www.samajalive.in
Saturday, December 6, 2025
26.1 C
Bhubaneswar

ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ କେବେ? ସେବାରୁ ବଞ୍ଚିତ ରେଳବାଇ ଅଞ୍ଚଳର ବାସିନ୍ଦା

ରାଉରକେଲା : ରାଉରକେଲା ସହରରର ବାଲୁଘାଟରେ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ସ୍ୱରେଜ ଟ୍ରିଟମେଂଟ ପ୍ଲାଂଟ ତିଆରୀ ଚାଲିଛି। ଦୈନକି ୪୦ ଏମଏଲଡି କ୍ଷମତା ବିଶିଷ୍ଟ ଏହି ପ୍ଲାଂଟ କାର୍ଯ୍ୟ ଜାନୁଆରୀ, ୨୦୧୭ରେ ଆରମ୍ଭ ହୋଇଥିଲା। ରାଉରକେଲା ମହାନଗରନିଗମର ବିଭିନ୍ନ ୱାର୍ଡ଼ରେ ସ୍ୱରେଜ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ୨୪୦କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର କାର୍ଯ୍ୟ ଜାନୁଆରୀ ୨୦୨୦ରେ ପୂର୍ଣ୍ଣାଙ୍ଗ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଥିଲା। କିନ୍ତୁ ସମୟ ବିଳମ୍ବିତ ହୋଇଥିବାବେଳେ ଅଦ୍ୟାବଧି ଏହା ପୂର୍ଣ୍ଣାଙ୍ଗ ହୋଇପାରି ନାହିଁ। ମାର୍ଚ୍ଚ ୨୦୨୧ ସୁଦ୍ଧା ଏହା ଶେଷ ହେବ ବୋଲି ବିଭାଗୀୟ ପ୍ରକଳ୍ପ ଯନ୍ତ୍ରୀ ପି.କେ. ଦେ ପ୍ରକାଶ କରିଛନ୍ତି। ତେବେ ଏହା ପୂର୍ବରୁ ଡିସେମ୍ବର ଶେଷବେଳକୁ ସିଭିଲଟାଉସିପର ଆଂଶିକ ଭାଗକୁ ସ୍ୱରେଜ ପାଇପ୍ ସଂଯୋଗ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି। ପରବର୍ତ୍ତି ଅବସ୍ଥାରେ ଛେଣ୍ଡକଲୋନୀ, ବାସନ୍ତୀ କଲୋନୀ ଆଦି ଅଞ୍ଚଳରେ ଏହି ବ୍ୟବସ୍ଥା ତ୍ୱରାନ୍ୱିତ ହେବ।

