ସମାଜ ପୋର୍ଟାଲ ଡେସ୍କ : ଆସନ୍ତାକାଲି ସରୁଛି ଦେଶର ୨୧ ଦିନିକା ଲକ୍ ଡାଉନ୍ ଅବଧି । ଏହାରି ମଧ୍ୟରେ ଦେଶରେ ଆଉ ଲକ୍ ଡାଉନ୍ ବଢିବ କି ନାହିଁ, ଯଦି ବଡିବ କେତେଦିନ ବଡିବ । ସେ ନେଇ ସମଗ୍ରଦେଶରେ ଚର୍ଚା ଲାଗିରହିଛି । ସମସ୍ତ ଦେଶବାସୀ ଚାହିଁରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତିକୁ, ପ୍ରଧାନମନ୍ତ୍ରୀ କଣ ଘୋଷଣା କରିବେ । ଏହାରି ମଧ୍ୟରେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ସକାଳ ୧୦ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଲକ୍ ଡାଇନ୍ ଅବଧି ବୃଦ୍ଧି ନେଇ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଆଲୋଚନା ସମୟରେ ଅଧିକାଂଶ ମୁଖ୍ୟମନ୍ତ୍ରୀ ଦେଶରେ ଜାରି ରହିଥିବା ଲକ୍ ଡାଉନ୍ ଅବଧି ବୃଦ୍ଧି କରାଯାଉ ବୋଲି ମତ ରଖିଥିଲେ । ନଚେତ୍ ଦେଶରେ କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ଦିଗରେ ଯେଉଁ ସଫଳତା ମିଳିଛି ତାହା ବୃଥା ସାବ୍ୟସ୍ତ ହେବ । ଲକ୍ ଡାଉନ୍ ହଟାଇ ଦିଆଗଲେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଯଥେଷ୍ଟ ଅଧିକ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀମାନେ ମତ ରଖିଥିଲେ । ଅନ୍ୟପଟେ ଆଗୁଆ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାର, ପଞ୍ଜାବ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଭଳି ରାଜ୍ୟ ସରକାର ଲକ୍ ଡାଉନ୍ ଅବଧି ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିସାରିଛନ୍ତି । ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଲକ୍ ଡାଉନ୍ ଅବଧି ବୃଦ୍ଧି ନେଇ ଘୋଷଣା କରିପାରନ୍ତି । ତେବେ ଏହି ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ସମୟରେ ଆହୁରୀ କେତେକ କ୍ଷେତ୍ରରେ କୋହଳ କରାଯିବା ନେଇ ମଧ୍ୟ ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।



