ଭୁବନେଶ୍ୱର: ନୂଆ ମୋଟର ଯାନ ଆଇନକୁ ନେଇ ଜନସାଧରଣଙ୍କୁ ସଚେତନ କରାଇବାକୁ ଆସିଥିବା ବେଳେ ଫଶିଯାଇଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନରାୟଣ ଜେନା । ରବିବାର କମିଶନରେଟ୍ ପୁଲିସ ପକ୍ଷରୁ ଆୟୋଜିତ ଏକ ସଚେତନତା ଅଭିଯାନରେ ଯୋଗଦେବାକୁ ଆସି ବେଆଇନ ପାର୍କିଂ ପାଇଁ ତାଙ୍କୁ ୫୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିଛି ।
ସୂଚନା ଅନୁଯାୟୀ, ନୂଆ ମୋଟର ଯାନ ଆଇନକୁ ନେଇ ପୁଲିସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଏବେ ବିଷମ ପରିସ୍ଥିତି ଦେଖିବାକୁ ମିଳୁଛି। ଏଥିପାଇଁ ରବିବାର ଭୁବନେଶ୍ୱର ଏଜି ଛକରେ କମିଶନରେଟ୍ ପୁଲିସ ପକ୍ଷରୁ ଏକ ସଚେତନତା ଅଭିଯାନ କରାଯାଇଥିଲା । ଲୋକଙ୍କୁ ଚକୋଲେଟ୍ ଏବଂ ଲିଫଲେଟ୍ ବାଣ୍ଟି ସଚେତନ କରାଯାଇଛି। ଏହି ସଚେତନତା ଅଭିଯାନରେ ସାମିଲ ହେବାକୁ ଆସିଥିବା ବେଳେ ବିଧାୟକ ଏଜି ଛକରେ ତାଙ୍କ ଗାଡ଼ିଟିକୁ ବେଆଇନ ପାର୍କିଂ କରିଥିଲେ। ସେଥିପାଇଁ ଆଇନ ଅନୁଯାୟୀ ତାଙ୍କୁ ଜରିମାନା ଦେବାକୁ ପଡ଼ିଛି। ଡିସିପିଙ୍କ ଉପସ୍ଥିତିରେ ବିଧାୟକ ୫୦୦ ଟଙ୍କା ଜରିମାନା ଦେବାସହ ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି କହିଛନ୍ତି ।