ଶ୍ରୀ ଦେଙ୍କ କହିବା ଅନୁଯାୟୀ, ବିଭାଗ ପକ୍ଷରୁ ସ୍ୱରେଜ ବ୍ୟବସ୍ଥା ଚୁଡ଼ାନ୍ତ ହେବା ପରେ ସବୁଠାରୁ ବଡ଼ କଥା ହେଉଛି ଗୃହ ସହିତ ଏହାର ସଂଯୋଗ। ଏଥିପାଇଁ ଅଞ୍ଚଳର ବାସିନ୍ଦାଙ୍କୁ ସଚେତନ କରାଯିବା ପାଇଁ ଡାକବାଜି ଯନ୍ତ୍ର  ଓ ପ୍ରଚାରପତ୍ର ବଣ୍ଟନ ଜରିଆରେ ପ୍ରଚାର କରାଯାଉଛି। ଏହି ସଂଯୋଗ ବ୍ୟବସ୍ଥା ନିଃଶୁଳ୍କ ରହିବ ଓ ପାନୀୟ ଜଳ ସଂଯୋଗ ପରି ଏଥିପାଇଁ ଆବଶ୍ୟକ ଟିକସ ଦେବାକୁ ପଡ଼ିବ। ଏହି କାର୍ଯ୍ୟ ନେଇଥିବା ଏଲ ଆଣ୍ଡ ଟି କର୍ତ୍ତୃପକ୍ଷ ୫ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ କରିବେ। ତେବେ ଲୋକଙ୍କ ମଧ୍ୟରେ ସ୍ୱରେଜ ଓ ଏହାର ସଂଯୋଗ ବ୍ୟବସ୍ଥାକୁ ନେଇ ଯେପରି ସଚେତନତା କାର୍ଯ୍ୟକ୍ରମ ହେବା କଥା, ତାହା ହେଉନଥିବା ଆଲୋଚନା ହେଉଛି। ଲୋକେ ଏବିଷୟରେ ସମ୍ପୂର୍ଣ୍ଣ ଅବଗତ ନହେଲେ ପ୍ରକଳ୍ପର ଉଦ୍ଦେଶ୍ୟ ସାଧିତ ହୋଇ ପାରିବ ନାହିଁ ବୋଲି ମତପ୍ରକାଶ ପାଉଛି। ରାଉରକେଲାରେ ସ୍ୱରେଜ ବ୍ୟବସ୍ଥା ପାଇଁ ବହୁ ଦିନରୁ ଥିବା ଦାବି ଏବେ ସାକାରରୂପ ନେବାକୁ ଯାଉଥିବାବେଳେ ପୂର୍ବଭଳି ରେଳବାଇର ପ୍ରତିବନ୍ଧକ ପାଇଁ ବିଭିନ୍ନ ୱାର୍ଡ଼ବାସୀ ଏହି ସେବାରୁ ବଞ୍ଚିତ ହେବେ ବୋଲି ଜଣାପଡ଼ିଛି। ରେଳବାଇ କଲୋନୀରେ ଥିବା ବାସିନ୍ଦାଙ୍କ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରିବ ନାହିଁ। ରେଳବାଇ ନିଜ ଅଞ୍ଚଳରେ କର୍ତ୍ତୃପକ୍ଷଙ୍କୁ ଜାଗା ଦେବା ପାଇଁ ମନା କରି ଦେଇଥିବାରୁ ଏହି ଅବସ୍ଥା ସୃଷ୍ଟି ହୋଇଛି। ପ୍ରକଳ୍ପ ଆରମ୍ଭ ହେବା ପରେପରେ ବିଭାଗ ପକ୍ଷରୁ ଚକ୍ରଧରପୁର ରେଳ ମଣ୍ଡଳ ଓ କଲିକତା ଗାର୍ଡେନ ରିଚରେ ଥିବା ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟକୁ ଏନେଇ ପତ୍ର ଯୋଗାଯୋଗ କରାଯାଇଥିଲା। ଅଢେଇ ବର୍ଷ ପରେ ମଧ୍ୟ ରେଳବାଇ ପକ୍ଷରୁ କିଛି ଉତ୍ତର ଆସିନଥିବାରୁ ସ୍ଥାନୀୟ ରେଳବାଇ କର୍ତ୍ତୃପକ୍ଷ ଏନେଇ କୌଣସି ନିଷ୍ପତ୍ତି ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କେବଳ ଏତିକି ନୁହେଁ ମାଲଗୋଦାମ ଅଞ୍ଚଳରେ ରେଳବାଇର ଆଂଶିକ ଜାଗାରେ ସ୍ୱରେଜ ଲାଇନ ନେବା ପାଇଁ କର୍ତ୍ତୃପକ୍ଷଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ମାଲଗୋଦାମ ଅଞ୍ଚଳରେ ସ୍ୱରେଜ ଲାଇନ୍ ନେବା ପାଇଁ ବିଭାଗକୁ ଦୁଇମାସ ସମୟ ଲାଗିଥିଲା। ରାଉରକେଲା ମହାନଗରନିଗମ ଅଞ୍ଚଳରେ ରେଳବାଇ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅଟକି ଯିବା ଏହା ନୂଆ କଥା ନୁହେଁ। ପୂର୍ବରୁ ରେଳବାଇ କଲୋନୀରେ ରେଳବାଇ ରାସ୍ତା ନିର୍ମାଣ ଜାଗା ବାବଦରେ ପୂର୍ତ୍ତ ବିଭାଗକୁ ୧୦୩ କୋଟି ଟଙ୍କା ମାଗିବା ଚର୍ଚ୍ଚାର ବିଷୟ ହୋଇଥିଲା। ପରେ ଏଥିପାଇଁ ମଝିରେ ଥିବା ରେଳବାଇ ଅଞ୍ଚଳର ରାସ୍ତା ନିର୍ମାଣ ହୋଇ ପାରିନଥିଲା।
କୋଏଲ ନଗର ଓ ବନ୍ଧମୁଣ୍ଡାରେ ସ୍ୱରେଜ ଟ୍ରିଟମେଂଟ ପ୍ଲାଂଟ ଜମି ସମସ୍ୟାକୁ ନେଇ ବନ୍ଦ୍‍ ରହିବା ପରେ ପ୍ରଶାସନ ପକ୍ଷରୁ ପରବର୍ତ୍ତି ଅବସ୍ଥାରେ ଏନେଇ କୌଣସି ପଦକ୍ଷେପ ଆଗକୁ ବଢିନାହିଁ। କୋଏଲନଗରରେ ହେବାକୁ ଥିବା ୮ଏମଲଏଲଡି କ୍ଷମତା ବିଶିଷ୍ଟ ଏସଟିପି-୧ବିସ୍ଥାପିତଙ୍କ ବିରୋଧ ପାଇଁ ବନ୍ଦ୍‍ ହେଲା। ଏହା କାର୍ଯ୍ୟକ୍ଷମ ହୋଇଥିଲେ କୋଏଲନଗର, ଝିରପାଣି, ଜଗଦା, ଶକ୍ତିନଗରର ଜନସାଧାରଣ ଏହି ବହୁ ପ୍ରତିକ୍ଷିତ ସେବା ପାଇପାରିଥାନ୍ତେ। ସେହିପରି ୯ଏମଏଲଡି କ୍ଷମତା ବିଶିଷ୍ଟ ଏସଟିପି-୨ ବନ୍ଧମୁଣ୍ଡାରେ ଆରମ୍ଭ ହେବାର ଥିଲା। କିନ୍ତୁ ରେଳବାଇ କର୍ତ୍ତୃପକ୍ଷ ଜାଗା ଦେବାକୁ ମନା କରିବାରୁ ବନ୍ଧୁମଣ୍ଡା ଅଂଚଳବାସୀ ଏହି ସେବା ପାଇବାରୁ ବଞ୍ଚିତ ହେବେ। ଏହି ପ୍ରକଳ୍ପକୁ ଆରମ୍ଭ କରିବା ପାଇଁ ବିସ୍ଥାପିତଙ୍କ ସହିତ ଆଲୋଚନା ହେଉ ଅଥବା ରେଳବାଇ କର୍ତ୍ତୃପକ୍ଷଙ୍କ ସହିତ ଉଚ୍ଚପ୍ରଶାସନିକ ସ୍ତରରେ ଆଲୋଚନା ପାଇଁ ରାଜ୍ୟ ସରକାର କାର୍ଯ୍ୟକ୍ରମ ଗ୍ରହଣ କରିବା ଉପରେ ସାଧାରଣରେ ପ୍ରଶ୍ନ କରାଯାଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories