କଲକତା: କଂଗ୍ରେସଠାରୁ ପୃଥକ ହେବାର ୨୨ ବର୍ଷ ପରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍ସି) ଏହାର ଦଳୀୟ ଲୋଗୋରୁ କଂଗ୍ରେସର ନାମ ହଟାଇଦେଇଛି। ନୂତନ ଲୋଗୋରେ ନୀଳ ଫଳକ ଉପରେ କେବଳ ଦୁଇଟି ଫୁଲର ଚିତ୍ର ସହିତ ସବୁଜ ରଙ୍ଗରେ ତୃଣମୂଳ ଲେଖାଥିବା ଦେଖିବାକୁ ମିଳୁଛି। ବିଗତ ଦୁଇ ସପ୍ତାହ ହେବ ଟିଏମସି ପକ୍ଷରୁ ଏହି ନୂତନ ଲୋଗୋ ବ୍ୟବହାର କରାଯାଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୧୯୯୮ରେ କଂଗ୍ରେସଠାରୁ ବିଚ୍ଛିନ୍ନ ହୋଇ ତୃଣମୂଳ କଂଗେସ ଗଠନ କରିଥିଲେ। ତତ୍କାଳୀନ ଶାସକ ସିପିଆଇଏମ ବିରୋଧରେ ଟିଏମ୍ସି ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଥିଲା। ସମ୍ପ୍ରତି କେବଳ ଲୋଗୋ ନୁହେଁ; ବରଂ ଦଳୀୟ ଦସ୍ତାବିଜରୁ ମଧ୍ୟ କଂଗ୍ରେସର ନାମ ବାଦ ଦିଆଯାଇଥିବା ଜଣାପଡିଛି। ନିର୍ବାଚନ କମିସନଙ୍କ ନିକଟରେ ଏହା ତୃଣମୂଳ କଂଗ୍ରେସ ଭାବେ ପଞ୍ଜିକୃତ ହୋଇ ରହିବ ବୋଲି ଦଳ ସୂତ୍ରରୁ ପ୍ରକାଶ। ମମତା, ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ ତୃଣମୂଳ ନେତା ଡେରେକ ଓ’ବ୍ରେନଙ୍କ ଫେସବୁକ ଓ ଟ୍ବିଟର ଆକାଉଣ୍ଟରେ ନୂତନ ଲୋଗୋ ବ୍ୟବହାର କରାଯାଉଛି।
Popular Categories



