କାବୁଲ : ତାଲିବାନ କବଳରୁ ଅଦ୍ୟାବଧି ବର୍ତ୍ତି ରହିଛି ଏକମାତ୍ର ପ୍ରଦେଶ ଉତ୍ତର-ପୂର୍ବାଞ୍ଚଳସ୍ଥିତ ପାଞ୍ଜସିର। ଅନ୍ୟ ୩୩ଟି ପ୍ରଦେଶକୁ ତାଲିବାନ ଦଖଲ କରିଥିଲେ ମଧ୍ୟ ଏହାକୁ ଅଦ୍ୟାବଧି ହାତକୁ ନେଇ ପାରି ନାହିଁ। ଏହି ଅଞ୍ଚଳ ହେଉଛି ଆତ୍ମଘୋଷିତ ରାଷ୍ଟ୍ରପତି ଅମରୁଲ୍ଲା ସାଲେଙ୍କ ଗଡ଼। କେବଳ ତାଲିବାନ ନୁହେଁ; ଅଦ୍ୟାବଧି କୌଣସି ବୈଦେଶିକ ଶକ୍ତି ମଧ୍ୟ ଏହାକୁ ଦଖଲ କରିପାରି ନାହାନ୍ତି। ପାଞ୍ଜସିରର ଅର୍ଥ ହେଉଛି ପାର୍ସି ଭାଷାରେ ପାଞ୍ଚ ସିଂହ। ହିନ୍ଦୁକୁଶ ପର୍ବତମାଳା ଘେରି ରହିଥିବା ଏହି ପ୍ରଦେଶର ଜନସଂଖ୍ୟା ୨ଲକ୍ଷ ପାଖାପାଖି। ଏଠାରେ ୫୧୨ଟି ଗ୍ରାମ ରହିଛି। ବାଜରାକ ହେଉଛି ଏହାର ରାଜଧାନୀ। ଏହା ସର୍ବଦା ତାଲିବାନ ବିରୋଧୀ ଭାବେ ନିଜକୁ ଦୃଢ଼ତାର ସହ ସାବ୍ୟସ୍ତ କରିଆସିଛି। ସମ୍ପ୍ରତି ତାଲିବାନ ଏହାକୁ ଚାରିପଟୁ ଘେରି ଥିଲେ ମଧ୍ୟ ଏହି ପ୍ରଦେଶ ନତମସ୍ତକ ହୋଇ ନାହିଁ। ୧୯୯୬ରେ ଗଠିତ ‘ନର୍ଦର୍ଣ୍ଣ ଆଲିଆନ୍ସ’ ବୁଧବାର ସାଲେଙ୍କ ନେତୃତ୍ବରେ ଏଠାରେ ପୁନର୍ବାର ନିଜର ପତାକା ଉଡ଼ାଇଛି। ସାଲେଙ୍କୁ ସର୍ବାଧିକ ସହଯୋଗ କରୁଛନ୍ତି ସଂଗଠନର ଅନ୍ୟତମ ନେତା ତଥା ତୀବ୍ର ତାଲିବାନ ବିରୋଧୀ ଅହମଦ ସାହା ମାସୁଦ। ଏହି ପ୍ରଦେଶକୁ ଇରାନ, ଭାରତ, ତାଜିକସ୍ତାନ, ଉଜ୍ବେକିସ୍ତାନ, ତୁର୍କମେନିସ୍ତାନ ସମର୍ଥନ ଦେଇ ଆସିଛନ୍ତି। ଖବର ଅନୁସାରେ ଆଫଗାନିସ୍ତାନ ସେନା ଏବେ ମାସୁଦଙ୍କ ଆହ୍ବାନକ୍ରମେ ପାଞ୍ଜସିରରେ ପହଞ୍ଚିବାରେ ଲାଗିଛନ୍ତି। ଏମାନେ ମିଳିତ ଭାବେ ତାଲିବାନକୁ ହରାଇବା ଯୋଜନା କରିଥିବା ପ୍ରକାଶ। ଉଲ୍ଲେଖଯୋଗ୍ୟ ଯେ ସାଲେ ହେଉଛନ୍ତି ଘୋର ଆମେରିକା ବିରୋଧୀ। ତାଲିବାନ ପକ୍ଷରୁ ବାରମ୍ବାର ତାଙ୍କୁ ହତ୍ୟା ଉଦ୍ୟମ ହୋଇଛି।
ତାଲିବାନ କବ୍ଜାରେ ସାହସୀ ମହିଳା ସାଲିମା
ଆଫଗାନିସ୍ତାନର ବାଲ୍ଖ ପ୍ରଦେଶରେ ତାଲିବାନ ବିରୋଧରେ ପ୍ରଥମ କରି ଅସ୍ତ୍ର ଉତ୍ତୋଳନ କରିଥିବା ତିନି ସାହସୀ ମହିଳାଙ୍କ ମଧ୍ୟରୁ ଅନ୍ୟତମ ସାଲିମା ମାଜାରିଙ୍କୁ ବୁଧବାର ତାଲିବାନ ଧରିନେଇଛି। ଏବେ ତାଙ୍କୁ କେଉଁଠି ରଖାଯାଇଛି ତାହା ଜଣାପଡ଼ି ନାହିଁ। ସାଲିମା ହେଉଛନ୍ତି ତାଲିବାନ କବଳିତ ବଲ୍ଖ ପ୍ରଦେଶ ଅନ୍ତର୍ଗତ ଚହର ନିଟ୍ ଜିଲାର ବାସିନ୍ଦା। ସାଲିମାଙ୍କ ନିୟନ୍ତ୍ରଣରେ ଏହି ଅଞ୍ଚଳ ରହିଆସିଥିଲା। ଗତ ବର୍ଷ ତାଙ୍କ ଉଦ୍ୟମରେ ୧୦୦ରୁ ଅଧିକ ତାଲିବାନ ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲେ। ତାଙ୍କ ସୁରକ୍ଷା ନେଇ ଏବେ ଚିନ୍ତା ପ୍ରକଟ କରାଯାଇଛି।
