ଟିଟିଲାଗଡ଼: ବଲାଙ୍ଗୀର ଜିଲା ପୁଲିସ, ୟୁନିସେଫ, ଆରପିଏଫ, ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ସହଯୋଗରେ ସ୍ବେଛାସେବୀ ସଂଗଠନ ଏଡ଼ ଏଟ ଏକ୍ସନ ପକ୍ଷରୁ ସ୍ଥାନୀୟ ରେଳବାଇ ଇନଷ୍ଟିଚ୍ୟୁଟ ପରିସରରେ ମିଶନ ଦାଦନ ଉଦ୍ଧାର କାର୍ଯ୍ୟକ୍ରମରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଦାଦନ ପ୍ରବଣ ଟିଟିଲାଗଡ଼ ଉପଖଣ୍ଡ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। କାର୍ଯ୍ୟ କ୍ଷେତ୍ରରେ ଦାଦନ ଶ୍ରମିକ ପରିବାରର ପୁରୁଷ, ମହିଳା, ଶିଶୁ ନିର୍ଯ୍ୟାତିତ ହେବା ସହ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ରୀତିମତ ଅଭିଯୋଗ ଆସୁଛି। ଏମିତିକି ନାବାଳକ ନାବାଳିକାମାନଙ୍କୁ ଇଟା ଭାଟିରେ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦିଆଯାଉଛି। ଏହାକୁ ରୋକିବା ପାଇଁ ବ୍ୟାପକ ପରିମାଣରେ ସଚେତନ ହେବାର ଆବଶ୍ୟକତା ରହିଥିବା କହିଛନ୍ତି ବଲାଙ୍ଗୀର ଏସପିଙ୍କ ପକ୍ଷରୁ ସଚେତନତା ସଭାରେ ଉପସ୍ଥିତ ଟିଟିଲାଗଡ଼ ପୁଲିସ ଏସଡିପିଓ ଅଙ୍କିତା କୁମ୍ଭାର। କିଭଳି ସଚେତନ ନାଗରିକ ଏହି ଦାଦନ ପ୍ରଥା ଉପରେ ଲଗାମ ପାଇଁ ପ୍ରଶାସନକୁ ସହଯୋଗ କରିବେ, ବେଆଇନ ଶ୍ରମିକ ଚାଲାନଣ ସମ୍ପର୍କରେ ପୁଲିସର ନମ୍ବରକୁ ଫୋନ କରିବେ, ସୂଚନାଦାତାଙ୍କ ନାମ ଗୋପନ ରଖାଯିବ ଏନେଇ ଏସଡିପିଓ ଶ୍ରୀମତୀ କୁମ୍ଭାର ବ୍ୟାପକ ଅବଗତ କରିଥିଲେ।
ଏହି ସଚେତନତା ସଭାରେ ବଲାଙ୍ଗିର ସାଇବର ବିଭାଗ ଇନ୍ସପେକ୍ଟର ଭାରତୀ ନାୟକ, ଟିଟିଲାଗଡ଼ ଥାନା ଅଧିକାରୀ ରଞ୍ଜନ ବରିହା, ଟିଟିଲାଗଡ଼ ରେଳ ସୁରକ୍ଷା ବଳ ଅଧିକାରୀ ଧର୍ମେନ୍ଦ୍ର ମିଶ୍ର, ଏଡ଼ ଏଟ ଆକ୍ସନର ରାଜ୍ୟ ମୁଖ୍ୟ ସରୋଜ ବାରିକ, ଜିଲ୍ଲା ପରାମର୍ଶ ଦାତା ସଂନ୍ଧ୍ୟାରାଣୀ ପତି ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଇବର ସେଲ ସବଇନ୍ସପେକ୍ଟର ଅଭିନାଶ ନାୟକ, ଟିଟିଲାଗଡ଼ ଥାନାର ସବ ଇନ୍ସପେକ୍ଟର ନରେନ୍ଦ୍ର ଛତ୍ର, କାର୍ତିକ ପ୍ରଧାନ,ରେଳ ସୁରକ୍ଷା ବଳ ସବଇନ୍ସପେକ୍ଟର ଅଜୟ ସ୍ୱାଇଁ, ସନ୍ତୋଷ ମିନା, ଏ ଏସ ଆଇ ପରମେଶ୍ୱର ଶିକା, ଜି ରେଣୁକା, ବବଲୀ ବର୍ମନ, ଜୟ କୁମାର ସେଠ, ଅଭିଷେକ ଚୌଧୁରୀ, ରାହୁଲ ଯାଦବ, ନାରୀ ନେତ୍ରୀ ସୁଜାତା ଖୋସଲା, ଟ୍ରାନ୍ସଜେଣ୍ଡର ମଧୁ, ସମେତ ଶତାଧିକ ଜନସାଧାରଣ, ଶ୍ରମିକ, ଶ୍ରମିକ ସଂଗଠନ ଉପସ୍ଥିତ ଥିଲେ।



