‘ଦି ପ୍ରିଜିନର ଇନ୍‌ ହିଜ୍‌ ପ୍ୟାଲେସ’ର ସତ କାହାଣୀ- ଫାଶୀ ପାଇବା ପୂର୍ବରୁ ଏପରି ଦୃଢୋକ୍ତି ଦେଇଥିଲେ ସଦ୍ଦାମ ହୁସେନ୍‌

ବାଗଦାଦ- ଇରାକରେ ୨୦ ବର୍ଷରୁ ଅଧିକ ସମୟ କାଳ ସଦ୍ଦାମ ହୁସେନ ଶାସନ କରିଥିଲେ । ତାଙ୍କରି ସମୟରେ କୁଏତ୍‌ ଉପରେ ଆକ୍ରମଣ କରାଯାଇଥିଲା । ଆମେରିକା ଏବଂ ମିତ୍ର ଦେଶ କୁଏତ୍‌ ସମର୍ଥନରେ ବାହାରିବା ପରେ ଘମାଘୋଟ୍‌ ଯୁଦ୍ଧ ହୋଇଥିଲା । ସଦ୍ଦାମଙ୍କ ଶାସିତ ଇରାକ ପରାଜୟ ସ୍ୱୀକାର କରିବା ପରେ ଯୁଦ୍ଧ ଥିମିଥିଲା । ହେଲେ ସେ ଆମେରିକାର କୋପ ଦୃଷ୍ଟିରୁ ବର୍ତ୍ତି ପାରି ନଥିଲେ । ୨୦୦୩ ମସିହାରେ ସଦ୍ଦାମଙ୍କ ଶାସନର ଅନ୍ତ ହୋଇଥିଲା । ୧୯୮୨ ମସିହାରେ ସେ ୧୪୮ ଜଣ ବିରୋଧିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ତାଙ୍କୁ ଫାଶୀ ଦଣ୍ଡମିଳିଥିଲା ।

୨୦୦୬ ମସିହା ନଭେମ୍ବର ମାସରେ ଇରାକର ଏକ ଅଦାଲତ ସଦ୍ଦାମଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ । ଆମେରିକା ଏବଂ ଇଂଲଣ୍ଡ ପରି ଅତି ଶକ୍ତିଶାଳୀ ଦେଶକୁ ଧମକ ଦେବା ସହ ସେମାନଙ୍କୁ ଖାତିର କରୁ ନଥିଲେ ସଦ୍ଦାମ ହୁସେନ୍‌ । ଡିସେମ୍ବର ୩୦ ତାରିଖ ୨୦୦୬ ମସିହା । ସଦ୍ଦାମ ହୁସେନଙ୍କୁ ତାଙ୍କରି ରାଜପ୍ରସାଦର ବନ୍ଦୀ ଗୃହରେ ସକାଳୁ ଉଠାଇବା ସହ ତାଙ୍କୁ ଫାଶୀ ଦିଆଯିବ ବୋଲି କୁହାଯାଇଥିଲା । ତା ପୂର୍ବରୁ, ସଦ୍ଦାମ ଭାବି ଥିଲେ ତାଙ୍କୁ ଫାଶୀ ଦଣ୍ଡ ମିଳିବ ନାହିଁ । ସଦ୍ଦାମଙ୍କୁ ୧୨ ଜଣ ଆମେରିକୀୟ ସୈନ୍ୟ ଜଗି ରହିଥିଲେ । ଜଣେ ସୈନିକ ତାଙ୍କ ଡାଏରୀରେ ଏହି ସବୁ କଥା ଲେଖି ରଖିଥିଲେ । ‘ଦି ପ୍ରିଜିନର ଇନ୍‌ ହିଜ୍‌ ପ୍ୟାଲେସ’ ନାମକ ବହିରେ ସେ ଏହି କଥା ଉଲ୍ଲେଖ କରିଛନ୍ତି ।

prayash

ତାଙ୍କରି ଅନୁସାରେ ସକାଳେ ସଦ୍ଦାମଙ୍କୁ ଉଠାଯିବା ପରେ ସେ ଫାଶୀ ଦଣ୍ଡ ପାଇବେ ବୋଲି କୁହାଯାଇଥିଲା । ସଦ୍ଦାମ ହତବାକ ହୋଇଯାଇଥିଲେ ମଧ୍ୟ ଆମେରିକୀୟ ସୁରକ୍ଷା କର୍ମୀଙ୍କ ଆଗରେ ଏହାକୁ ପ୍ରକାଶ କରି ନଥିଲେ । ତାଙ୍କରି ଦେଶର ଲୋକ କି ଭୁଲ୍‌ କରୁଛନ୍ତି ବୋଲି ସେ ଶେଷ ସମୟରେ ଉଲ୍ଲେଖ କରିଥିଲେ ।

ସଦ୍ଦାମ ତାଙ୍କ ଫାଶୀ ଖବର ଶୁଣିବା ପରେ ବେଶ୍‌ ଶାନ୍ତ ଥିଲେ । ସେ ଭଲ ଭାବରେ ଗାଧୋଇବା ପରେ ଫାଶୀ ପାଇଁ ନିଜେ ପ୍ରସ୍ତୁତ ହୋଇଥିଲେ । ସକାଳ ୬ଟାରେ ତାଙ୍କୁ ଫାଶୀ ଦିଆଯିବ ବୋଲି କୁହାଯାଇଥିଲା । ସେ ବେଶ୍‌ ଶାନ୍ତ ଭାବରେ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ଯାଇଥିଲେ । ତାଙ୍କ ମୁହଁ ଉପରେ କଳା କପଡା ଘୋଡା ଯିବା ବେଳେ ସେ ଏହାକୁ ପିନ୍ଧିବାକୁ ମନା କରିଥିଲେ । ସେ ଏହି କଳା କପଡା ନ ଘୋଡାଇ ହୋଇ ମୁହଁ ବନ୍ଦ ନକରି ମରିବା ପାଇଁ ଚାହାନ୍ତି ବୋଲି କହିଥିଲେ। ଯେତେବେଳେ ତାଙ୍କୁ ଫାଶୀ ଦିଆଯାଇଥିଲା ଆମେରିକାର ଏହି ୧୨ ଜଣ ସୁରକ୍ଷାକର୍ମୀ କାନ୍ଦି ପକାଇଥିଲେ । ହେଲେ ସେହି ଦିନ ସଦ୍ଦାମଙ୍କ ଯୁଗର ଅନ୍ତ ହୋଇଥିଲା । ମାତ୍ର ଇରାକରେ ଆଉ ଏକ କଳା ଅଧ୍ୟାୟ ସୃଷ୍ଟି ହୋଇଥିଲା । ଆଇଏସ୍‌ଆଇଏସ୍‌ ସକ୍ରିୟ ହେବା ସହ ଲୁଟ୍‌ , ଦୁଷ୍କର୍ମ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା । ଯାହାକୁ ସଦ୍ଦାମ ଅନେକାଂଶରେ ବନ୍ଦ କରି ରଖିଥିଲେ ।

Comments are closed.