ପ୍ରମୋଦ ଉଦ୍ୟାନ ଜାଳିଦେଲେ ତାଲିବାନ
ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନ ଦଖଲ ପରେ ଖୁବ୍ ମଉଜମସ୍ତିରେ ଲାଗିଥିଲେ ମଧ୍ୟ କାବୁଲସ୍ଥିତ ସିବରଗାନ୍ ପ୍ରମୋଦ ଉଦ୍ୟାନକୁ ଜାଳି ଧ୍ବଂସ କରିଦେଇଛନ୍ତି। ଏଥିସହିତ ବିଭିନ୍ନ ସ୍ଥାନରେ ଚଳାଇଥିବାର ଧ୍ବଂସଲୀଳାର ଭିଡିଓ ସେମାନେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିଛନ୍ତି। ଏଭଳି ଉଦ୍ୟାନ ଇସ୍ଲାମ ବିରୋଧୀ ବୋଲି ସେମାନେ ଅଭିହିତ କରିଛନ୍ତି। ଏଥିସହିତ ସରକାରୀ ସମର୍ଥକଙ୍କ ଘରେ ଓ ବିଭିନ୍ନ ସ୍ଥାନରେ ସେମାନେ ଲୁଟ୍ତରାଜ ଚଳାଇଛନ୍ତି।
ତାଲିବାନ ବିରୋଧରେ ମହିଳାଙ୍କ ବିକ୍ଷୋଭ
ତାଲିବାନ୍ ବିରୋଧରେ ବିଭିନ୍ନ ସ୍ଥାନରେ ସାଧାରଣ ଜନତା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ବହୁ ମହିଳା ସାମିଲ ହୋଇଥିବା ଲକ୍ଷ କରାଯାଇଛି। କିଛି ମହିଳା ଖୋଲାଖୋଲି ଭାବେ ଅତ୍ୟନ୍ତ ସାହସର ସହିତ ସେମାନଙ୍କ ଅଧିକାର ବଜାୟ ରଖିବା ଦାବିରେ ତାଲିବାନ ବିରୋଧରେ ବିକ୍ଷୋଭ କରିଥିବା ଦେଖାଯାଇଥିଲା। ବୁଧବାର କାବୁଲ ନିକଟ ଜଲାଲାବାଦରେ ତାଲିବାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ମହିଳା ଓ ଯୁବକଙ୍କ ଉପରେ ଗୁଳିମାଡ଼ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୫ରୁ ଅଧିକ ଆହତ ହୋଇଛନ୍ତି। ଏହି ଜନତା ଆଫଗାନିସ୍ତାନର ଜାତୀୟ ପତାକା ବଳବତ୍ତର ରଖିବା ସହ ସରକାରୀ କାର୍ଯ୍ୟାଳୟରେ ପୂର୍ବପରି ଉଡ଼ାଇବାକୁ ଦାବି କରିଥିଲେ। ତାଲିବାନ ଆକ୍ରମଣରେ କିଛି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆହତ ହୋଇଥିବା ପ୍ରକାଶ।
ମହିଳାଙ୍କ ପାଇଁ ଜାରି ହେଲା ତାଲିବାନୀ ନିୟମ
