ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିପାତ, ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଗୁଳିବିନିମୟ ଜାରି

ଜମ୍ମୁ: ମଧ୍ୟ-କଶ୍ମୀରର ଗାନ୍ଦରବଲ ଜିଲାରେ ଶନିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଘେରାଉ କରି ନେଇଥିଲେ। ପ୍ରଥମେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ ପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀମାନେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରି‌ଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀ ପାକିସ୍ତାନର ହୋଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଶ୍ରୀନଗରର ଡାଉନଟାଉନ ଅଞ୍ଚଳରେ ଶନିବାର ଆତଙ୍କବାଦୀମାନେ ସିଆରପିଏଫ୍ ଯବାନଙ୍କ ଉପରକୁ ଆକ୍ରମଣ କରିଥି​‌ଲେ। ଯବାନମାନେ ସର୍ଚ୍ଚ ଅପରେସନ ପାଇଁ ଯାଉଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗ୍ରେନେଟ୍ ମାଡ କରିଥିଲେ। ଆକ୍ରମଣରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

ସେହିପରି ଜମ୍ମୁ-କଶ୍ମୀରର ରାମବନର ବାତୋତେ-ଦୋଦା ଅଞ୍ଚଳରେ ଶନିବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ତଲାସୀ ଅଭିଯାନ ଜାରି ରହିଛି ।

Comments are closed.