ଦିନେ ଇଣ୍ଟରଭିୟୁରେ ଫେଲ୍ ହୋଇ ସାର୍ଟିଫିକେଟ୍ ଜଳାଇଥିଲେ, ତିଆରି କରିଛନ୍ତି କୋଟି କୋଟି ଟଙ୍କାର କମ୍ପାନୀ..
ନୂଆଦିଲ୍ଲୀ : କୁହାଯାଏ,କିଛି ଭିନ୍ନ କରିବାର ଇଚ୍ଛା ଓ ଲକ୍ଷ୍ୟ ଯଦି ମନୁଷ୍ୟ ଭିତରେ ରହେ,ତେବେ ସଫଳତା ପାଇବା ଅସମ୍ଭବ ନୁହେଁ। ଏଭଳି ହିଁ ଏକ ଘଟଣା ବିହାରର ଜଣେ ବାସିନ୍ଦାଙ୍କର। ତାଙ୍କ ନାମ ଦିଲ୍ଖୁସ୍। ସେ ମାଟ୍ରିକ ପାସ୍ କରିବା ପରେ ଚାକିରି ପାଇଁ ଅନେକ ଇଣ୍ଟରଭିୟୁ ଦେଇଥିଲେ। ଏହାପରେ ଏଥିରେ ଫେଲ୍ ହେବା ପରେ ନିଜର ସାର୍ଟିଫିକେଟ୍ ଜଳାଇ ଦେଇଥିଲେ। ସେ କିଛି ଭିନ୍ନ କରିବେ ବୋଲି ଚିନ୍ତା କରିଥିଲେ। ଦିଲ୍ଖୁସ୍ ଏହାପରେ ୟୁଟୁବ୍ରୁ କୋଡିଙ୍ଗ୍ ଶିଖି ନିଜର ଏକ କ୍ୟାବ୍ ସର୍ଭିସ୍ କମ୍ପାନୀ ତିଆରି କରିଥିଲେ। ବର୍ତ୍ତମାନ ତାଙ୍କର ଏହି କମ୍ପାନୀ ରୋଡ୍ବେଜ୍କୁ ଶାର୍କର ସହଯୋଗ ମିଳିଛି।
ଭାରତର ଚର୍ଚ୍ଚିତ ବ୍ୟବସାୟ ଶୋ ଶାର୍କ ଟ୍ୟାଙ୍କ ସିଜିନ୍- ୩ୟ ଏପିସୋଡ୍ରେ ବିହାର ବାସିନ୍ଦା ଦିଲ୍ଖୁସ୍ ଯୋଗ ଦେଇଥିଲେ। ଦିଲ୍ଖୁସ୍ ରୋଡ୍ବେଜ୍ କମ୍ପାନୀ ଚଲାଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାଟ୍ରିକ୍ ପାସ୍ କରିଥିବା ଦିଲ୍ଖୁସ୍ କମ୍ପାନୀ ଆରମ୍ଭ କରିବା ପୂର୍ବରୁ ଏଥିପାଇଁ କୌଣସି ସ୍ୱତନ୍ତ୍ର ତାଲିମ ନନେଇ ନିଜେ ୟୁଟୁବ୍ରୁ କୋଡିଙ୍ଗ୍ ଶିଖି ଏହି କ୍ୟାବ୍ ସର୍ଭିସ ଆପ୍କୁ ତିଆରି କରିଥିଲେ। ଏହା ଜାଣିବା ପରେ ଶାର୍କ ଟ୍ୟାଙ୍କର ଜଜ ପ୍ରଭାବିତ ହୋଇ ତାଙ୍କ କମ୍ପାନୀରେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି।
ଶାର୍କ ଟ୍ୟାଙ୍କ ଇଣ୍ଡିଆ ଶୋ ଜଜ ଅମନ ଗୁପ୍ତା ଏହି କ୍ୟାବ ସର୍ଭିସ ପ୍ଲାଣ୍ଟଫର୍ମର ବେଶ ପ୍ରଶଂସା କରିଛନ୍ତି। ଦିଲ୍ଖୁସ୍ କହିଛନ୍ତି, ଆପଣ ଯେଉଁକାମ ସମ୍ପୂର୍ଣ୍ଣ ମାଗଣାରେ କରିଛନ୍ତି,ସେହି କାମକୁ କରିବା ପାଇଁ ଓଲା ଓ ଉବେର ଭଳି କମ୍ପାନୀ ଗୁଡିକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ଏହାମଧ୍ୟରେ ଅନ୍ୟ ଜଜ ରିତେଶ ଅଗ୍ରୱାଲ ଓ ନମିତା ଥାପର ନିଜର କମ୍ପାନୀ ରୋଡବେଜ୍କୁ ୨୦ ଲକ୍ଷ ଟଙ୍କା ଦେଇଛନ୍ତି ଏହାସହ ୩୦ ଲକ୍ଷ ଟଙ୍କା ୫ ପ୍ରତିଶତ ସୁଧରେ ବିନିଯୋଗ କରିଛନ୍ତି। ଏହାପରେ ଦିଲ୍ଖୁସ୍ଙ୍କ ଏହି କମ୍ପାନୀ ରୋଡ୍ବେଜର ମୂଲ୍ୟ ବଢି ୪ କୋଟି ଟଙ୍କା ହୋଇ ସାରିଛି।