ମହିଳାଙ୍କୁ ସମ୍ମାନ ଓ ଅଧିକାର ପ୍ରଦାନ ପାଇଁ ଘୋଷଣା କରିବାର ଗୋଟିଏ ଦିନ ନ ପୂରୁଣୁ ତାଲିବାନ ସାରିଆତ୍ ଆଇନାନୁସାରେ ସେମାନଙ୍କ ପ୍ରତି କଠୋର ନିୟମ ପ୍ରଣୟନ କରିଛି। ପୂର୍ବ ଶାସନ ଅମଳରେ ଏହି ମହିଳାଙ୍କ ପ୍ରତି ଲାଗୁ କରିଥିବା ଆଇନକୁ ଏବେ ପୁନଃ କାର୍ଯ୍ୟ କରିଛି। ଏହି ଅନୁଯାୟୀ, ମହିଳାମାନେ କୌଣସି ନିକଟ ସମ୍ପର୍କୀୟଙ୍କ ବିନା ଘରୁ ବାହାରକୁ ବାହାରି ପାରିବେ ନାହିଁ। ଘରୁ ବାହାରିଲାବେଳେ ବୁର୍ଖା ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମହିଳାମାନେ ଉଚ୍ଚ ଗୋଇଠିଯୁକ୍ତ ଜୋତା ପିନ୍ଧିବା କିମ୍ବା ପୁରୁଷଙ୍କୁ ସେମାନଙ୍କ ଚାଲି ଶବ୍ଦ ନ ଶୁଭିବା ଉଚିତ ବୋଲି କୁହାଯାଇଛି। ସାର୍ବଜନିକ ସ୍ଥାନରେ ଅଜଣା ବ୍ୟକ୍ତିଙ୍କ ସାମ୍ନାରେ ମହିଳାଙ୍କ ଶବ୍ଦ ଶୁଣାଯିବା ଅପରାଧ ହୋଇଥିଲାବେଳେ ତଳମହଲା ଘର ଝରକା ଦେଇ ଯେମିତି କୌଣସି ମହିଳାଙ୍କୁ ଦେଖିହେବ ନାହିଁ ସେଥିପ୍ରତି ଚେତାବନୀ ଦିଆଯାଇଛି। ସେଥିପାଇଁ ଝରକା ଓ କାନ୍ଥ ରଙ୍ଗ ହେବା ଦରକାର ବୋଲି ଆଇନରେ କୁହାଯାଇଛି। ସେହିପରି ମହିଳାମାନେ ଫଟୋ ଉଠାଇବା ମନା ହୋଇଥିବାବେଳେ ସେମାନଙ୍କ ଫଟୋ ଖବରକାଗଜ, ବହି କିମ୍ବା କୌଣସି ସ୍ଥାନରେ ଲଗାଯିବା ବାରଣ କରାଯାଇଛି। ମହିଳାଙ୍କ ନାମରେ କୌଣସି ସ୍ଥାନର ନାମକରଣ କରାଯିବ ନାହିଁ। ସେମାନେ କୌଣସି ସମାରୋହରେ ସାମିଲ ହୋଇପାରିବେ ନାହିଁ। ଏମିତି କି ସେମାନେ ଚିପା ପୋଷାକ ପିନ୍ଧିବା ଓ ନଖ ପଲିସ୍ ଲଗାଇବା କିମ୍ବା ସ୍ବଇଚ୍ଛାରେ ବିବାହ କରିପାରିବେନି ବୋଲି କଟକଣା ଜାରି ହୋଇଛି। ଏହାର ଉଲ୍ଲଂଘନ ହେଲେ ଭୟଙ୍କର ଦଣ୍ଡବିଧାନ ହେବ ବୋଲି କୁହାଯାଇଛି।
ତାଲିବାନର ବିଦ୍ରୋହୀ ନେତାଙ୍କୁ ମୁକ୍ତ କଲା ପାକିସ୍ତାନ
ଦୀର୍ଘ ପାଞ୍ଚ ବର୍ଷ ଧରି ପାକିସ୍ତାନ କାରାଗାରରେ ଥିବା ତାଲିବାନ ନେତା ମୁଲ୍ଲା ମହମ୍ମଦ ରସୁଲଙ୍କୁ ଇମ୍ରାନ ଖାଁ ସରକାର ବୁଧବାର ମୁକ୍ତ କରିଛନ୍ତି। ବେଲୁଚିସ୍ତାନରୁ ଗିରଫ ହୋଇ ୨୦୧୬ରୁ ବନ୍ଦୀ ଥିବା ୫୬ବର୍ଷୀୟ ରସୁଲ ତାଲିବାନର ଏକ ଭିନ୍ନ ଗୋଷ୍ଠୀର ନେତୃତ୍ବ ନେଉଥିଲେ। ସେ ତାଲିବାନ ନେତା ମୁଲ୍ଲା ମହମଦ ମନସୁରଙ୍କୁ ବିରୋଧ କରୁଥିଲେ। ତାଲିବାନ ଏହା ପୂର୍ବରୁ ଆଫଗାନିସ୍ତାନର ବିଭିନ୍ନ କାରାଗାରରୁ ୨୫୦୦ରୁ ଅଧିକ କଏଦୀଙ୍କୁ ମୁକ୍ତ କରିସାରିଛି। ସେ ଆଫଗାନିସ୍ତାନ ସରକାରଙ୍କ ସହ ଶାନ୍ତି କଥାବାର୍ତ୍ତାକୁ ବିରୋଧ କରୁଥିଲେ।



