ନୂଆଦିଲ୍ଲୀ : ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ହେବା ନେଇ ରହିଥିବା ବରିଷ୍ଠତା କ୍ରମରେ ବିଚାରପତି ବିଭି ନାଗରତ୍ନା ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାର ସମ୍ଭାବନା ରହିଛି। ସମ୍ପ୍ରତି କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ବିଚାରପତି ଥିବା ନାଗରତ୍ନାଙ୍କ ନାମକୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ଦେବା ନିମନ୍ତେ ସୁପାରିସ କରାଯାଇଛି। ପ୍ରଧାନ ବିଚାରପତି ଏନଭି ରମଣାଙ୍କ ନେତୃତ୍ବ ସର୍ବୋଚ୍ଚ ନ୍ୟାୟାଳୟର କଲେଜିୟମ୍ ନାଗରତ୍ନାଙ୍କ ସମେତ ୯ଜଣଙ୍କୁ ପଦୋନ୍ନତି ନିମନ୍ତେ ସୁପାରିସ କରିଛନ୍ତି। ଏହି କ୍ରମରେ ନାଗରଥନା ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଲେ ୨୦୨୭ ବେଳକୁ ସେ ପ୍ରଧାନ ବିଚାରପତି ହେବାର ସୌଭାଗ୍ୟ ଲାଭ କରିବେ। ତାଙ୍କର ଏହି ନିଯୁକ୍ତି ଦେଶର ନ୍ୟାୟପାଳିକା ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ ହେବ।
ତେବେ ପ୍ରଧାନ ବିଚାରପତି ଭାବେ ତାଙ୍କର କାର୍ଯ୍ୟକାଳ ମାତ୍ର ଏକମାସ ପାଇଁ ରହିବ। ନାଗରତ୍ନାଙ୍କ ପିତା ଇଏସ୍ ଭେଙ୍କଟରମୈୟା ୧୯୮୯ ଜୁନ୍ରୁ ୧୯୮୯ ଡିସେମ୍ବର ପର୍ଯ୍ୟନ୍ତ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଥିଲେ। ବିଚାରପତି ନାଗରତ୍ନାଙ୍କ ବ୍ୟତୀତ ପଦୋନ୍ନତି ନିମନ୍ତେ ନାମ ସୁପାରିସ୍ ହୋଇଥିବା ବିଚାରପତିମାନେ ହେଲେ ତେଲଙ୍ଗାନା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହିମା କୋହଲି, କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଅଭୟ ଶ୍ରୀନିବାସ ଓକା, ଗୁଜରାଟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିକ୍ରମ ନାଥ, ସିକିମ୍ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜେକେ ମାହେଶ୍ବରୀ, କେରଳ ଉଚ୍ଚ ନ୍ୟାୟାଳୟର ବିଚାରପତି ସିଟି ରବିକୁମାର, ମାଡ୍ରାସ ଉଚ୍ଚ ନ୍ୟାୟାଳୟର ବିଚାରପତି ଏମଏମ୍ ସୁନ୍ଦରେଶ, ଗୁଜରାଟ ଉଚ୍ଚ ନ୍ୟାୟାଳୟର ବେଲା ଏମ୍ ତ୍ରିବେଦୀ ଏବଂ ସର୍ବୋଚ୍ଚ ବରିଷ୍ଠ ଓକିଲ ତଥା ପୂର୍ବତନ ସଲିସିଟର ଜେନେରାଲ ପିଏସ୍ ନରସିଂହ।
ଅନ୍ୟପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ନିଯୁକ୍ତି ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ପ୍ରଧାନ ବିଚାରପତି ଏନଭି ରମଣା କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ବିଚାରପତି ନିଯୁକ୍ତି ଏକ ପବିତ୍ର ପ୍ରକ୍ରିୟା। ଏ ସମ୍ପର୍କରେ କୌଣସି ବିଧିବଦ୍ଧ ଘୋଷଣା ପୂର୍ବରୁ ଏହାର ତଥ୍ୟ ଗଣମାଧ୍ୟମରେ ପ୍ରକାଶ ଦ୍ବାରା ନିଯୁକ୍ତି ପ୍ରକ୍ରିୟା ପ୍ରଭାବିତ ହୋଇଥାଏ। ତେଣୁ ଗଣମାଧ୍ୟମ ଖବର ପ୍ରକାଶ ସମୟରେ ନିଜକୁ ଅଧିକ ଦାୟିତ୍ବସମ୍ପନ୍ନ କରିବା ଦରକାର। ସେ କହିଛନ୍ତି ଯେ ଗଣମାଧ୍ୟମ ପୂର୍ଣ୍ଣ ସ୍ବାଧୀନତା ପାଇଥିବାବେଳେ ବ୍ୟକ୍ତିଗତ ଅଧିକାରକୁ ମଧ୍ୟ ସମ୍ମାନ ଦିଆଯିବା ଦରକାର।
ବି.ଭି ନାଗରତ୍ନା ହୋଇପାରନ୍ତି ପ୍ରଥମ ମହିଳା ପ୍ରଧାନ ବିଚାରପତି
Popular Categories



