www.samajalive.in
Saturday, December 6, 2025
26.1 C
Bhubaneswar

ପଙ୍କରେ ପଦ୍ମଟିଏ ଆଗମନ୍‍ ଛୁରା

ଟିଟିଲାଗଡ଼ : ତେଲଲୁଣ ପାଇଁ ନିତ୍ୟ ସଂଗ୍ରାମ କରୁଥିବା ପରିବାରରେ ପଦ୍ମଟିଏ ପରି ପ୍ରସ୍ଫୁଟିତ ହୋଇ ଚିତ୍ରକଳାରେ ନିଜ ଯାଦୁ ବଳରେ ଲୋକଙ୍କ ମନ ଜିଣିପାରିଛନ୍ତି ୧୯ ବର୍ଷ ବୟସ୍କ ଯୁବ କଳାକାର ଆଗମନ୍‍ ଛୁରା। ଟିଟିଲାଗଡ ବ୍ଲକ ସିହିନୀ ପଂଚାୟତ ଅନ୍ତର୍ଗତ କୁମୁଡା ଗ୍ରାମର ସିମନ ଛୁରା ଏବଂ ସୂର୍ଯ୍ୟକାନ୍ତିଙ୍କର ଆଗମନ୍‍ ହେଉଛନ୍ତି ଏକୋଇର ବଳା ବିଶିକେସନ। ପୁତ୍ର ବ୍ୟତିତ ତାଙ୍କର ନିଜ ସମ୍ପତି ବୋଲି କିଛି ନାହିଁ। ନିତ୍ୟ ପର ବାରିରୁ ପନିପରିବା କିଣି ଆଣି ଉଭୟ ପତିପତ୍ନୀ ବଜାର ତଥା ଗାଁଗଣ୍ଡା ବୁଲି ବିକ୍ରୟ କରି ଯାହା ଅର୍ଜନ କରନ୍ତି ସେଥିରେ ଦିନକର ଚଳିବା ହୋଇଥାଏ। ସମ୍ପ୍ରତି ମହାମାରୀରେ ସଟଡାଉନ, ଲକଡାଉନ ପରିବାର ପ୍ରତି ବଜ୍ରାଘାତ ସଦୃଶ ହୋଇପଡିଥିବା ସିମନ କହନ୍ତି। ଏପରିପ୍ରେକ୍ଷୀରେ ଇଶ୍ୱରଙ୍କ ବରଦାନ ସଦୃଶ ପୁଅର କଳାଭାସ୍କର୍ଯ୍ୟ ସମ୍ପ୍ରତି ପରିବାର ପାଇଁ ଏକ ଭିନ୍ନ ଅନୁଭୂତି ଆଣି ଦେଇଛି। ଯୁକ୍ତ ତିନି ଶେଷ ବର୍ଷ ଛାତ୍ର ଆଗମନ୍‍ ପିଲା ବେଳରୁ ଚିତ୍ରକଳା ପ୍ରତି ଆକୃଷ୍ଟ ହୁଅନ୍ତି। ସମ୍ପ୍ରତି ପେନସିଲ ଆର୍ଟ, ତୈଳଚିତ୍ର, ୱାଟର କଲର, ଚାରକୋଲ ଆର୍ଟ, ହେଣ୍ଡ ପେନ୍ଟିଙ୍ଗରେ ନିପୁଣତା ହାସଲ କରିଛନ୍ତି। ଲଲିତ କଳା ଏକାଡେମି ଭୁବନେଶ୍ୱର ପକ୍ଷରୁ ଅନଲାଇନ ଚିତ୍ରକଳା ପ୍ରତିଯୋଗିତାରେ ରାଜ୍ୟସ୍ତରରେ ପ୍ରଥମ, ସରୋଜ ଆର୍ଟ ଏକାଡେମୀ ବଲାଙ୍ଗିର ପକ୍ଷରୁ ଅନଲାଇନ ପରୀକ୍ଷାରେ ଜିଲାରେ ପ୍ରଥମ ତଥା ସ୍କୁଲ କଲେଜ ସ୍ତରରେ ଅନେକ ଟ୍ରଫି ହାସଲ କରିଛନ୍ତି ଆଗମନ୍‍। ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ମୋଦି, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶ, ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ, ଡ. ବିଆର ଆମ୍ବେଦକର, ମଦର ଟେରେସା ତଥା ଅନେକ ଚଳଚ୍ଚିତ୍ର ଜଗତର ହସ୍ତିଙ୍କ ଚିତ୍ର ଆଙ୍କି ପ୍ରଶଂସିତ ହୋଇଛନ୍ତି। ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗିର ସାଂସଦ ସଙ୍ଗିତା ସିଂଦେଓ, ବଲାଙ୍ଗିର ଜିଲାପାଳ ଅରିନ୍ଦମ ଡାକୁଆ, ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଗୁରୁ ଶାସ୍ୱତ ଯୋଷୀ, ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚିତ ଜିତେନ୍ଦ୍ର ମିଶ୍ର, ଓଲିଉଡ ଅଭିନେତା ସବ୍ୟସାଚି ମିଶ୍ର, ହ୍ୟୁମେନ ସାଗର, ଜୋଜୋ ଯୋଗେଶ, ସନ୍ତୋଷ ମହାନ୍ତିଙ୍କ ଚିତ୍ର ଅଙ୍କନ ସହ ସମ୍ପୃକ୍ତ ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ବ୍ୟକ୍ତିଗତ ଭାବରେ ପ୍ରଶଂସିତ ହୋଇଛନ୍ତି। ଟିଟିଲାଗଡ ନୂତନ ଉପଜିଲାପାଳ ସୌମେଶ ଉପାଧ୍ୟାୟଙ୍କ ଚିତ୍ର ଆଙ୍କି ତାଙ୍କୁ ଭେଟି ଦେଇଥିଲେ ଆଗମନ୍‍। କରୋନା ମହାମାରୀ ସଚେତନତା ନେଇ ତାଙ୍କର ଚିତ୍ର “ସମାଜ” ଖବରକାଗଜ ସମେତ ବିଭିନ୍ନ ପତ୍ରପତ୍ରିକା ତଥା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଛି। ଏହା ସହ ବିଭିନ୍ନ ବାଦ୍ୟଯନ୍ତ୍ର, ଫଟୋଗ୍ରାଫି, ମିମିକ୍ରୀ, ମେହେନ୍ଦି କାମ, ଝୋଟି, ମେକଅପ କଳାରେ ମଧ୍ୟ ତାଙ୍କ ଦକ୍ଷତା ରହିଛି। କୌଣସି ଗୁରୁଙ୍କ ସହାୟତା ବିନା ନିଜ ଇଚ୍ଛା ଶକ୍ତି ବଳରେ ଏତେ କମ ବୟସରେ ସେ ଅନେକ ଶିକ୍ଷା ଲାଭ ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବ୍ୟୟବହୁଳ ଚିତ୍ରକଳା କାର୍ଯ୍ୟ ନେଇ ପରିବାର ଆର୍ଥିକ ଦୁରବସ୍ଥା ଅନ୍ତରାୟ ସାଜିଥିବା ବେଳେ ନିଜ ଫଟୋ ଚିତ୍ର ବିକ୍ରୟ ସହ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ତାଙ୍କ ସ୍ୱପ୍ନ ସାକାର ଦିଗରେ ଅଗ୍ରସର ହୋଇଥିବା ଆଗମନ୍‍ କହନ୍ତି। ସିହିନୀ ସରପଂଚ ତଥା ବ୍ଲକ ସରପଂଚ ସଂଘ ସଭାପତି ବିରବର ସାହୁ ଆଗମନ୍‍ଙ୍କ ଉଚ୍ଚାକାଂକ୍ଷାକୁ ସାକାର ପାଇଁ ବିଶେଷ ସହାୟତା କରି ଆସୁଛନ୍ତି। ଆମ ପ୍ରତିନିଧି ମଧ୍ୟ ଆଗମନଙ୍କୁ ଯତକିଂଚିତ ସହାୟତା ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଯୁବ ପ୍ରତିଭା ଆଗମନ୍‍ଙ୍କ କଳା ଆହୁରି ବିକଶିତ ହେବ ବୋଲି ଟିଟିଲାଗଡ ଉପଖଣ୍ଡ ଚିତ୍ରଶିଲ୍ପୀ ସଂଘ ବରିଷ୍ଠ ସଦସ୍ୟ ସୁଧିର ମେହେର କହନ୍ତି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories