www.samajalive.in
Wednesday, December 10, 2025
26.1 C
Bhubaneswar

ମହାମାରୀର ମହାଯୋଦ୍ଧା: ଆମ କୃଷକ

ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ତଥ୍ୟ ଅନୁସାରେ ବର୍ତ୍ତମାନ ସାରା ବିଶ୍ୱ ଗତ ଶହେ ବର୍ଷର ସବୁଠାରୁ ଭୟଙ୍କର ଅର୍ଥନୈତିକ ପରିସ୍ଥିତି ମଧ୍ୟଦେଇ ଗତି କରୁଛି। ଏହାଦ୍ୱାରା ୧୭୦ଟି ରାଷ୍ଟ୍ରର ସାଧାରଣ ନାଗରିକମାନଙ୍କ ମୁଣ୍ଡପିଛା ଆୟ ପ୍ରଭାବିତ ହେବବୋଲି ଏହି ସଂସ୍ଥାର ପରିଚାଳନା ନିର୍ଦେଶକ ଡ.ଜେରୋଗିଭା ପ୍ରକାଶ କରିଛନ୍ତି। ଆମ ଦେଶରେ ଜାତୀୟ ପରିସଂଖ୍ୟାନ ସଂସ୍ଥାର ସଦ୍ୟତମ ତ୍ରୟମାସିକ (ଅପ୍ରିଲ୍‌-ଜୁନ୍‌)ରିପୋର୍ଟ ଅନୁସାରେ ଦେଶର ଅର୍ଥନୀତି ହାର ଏହି ସମୟ ମଧ୍ୟରେ ୨୩.୯% ତଳକୁ ଖସିଛି। ଦେଶର ନିର୍ମାଣ କ୍ଷେତ୍ରରେ ୫୦.୩%, ହୋଟେଲ- ଯୋଗାଯୋଗ- ପରିବହନ ୪୭%, ଉତ୍ପାଦନ ୨୯.୩%ହ୍ରାସ ପାଇଛି। ଏହା ଦେଶର ଅର୍ଥଶାସ୍ତ୍ରୀ, ଯୋଜନା ପ୍ରଣୟନକାରୀ, ବିତ୍ତୀୟ ଅନୁଷ୍ଠାନଠାରୁ ଆରମ୍ଭ କରି ରାଜନେତା ତଥା ସବୁ ଗଣମାଧ୍ୟମର ଆଲୋଚ୍ୟର ପ୍ରସଙ୍ଗ ହୋଇଛି। ଗତ ମାର୍ଚ୍ଚ ୨୪ ତାରିଖରୁ ଆରମ୍ଭ ଲକ୍‌ଡାଉନ୍‌, ସଟ୍‌ଡାଉନ ପ୍ରକ୍ରିୟା ଯୋଗୁଁ ବୃହତ୍‌ ଶିଳ୍ପ ଅନୁଷ୍ଠାନଠାରୁ କ୍ଷୁଦ୍ରଖୁଚୁରା ବ୍ୟବସାୟୀ, ତୀର୍ଥସ୍ଥଳୀ, ସଭାସମିତି, ଗମନାଗମନ ସବୁ ବନ୍ଦ ହୋଇ ଯିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି।

