁ ପ୍ରମୁଖ ଚେତାବନୀ ଦେଇଚନ୍ତି।
Popular Categories



