ନୂଆଦିଲ୍ଲୀ : ରାମମନ୍ଦିର ନିର୍ମାଣକୁ ନେଇ ଉତ୍ତରପ୍ରଦେଶ ବଜେପି ବିଧାୟକ ସୁରେନ୍ଦ୍ର ସିଂହ ଗୁରୁବାର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାମ ମନ୍ଦିର ନିର୍ମାଣ ନହେଲେ ୧୯୯୨ ଘଟଣାର ପୁନରାବୃର୍ତ୍ତି ଘଟିବ । ତେଣୁ ଆଇନକୁ ଖାତିର ନ କରି ରାମମନ୍ଦିର ନିର୍ମାଣ କରିବା ଦରକାର ବୋଲି ଆରଏସଏସ, ହିନ୍ଦୁ ଯୁବ ବାହିନୀ ଓ ବଜରଙ୍ଗ ଦଳ ପକ୍ଷରୁ ଆୟୋଜିତ ଏକ ଶୋଭାଯାତ୍ରାରେ ଯୋଗଦେଇ ସେ କହିଛନ୍ତି ।
ସେ ଏହି ଅବସରରେ କହିଥିଲେ ଯେ ପ୍ରଭୁ ରାମଙ୍କ ଜନ୍ମ ଅଯୋଧ୍ୟାରେ ହୋଇଥିଲା ଓ ବାବାର ରାମ ମନ୍ଦିରକୁ ଭାଙ୍ଗି ସେଠାରେ ମସଜିଦ୍ ନିର୍ମାଣ କରିଥିବା ଇତିହାସ ଶାଖି ରହିଛି। ତେଣୁ ଯେ କୌଣସି ବାଟରେ ରାମ ମନ୍ଦିର ନିର୍ମାଣ ହେବା ଦରକାର। କଂଗ୍ରେସ, ସମାଜବାଦୀ ପାର୍ଟୀ, ବିଏସପି ଆଦି ରାଜନୈତିକ ଦଳ ନିର୍ମାଣ କାର୍ଯ୍ୟରେ ବାଧାସୃଷ୍ଟି କଲେ ମଧ୍ୟ ରାମମନ୍ଦିର ନିର୍ମାଣ ହେବା ଧାର୍ଯ୍ୟ। ନଭେମ୍ବର ୨୪ରେ ଉତ୍ସର୍ଗ ଏକ୍ସପ୍ରେସ ଦ୍ୱାରା ଅଯୋଧ୍ୟା ଯିବା ପାଇଁ ସେ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ନଭେମ୍ବର ୨୫ରେ ଅଯୋଧ୍ୟାରେ ହିନ୍ଦୁଙ୍କ ଏକ ଧାର୍ମିକ ସଭା ଆୟୋଜିତ ହେଉଛି। ଏହି ଧାର୍ମିକ ସଭାରେ ଯୋଗ ଦେବା ପାଇଁ ସେ ହିନ୍ଦୁଙ୍କୁ ଆହ୍ୱାନ ଦେଇଛନ୍ତି।