ଲକ୍‌ଡାଉନ୍ ପରବର୍ତ୍ତୀ ଅବସ୍ଥାରେ ଦେଶର ବିଭିନ୍ନ କୋଣରେ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲକ୍ଷଲକ୍ଷ ଶ୍ରମିକମାନଙ୍କ ସ୍ୱଗୃହ ପ୍ରତ୍ୟାବର୍ତ୍ତନ, ଦେଶର ଅର୍ଥନୈତିକ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରାଇଛି। ଏ ସବୁ ସହିତ ସରକାରଙ୍କର କରୋନା ମହାମାରୀ ପ୍ରତି ଗୁରୁତ୍ୱଦେଇ ଅର୍ଥନୈତିକ କାର୍ଯ୍ୟକ୍ରମ ପ୍ରତି ଉଦାସୀନତା ପରିସ୍ଥିତିକୁ ଆହୁରି ଜଟିଳ କରାଇଛି। ଏଠାରେ ପ୍ରଣିଧାନଯୋଗ୍ୟ ଯେ ଦେଶର ଘରୋଇ ଉତ୍ପାଦକୁ ସିଂହଭାଗ ପ୍ରଦାନ କରୁଥିବା ସେବା (୫୩.୩୩%), ଶିଳ୍ପ (୨୪.୮୮%) କ୍ଷେତ୍ରର ଏପରି ଅବସ୍ଥା ଦେଖି ଆମ ଅର୍ଥନୀତିର ଅଭିବୃଦ୍ଧି ହାର ଗତ ପାଞ୍ଚଦଶନ୍ଧିର ସର୍ବନିମ୍ନକୁ ଖସିଯିବ ବୋଲି ଖୋଦ୍‌ ରିଜର୍ଭ ବ୍ୟାଙ୍କ ଅନୁମାନ କଲାଣି। ଏହାକୁ ପ୍ରତିହତ କରିବାକୁ ସରକାରଙ୍କ ସୁଧହାର ଯୋଜନା, ଆତ୍ମନିର୍ଭରଶୀଳ ଭାରତ, ମେକ୍‌ ଇନ୍‌ ଇଣ୍ଡିଆ ଯେ ଯଥେଷ୍ଟ ହୋଇପାରୁ ନାହିଁ; ଆମେ ଅନୁଭବ କଲେଣି।

- Advertisement -

ଜାତୀୟ ଅର୍ଥନୀତିର ଏପରି ଦୁର୍ଦିନ ସମୟରେ କେବଳ ଆମ କୃଷିକ୍ଷେତ୍ର ହିଁ ଆମ ପାଇଁ ସମ୍ଭାବନାର ଆଲୋକ ଦେଖାଇଛି। କହିବା ବାହୁଲ୍ୟ, ସବୁ ଘାତପ୍ରତିଘାତ ସହି, ଅର୍ଥନୀତିର ସର୍ବନିମ୍ନ ସ୍ଥାନରେ ରହି, ଖଟିଖିଆ ମଜୁରିଆ ଗାଉଁଲି ଲୋକଙ୍କ ପେସା ଭାବେ ପରିଚିତ କୃଷିକ୍ଷେତ୍ର ଦେଶର ଏକମାତ୍ର ନିର୍ଭରଯୋଗ୍ୟ ଅର୍ଥନୈତିକ ଶକ୍ତି କେନ୍ଦ୍ର ବୋଲି ବିବେଚିତ ହୋଇଛି। ଦେଶର ସମୁଦାୟ ମାନବ ସମ୍ବଳର ୫୮% ଜୀବନଜୀବିକା ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଏହି କ୍ଷେତ୍ରକୁ ହିଁ କେବଳ ମହାମାରୀ ବିଶେଷ ପ୍ରଭାବିତ କରିପାରିନାହିଁ। ଏହାର ଅର୍ଥ ନୁହେଁ ଯେ, ଏହାକୁ ପୃଷ୍ଠପୋଷକତା କରୁଥିବା ଦେଶର ୧୪.୫ କୋଟି ପରିବାର ଏଥିରେ କ୍ଷତିଗ୍ରସ୍ତ ହୋଇନାହାନ୍ତି; ସେମାନେ ମଧ୍ୟ ଜୁଲମର ଶିକାର ହୋଇଛନ୍ତି। ନିଜ ଉତ୍ପାଦିତ ଦ୍ରବ୍ୟକୁୁ ଲକ୍‌ଡାଉନ ବେଳେ ଜମିରେ ନଷ୍ଟ ହେବାର ଦେଖି ଦୁଃଖିତ ହୋଇଛନ୍ତି। ଶହଶହ ଏକର ପନିପରିବା, ତରଭୁଜ, ପାଚିଲା କଦଳୀ ବଜାରକୁ ନଯାଇପାରି ଶଢ଼ିବାର ଦୃଶ୍ୟ ବିଭିନ୍ନ ଗଣମାଧ୍ୟମର ଶିରୋନାମା ପାଲଟିଛି; କିନ୍ତୁ ଦେଶର ଶହେ ତିରିଶକୋଟି ଜନତାଙ୍କୁ ଖାଦ୍ୟାଭାବର ଅଭିଯୋଗ କରିବାକୁ ସୁଯୋଗ ଦେଇନାହାନ୍ତି। କୌଣସି ସ୍ଥାନରେ ଖାଉଟିମାନଙ୍କ ଦରବୃଦ୍ଧି ପ୍ରତିବାଦର ସ୍ୱର ଶୁଭିନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା କେବଳ କୃଷି ଅଭିବୃଦ୍ଧି ହାର ୩% ବଢ଼ିନାହିଁ, ବରଂ ଏହି ଲକ୍‌ଡାଉନ୍‌ ସମୟରେ ରବି ଫସଲର ରେକର୍ଡ ଅମଳ ପାଇଁ ଦେଶର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ୨୯୦ ନିୟୁତ ଟନ୍‌ ଓ ଉଦ୍ୟାନ ଫସଲ ୩୨୦ ନିୟୁତ ମେଟ୍ରିକ୍‌ ଟନ୍‌ ଅତିକ୍ରମ କରିଛି।

ପରବର୍ତ୍ତୀ ଅବସ୍ଥାରେ ଦେଶରେ ମହାମାରୀ ହୁହୁ ହୋଇ ବଢ଼ିଚାଲିଥିଲା ବେଳେ ବି ଚାଷୀ ଖରିଫ୍‌ଋତୁରେ ଗତବର୍ଷଠାରୁ ଅଧିକ ସାତ ପ୍ରତିଶତ ଜମିରେ ଚାଷ କାମ କରିଛନ୍ତି। ଏହା କେବଳ ଧାନ ପରି ମୁଖ୍ୟ ଖାଦ୍ୟଶସ୍ୟ (୧୦%)ରେ ସୀମିତ ନୁହେଁ ବରଂ ଡାଲି ଜାତୀୟ ଫସଲ (୫%), ତୈଳବୀଜ (୧୩%)ରେ ମଧ୍ୟ ଉତ୍ପାଦନ ବଢ଼ିଛି। କରୋନାକୁ ପ୍ରତିହତ କରିବାକୁ ସଂଯମତା ରକ୍ଷାକରି ସବୁ ଭାରତୀୟଙ୍କ ପାଇଁ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରାଇବାକୁ ଅଣ୍ଟାଭିଡ଼ିଛି ଭାରତୀୟ ଚାଷୀ। ସେଥିପାଇଁ ଦେଶର ଖର୍ଚ୍ଚ ମହାମାରୀବେଳେ ୨୬.୭ ପ୍ରତିଶତ କମିଥିବାବେଳେ କେବଳ ଜୁଲାଇ ମାସରେ ଟ୍ରାକ୍ଟର ବିକ୍ରି ୩୮.୫ ପ୍ରତିଶତ ବଢ଼ିଛି। ଏହା ଚାଷୀର ଦୃଢ଼ ମନୋବଳ ଓ ଅଦମ୍ୟ ସାହସକୁ ଇଙ୍ଗିତ କରୁଛି। କହିବା ବାହୁଲ୍ୟ, ୨୦୦୮ ମସିହାର ବିଶ୍ୱ ଅର୍ଥନୀତିର ମାନ୍ଦାବସ୍ଥାକୁ ଭାରତରେ ଏହି କୃଷକ ସଂପ୍ରଦାୟ ସମ୍ଭାଳିଥିଲେ। ତାଙ୍କର ପ୍ରଚେଷ୍ଟାରୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଏହି ରାଷ୍ଟ୍ର ଡାଲି, ଦୁଗ୍ଧ, ଅଦା, ଆମ୍ବ, କଦଳୀ, ଅମୃତଭଣ୍ଡା, ଉତ୍ପାଦନରେ ପୃଥିବୀରେ ପ୍ରଥମ ଏବଂ ଧାନ, ଗହମ, ଆଖୁ, ପନିପରିବା, ଆଳୁ, ପିଆଜ, ଚିନାବାଦାମ, ଫଳ ଉତ୍ପାଦନରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

