କଳାପଥରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ: ରାଜ୍ୟ ରାଜପଥରେ ଘର ଓ ଉଠା ଦୋକାନ

କଳାପଥର(ବାଙ୍କୀ ): ବାଙ୍କୀ ବ୍ଲକ, ବେଗୁନିଆ-ବୋଲଗଡ ବ୍ଲକର ସୀମାନ୍ତବର୍ତ୍ତୀ ଅଂଚଳ କଳାପଥର ଏବଂ ଧଳାପଥର ବଜାରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କଳାପଥର ମୁଖ୍ୟ ବସଷ୍ଟାଣ୍ଡ ସହିତ ଗୋଲେଇଚଛକ, ହରେରାମ ଛକ, ଷ୍ଟେଟବ୍ୟାଙ୍କ ଛକ, ମେଡିକାଲ ଛକ ସମେତ ଧଳାପଥର ବଜାରର ଚାରିଛକରେ ସବୁ ସମୟରେ ଟ୍ରାଫିକ ସମସ୍ୟା ଲାଗିରହୁଛି। ବାଙ୍କୀ ବ୍ଲକର ଶେଷ ପଂଚାୟତ କଳାପଥର ବଜାରଟି ବ୍ୟବସାୟିକ କେନ୍ଦ୍ରସ୍ଥଳ ଭାବେ ପରିଚିତ। ଭୌଗୋଳିକ ଦୃଷ୍ଟିକୋଣରୁ ଏହି ଅଞ୍ଚଳ ଉପରେ ପ୍ରାୟ ୮ଟି ବ୍ଲକ ଯଥା ବୋଲଗଡ, ବେଗୁନିଆ, ଭାପୁର, ଖଣ୍ଡପଡ଼ା, ଗଣିଆ, ଦଶପଲ୍ଲା , ବାଙ୍କୀ ଓ ବଡ଼ମ୍ବା ଖୁଚୁରା ବ୍ୟବସାୟୀମାନେ ନିର୍ଭର କରିଥାନ୍ତି। ଏହି କଳାପଥର ବଜାରକୁ ସ୍ଥାନୀୟ ଅଂଚଳର ଚାଷୀ ଉତ୍ପାଦିତ ପନିପରିବା ସହ ଫଳମୂଳ ବିକ୍ରି ପାଇଁ ଆସିଥାନ୍ତି। ସୋମବାର, ଗୁରୁବାର ବାଘମାରୀ-କଳାପଥର ରାଜ୍ୟ ରାଜପଥ ଉପରେ ପରିବା ହାଟ ଚାଲୁଥିବାବେଳେ ଏଵେ ଏହା ନିତିଦିନିଆ ହାଟରେ ପରିଣତ ହୋଇଗଲାଣି।

prayash

ସରକାରଙ୍କ ତରଫରୁ ଚାଷୀଙ୍କ ନିମନ୍ତେ ପିଣ୍ଡି ତିଆରି ହୋଇ ନ ଥିବାବେଳେ କଳାପଥର ଗ୍ରାମର ଯୁବ ସମାଜସେବୀ ପ୍ରତାପ ମହାପାତ୍ରଙ୍କ ନେତୃତ୍ବରେ ଗ୍ରାମବାସୀ ଓ ପଂଚାୟତର ମିଳିତ ସହଯୋଗରେ ପ୍ରାୟ ୮୦ ଯୁବକଙ୍କଠାରୁ ବ୍ୟବସାୟ ନିମନ୍ତେ ଅଗ୍ରିମ ଟଙ୍କାରେ ପିଣ୍ଡି ତିଆରି ହୋଇଥିଲା। ସେମାନେ ମୁଖ୍ୟ ରାଜ୍ୟରାଜପଥ ଉପରେ ବସୁଛନ୍ତି। ଆଉ ମଧ୍ୟ ସେମାନଙ୍କୁ ଦେଖି ଠେଲାଗାଡ଼ି ଟିଫିନ ସେଣ୍ଟର, ଗୁପଚୁପ, ଦହିବରା ସାଙ୍ଗକୁ ହରେକମାଲ ଡ୍ରେସ୍ ସମେତ ବିଭିନ୍ନ ଜିନିଷ ରାସ୍ତା ଉପରେ ବସି ବିକ୍ରି କରିଆସୁଛନ୍ତି। ଫଳରେ ଧଳାପଥର ବଜାରଠାରୁ ଗୋଳେଇ ଛକ ଦେଇ ବସଷ୍ଟାଣ୍ଡ ସହ ମୁଖ୍ୟ ବଜାର ହରେରାମ ଛକ, କେନ୍ଦ୍ର ବ୍ୟାଙ୍କ ଛକ ପର୍ଯ୍ୟନ୍ତ ସବୁ ସମୟରେ ଟ୍ରାଫିକ ସମସ୍ୟା ଉପୁଜି ଛୋଟ ବଡ଼ ଦୁର୍ଘଟଣା ସହ ଗଣ୍ଡଗୋଳ ହେଉଛି। ଜବରଦଖଲ କରି କିଛି ବ୍ୟବସାୟୀ ରାସ୍ତା ଉପରେ ସାର ଗୋଦାମ, ପରିବା ଓ ଫଳ ଗୋଦାମ ସହ ତାଜା ସବୁଜ ପରିବା ହାଟ, ଫଳ, ମାଂସ, ମାଛ, ଓ ଲୁଗା ଦୋକାନ ଚାଲୁଥିବା ନେଇ ସମସ୍ୟା ଉପୁଜୁଛି। ଅଧିକ ସମୟରେ ସାର ଗୋଦାମ ଓ ଆଳୁଗୋଦାମ ସମ୍ମୁଖ ରାଜ୍ୟ ରାଜପଥ ଉପରେ ୨୪ଚକିଆ ପଶ୍ଚିମବଙ୍ଗର ଗାଡ଼ି ଖଲାସି କରୁଥିବାରୁ ରାସ୍ତା ଜାମ୍ ହୋଇପଡୁଛି। ଧଳାପଥର ରାଧାବଲ୍ଲଭ ଜୀଉଙ୍କ ଜାଗା ସାମ୍ନା ସରକାରୀ ରାସ୍ତା ଜବରଦଖଲ କରି ପକ୍କା ଛାତ ଘର ମାନ କରି ରାସ୍ତା ଅବରୋଧ କରି ଅକ୍ତିଆର କରିଛନ୍ତି। ମୁଖ୍ୟ ରାସ୍ତା ଉପରେ ୫ଟି ରାଷ୍ଟ୍ରାୟତ ବ୍ୟାଙ୍କ, ୭ଟି ସ୍କୁଲ, ୨ଟି କଲେଜ, ପୋଷ୍ଟ ଅଫିସ, ପୂର୍ତ୍ତ ଡାକବଙ୍ଗଳା, ୨ଟି ପଂଚାୟତ, ୨ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ସରକାରୀ ଡାକ୍ତରଖାନା, ବିଦ୍ୟୁତ କାର୍ଯ୍ୟାଳୟ, ଦମକଳ କେନ୍ଦ୍ର, ପେଟ୍ରୋଲ ପମ୍ପ, ଗ୍ୟାସ ବିତରଣ କେନ୍ଦ୍ର ଆଦି ସରକାରୀ ଅନୁଷ୍ଠାନମାନ ରହିଛି। ଭୁବନେଶ୍ୱର, ପୁରୀ, କଟକ, ଅନୁଗୁଳ, ଢେଙ୍କାନାଳ, ବ୍ରହ୍ମପୁର, ନୟାଗଡ, କନ୍ଧମାଳ, ବୌଦ୍ଧ, ସୋନପୁର, ଫୁଲବାଣୀ, କଣ୍ଟାବାଞ୍ଜି, ବଲାଙ୍ଗୀର, କୋଟଗଡ଼, ରାୟପୁର ଅଂଚଳକୁ ଦୈନିକ ଶତାଧିକ ବସ୍ କଳାପଥର ବଜାର ଦେଇ ଯାତାୟତ କରୁଥିବାବେଳେ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଅଟକି ରହି ନାନା ହଇରାଣ ହରକତ ହେଉଛନ୍ତି। ଭାପୁର, କଣ୍ଟିଲୋ, ଖଣ୍ଡପଡ଼ା, ଗଣିଆ, କଳାପଥର ଅଂଚଳର ଜନସାଧାରଣ ୧୦୮ଆମ୍ବୁଲାନ୍ସରେ ଉକ୍ତ ରାଜ୍ୟରାଜପଥ ଦେଇ ଖୋର୍ଦ୍ଧା, ଭୁବନେଶ୍ୱର ମୌଳିକ ସୁବିଧା ପାଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କଟକ ଓ ଖୋର୍ଦ୍ଧା ପ୍ରଶାସନଙ୍କ ସହ ସ୍ଥାନୀୟ ବୈଦ୍ୟେଶ୍ୱର ଥାନା ଏବଂ ଧଳାପଥର ଫାଣ୍ଡି ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଯାହା ଜନସାଧାରଣଙ୍କୁ ବିସ୍ମିତ କରିଛି। ଖୋର୍ଦ୍ଧା ଜିଲ୍ଲା ବାଘମାରୀଠାରୁ ଭାୟା ଧଳାପଥର, କଳାପଥର, ଫତେଗଡ଼ ଦେଇ ଗଣିଆ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ସରିଯାଇଥିଲା ବେଳେ କଳାପଥର, ଧଳାପଥର, ଗେଡିଆପଲ୍ଲୀ, ସିମର, ବଡ଼ବେରେଣା ଜବରଦଖଲ ଉଚ୍ଛେଦ କରା ନ ଗଲେ ଅଂଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉଠା ଦୋକାନୀଙ୍କୁ ଉଠାଇବା ସହ ସରକାରୀ ରାସ୍ତା ଉପରେ ଜବରଦଖଲ କରି ଦୋକାନ ଓ ଘର କରିଥିବା ବ୍ୟକ୍ତି ବିଶେଷଙ୍କୁ ଉଚ୍ଛେଦ କରି ରାସ୍ତା ସାମ୍ପ୍ରସାରଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଏସଟିଓ ସିଗନାଲ ସାହୁଙ୍କୁ ଯୋଗାଯୋଗ କରାଯିବାରେ ସେ କହିଲେ ଆମ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏନେଇ ବାଙ୍କୀ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା।

Comments are closed.