କମ୍ପାନୀର ନାମ ପଛରେ ଅନେକ ରୋଚକ କାହାଣୀ ରହିଛି। ଦିଲ୍ଖୁସ୍ଙ୍କ ବାପା ବିହାର ରୋଡ୍ବେଜ୍ରେ କାମ କରୁଥିଲେ। ଏଥିରେ ପ୍ରେରିତ ହୋଇ ସେ ନିଜ କମ୍ପାନୀର ନାମ ରୋଡ୍ବେଜ୍ ରଖିଥିଲେ। ଦିଲ୍ଖୁସ୍ ଯେବେ ମାଟ୍ରିକ ପାସ୍ କରିଥିଲେ, ପରେ ଏକ କମ୍ପାନୀରେ ଚାକିରି ପାଇଁ ଇଣ୍ଟରଭିୟୁ ଦେଇଥିଲେ। ଏଥିରେ ଫେଲ୍ ହେବା ପରେ ନିଜେ କିଛି କରିବା ପାଇଁ ଚିନ୍ତା କରି ନିଜ ବାପାଙ୍କ ଠାରୁ ଡ୍ରାଇଭିଂ ଶିଖିଥିଲେ। ଏହାପରେ ଏକ କମ୍ପାନୀରେ କାମ କରିବା ପରେ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ଆଗକୁ ବଢିଥିଲେ।
ଦିଲ୍ଖୁସ୍ ନିଜର ଜମାପୁଞ୍ଜିକୁ ନେଇ ୨୦୧୬ରେ ନିଜ କମ୍ପାନୀ ଆରମ୍ଭ କରିଥିଲେ। ଅନେକ ସଫ୍ଟଓୟାର ଇଞ୍ଜିନିୟରଙ୍କୁ ନିଜ କମ୍ପାନୀରେ କାମ କରିବା ପାଇଁ ସୁଯୋଗ ଦେଇଥିଲେ। ଏହାପରେ ୨୦୨୧ରେ ଏହି କମ୍ପାନୀକୁ ଛାଡି ଅଲଗା କିଛି କରିବାକୁ ଚିନ୍ତା କରିଥିଲେ। ଏହାପରେ ଜୁଲାଇ ୨୦୨୨ରେ ବିହାର ରାଜଧାନୀ ପାଟନାକୁ ପ୍ରତ୍ୟେକ ସହ ଓ ଗାଁ ସହର ଯୋଡି ରଖିବା ପାଇଁ ସେ ରୋଡ୍ବେଜ୍ ନାମରେ ଏକ କ୍ୟାବ୍ ସର୍ଭିସ ଆପ୍ର ଶୁଭାରମ୍ଭ କରିଥିଲେ।
ଏହି ଆପ୍ ମାଧ୍ୟମରେ ଚାଳକ ନିଜର ରାସ୍ତା ଓ ଯାତ୍ରୀ ନିଜର ଗନ୍ତବ୍ୟସ୍ଥଳ ଦେଇଥାଆନ୍ତି। ଅର୍ଥାତ୍ ଯେଉଁ ଆଡକୁ ଚାଳକ ଯାଉଛି, ସେହି ଆଡକୁ ଯାତ୍ରୀ ମଧ୍ୟ ଯିବାକୁ ଚାହଁଛି। ଗୋଟିଏ ସ୍ଥାନରେ ଏହି ଯାତ୍ରା ଶେଷ ହେବ। ଏହାଦ୍ୱାରା ଏକ ବିଶେଷ ଲାଭ ହୋଇଥାଏ। ତାହା ହେଉଛି ଯାତ୍ରୀଙ୍କୁ ଯିବାଆସିବା ୨ଟିର ନୁହେଁ ବରଂ ଗୋଟିଏର ଟଙ୍କା ଦେବାକୁ ପଡିଥାଏ। ସେହିପରି ଚାଳକକୁ ମଧ୍ୟ ଆସିବା ସମୟରେ ଖାଲି ଗାଡି ଆଣିବାକୁ ପଡିବ ନାହିଁ।
ବର୍ତ୍ତମାନ ରୋଡ୍ବେଜରେ ୨୦ଟି ଟ୍ୟାକ୍ସି ରହିଛି। ଯାହାକୁ ପ୍ରତ୍ୟେକ ମାସରେ ୪୫,୦୦୦ ଟଙ୍କା ଦିଆଯାଉଛି। ଦିଲ୍ଖୁସ୍ଙ୍କର ସ୍ୱପ୍ନ ଏହି ୨୦ ଟ୍ୟାକ୍ସି ବୃଦ୍ଧି ହୋଇ ୨୦୦ରେ ପହଞ୍ଚୁ। ଏହି ଆପ୍ର ଏକ ବିଶେଷ କଥା ହେଉଛି ଯେଉଁ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ତାଙ୍କ ଦ୍ୱାରା ବୁକ୍ ହୋଇଥିବା କ୍ୟାବ୍ ନମିଳିଛି ସେପର୍ଯ୍ୟନ୍ତ କମ୍ପାନୀର କର୍ମଚାରୀ ତାଙ୍କ ସହ ଯୋଗାଯୋଗ ରଖିବ। ବର୍ତ୍ତମାନ ତାଙ୍କ କାମକୁ ଶାର୍କ ଟ୍ୟାଙ୍କ ଇଣ୍ଡିଆ ସହଯୋଗ କରିବା ସହ ବ୍ୟବସାୟ ବିସ୍ତାର ପାଇଁ ଆର୍ଥିକ ରୂପେ ସାହାଯ୍ୟ କରିଛି।
Comments are closed.