ସର୍ବବୃହତ୍‌ ପଶୁ ସଂପଦର ଅଧିକାରୀ ଭାରତୀୟ ଚାଷୀ ହୋଇଥିବାବେଳେ ମାଛ, ମାଂସ, ଅଣ୍ଡା ଉତ୍ପାଦନରେ ବି ସେମାନେ ନିଜ କୃତିତ୍ୱ ପ୍ରଦର୍ଶନ କରିଛନ୍ତି। ୫୮% ଭାରତୀୟ ଦେଶର ସମଗ୍ର ଘରୋଇ ଉତ୍ପାଦକୁ ୧୬% ପ୍ରଦାନ କରୁଥିଲେ ବି ବାର୍ଷିକ ୩୮.୫୪ ବିଲିୟନ ଆମେରିକୀୟ ଡଲାରର କୃଷିଜାତ ଦ୍ରବ୍ୟ ରପ୍ତାନି କରି ଦେଶର ବୈଦେଶିକ ମୁଦ୍ରା ପାଣ୍ଠିକୁ ସଶକ୍ତ କରିବାରେ ସାହାଯ୍ୟ କରୁଛନ୍ତି। ସୁତରାଂ ଦେଶର ଅଗଣିତ ସ୍ୱାସ୍ଥ୍ୟ କର୍ମଚାରୀ, ପୁଲିସ ନିଜ ଜୀବନକୁ ବାଜିଲଗାଇ କରୋନା ସହ ଲଢ଼େଇ କରି ଯୋଦ୍ଧାର ସମ୍ମାନ ପାଉଥିଲାବେଳେ ଏହା ପ୍ରଚ୍ଛଦପଟ ନୀରବ ନାୟକଙ୍କୁ ସମାଜ ଏତେ ହତାଦର କରେ କାହିଁକି? ସାରା ବିଶ୍ୱ ଏ ମହାମାରୀରେ ଘାଣ୍ଟି ହେଉଥିବାବେଳେ, ଆନ୍ତର୍ଜାତିକ ଗମନାଗମନ ବନ୍ଦ ହୋଇଥିବାବେଳେ ଯଦି ଆମେ ଖାଦ୍ୟଶସ୍ୟ ଉତ୍ପାଦନରେ ସ୍ୱାବଲମ୍ବୀ ହୋଇ ନଥାନ୍ତେ, କ’ଣ ହୋଇଥାନ୍ତା ଆମର ! ଜୁଲାଇ ମାସର କୃଷିହୀନତା, ଅଗଷ୍ଟ ମାସର ବନ୍ୟା, ଅଭିଶପ୍ତ ଅକ୍ଟୋବରର ସମ୍ଭାବ୍ୟ ମହାବାତ୍ୟାକୁ ଭ୍ରୂକ୍ଷେପ ନକରି ଯେଉଁ ଓଡ଼ିଆ ଗରିବ ଚାଷୀ ଆପଣଙ୍କୁ ଖାଦ୍ୟ ଯୋଗାଉଛି, ସେ ଯଦି ଯୋଦ୍ଧା ପଦବାଚ୍ୟ ନହୁଏ, ତେବେ ହେବ କିଏ? ଗାଁ ଗହଳରେ କରୋନା ସଂକ୍ରମଣକୁୁ ଭୟ କରି ଯଦି ଚାଷୀ ଘରୁ ନ ବାହାରେ, ଆପଣ ବଞ୍ଚିବେ ତ? ତେଣୁ କରୋନା ମହାମାରୀ ବିପକ୍ଷରେ ମହାଯୋଦ୍ଧା ହେଉଛି ଆମ ଚାଷୀ। ସେମାନେ ଆମ ଅର୍ଥନୀତିର ଜ୍ୱଳନ୍ତ ପ୍ରଦୀପ। ସେମାନଙ୍କର ଉନ୍ନତି ହେଲେ ଦେଶର ଉନ୍ନତି। ଏହାକୁ ସ୍ୱୀକାର କରିବାକୁ ପଡ଼ିବ।

କେନ୍ଦ୍ର ଓ ରାଜ୍ୟ ସରକାର କୃଷକ ପରିବାର ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି। କେନ୍ଦ୍ର ସରକାର ଇତି ମଧ୍ୟରେ ଏକଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ଯୋଜନା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ହେଉ ବା ଆମ ରାଜ୍ୟର କାଳିଆ, ବଳରାମ ଯୋଜନା ହେଉ ଏତିକି କ’ଣ ଯଥେଷ୍ଟ ଗୋଟିଏ କୃଷକ ପରିବାର ପାଇଁ? ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କ’ଣ ବାନ୍ଧିପାରିବ କୃଷକ ପରିବାରର ପଢ଼ୁଆ ପୁଅକୁ ଚାଷ ଜମିରେ। ଯଦି ଏ ସବୁରେ କୃଷକ ଖୁସି ଥାଆନ୍ତା, ତା’ ପୁଅକୁ ସେ ପୁଣି ପ୍ରବାସୀ ଶ୍ରମିକ ହେବାକୁ ପଠାନ୍ତା ନାହିଁ ଦୂର ପ୍ରଦେଶକୁ। ଚାଷୀ ଚାହେଁ ତା’ ସବୁ ଫସଲ ପାଇଁ ବୀମା, ସବୁ ଜମିକୁ ଜଳ, ସବୁ ଉତ୍ପାଦକୁ ମୂଲ୍ୟ। ସମସ୍ତଙ୍କ ମୁହଁକୁ ଖାଦ୍ୟ ଯୋଗାଡ଼ୁଥିବା ଯୋଦ୍ଧାମାନଙ୍କର ଏତିକି ଦାବି କ’ଣ ନ୍ୟାୟସଂଗତ ନୁହେଁ? ଘରର ରୋଜଗାରିଆ ପୁଅ ଅଣକୃଷି କାମରେ ଲାଗିଲେ ଚାଷର ଡୋରି ଧରେ ତା ଘରଣୀ। ତା ନାଁରେ ନଥାଏ ଜମି, ନା ତା ପାଇଁ ଥାଏ ସରକାରୀ ସୁବିଧା। ତା’ ନାଁରେ ‘ସୁଭଦ୍ରା’ ଯୋଜନାରେ ଜମି ପଟ୍ଟା କରି ତାକୁ ମାଲିକାଣୀ ଆଖ୍ୟା ଦେବାରେ ଅସୁବିଧା କେଉଁଠି? ସହରୀ ବାବୁମାନଙ୍କ ପୈତୃକ ଜମିକୁ ପୁରୁଷପୁରୁଷ ଧରି ଚାଷକରି ଶୋଷିତ ହେଉଥିବା ଭାଗଚାଷୀକୁ ତା’ ମାଟି ଫେରାଇ ଦେବାରେ ସରକାର ଶକ୍ତ ‘ସୁଦର୍ଶନ’ ଯୋଜନା ପ୍ରଣୟନ କରି ସେମାନଙ୍କୁ ସମ୍ମାନିତ କରିବାରେ କାର୍ପଣ୍ୟ କାହିଁକି? ଏବେ ସଠିକ୍‌ ସମୟ ଉପନୀତ। ସେମାନଙ୍କ ଉତ୍ପାଦିତ ଖାଦ୍ୟ ଖାଇ ଆପଣ କରୋନା ମହାମାରୀକୁ ପ୍ରତିରୋଧ କରୁଛନ୍ତି, ତେଣୁ ତାଙ୍କୁ ସମାଜ ସମ୍ମାନିତ କରୁ, ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେଉ, ଏହା ହିଁ ଏହି ମହାଯୋଦ୍ଧାମାନଙ୍କ ଋଣ ଶୁଝିବାର ଏକମାତ୍ର ବିକଳ୍ପ।

ସୁଜିତ କୁମାର ନାଥ (ତଳମୂଳ ଶାସନ, ଅନୁଗୋଳ)
ମୋ: ୯୪୩୭୩୬୦୮୬୬

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories