ବରକୁ ମିଳିଛି ଏକ କୋଟି,୧.୨୫ କେଜି ସୁନା : ବିବାହ ସମାରୋହରେ ପଢାଗଲା ଯୌତୁକ ତାଲିକା..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏକ ବିବାହର ଭିଡିଓ ଏବେ ଖୁବ ଭାଇରାଲ୍‌‌ ହେଉଛି। ଏହି ବିବାହରେ ଜ୍ୱାଇଁକୁ ୧.୨୫ କେଜି ସୁନା,ମର୍ସଡିଜ୍‌‌ କାର ଓ ୧ କୋଟି ନଗଦ ଟଙ୍କା ଦିଆଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଦେଶରେ ଯୌତୁକ ପ୍ରଥା ବନ୍ଦ କରିବାକୁ ଅନେକ ଅଭିଯାନ କରାଯାଉଛି। ଯୌତୁକ ପ୍ରଥା ସହ ଜଡିତ ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ତେବେ ନୋଏଡାର ଏକ ଘଟଣା ଏବେ ଖୁବ ଭାଇରାଲ୍‌‌ ହେଉଛି। ନୋଏଡାରେ ହେଉଥିବା ଏକ ବିବାହ ସମାରୋହରେ କନ୍ୟାର ପରିବାର ବର ପକ୍ଷଙ୍କୁ ଟଙ୍କା,ଗାଡି ସହ ଅନେକ ଜିନିଷ ଦେଇଛନ୍ତି। ଏହାସହ ଯୌତୁକରେ କ’ଣ କ’ଣ ଜିନିଷ ଦେଇଛନ୍ତି ତାହାର ଏକ ତାଲିକା ଜଣେ ବ୍ୟକ୍ତି ଠିଆ ହୋଇ କହୁଛନ୍ତି।
ବ୍ୟକ୍ତି ଜଣକ ଜିନିଷ ତାଲିକାରେ ମର୍ସଡିଜ୍‌‌ କାର, ବିଭିନ୍ନ ଫର୍ଣ୍ଣିଚର, ୧.୨୫ କେଜିରୁ ଅଧିକ ସୁନା, ୭ କେଜି ଚାନ୍ଦି ଦିଆଯାଇଥିବା କଥା କହିଛନ୍ତି। କେବଳ ଏତିକି ନୁହେଁ, ନଗଦ କୋଟିଏ ଟଙ୍କା ମଧ୍ୟ ଦିଆଯାଇଛି। ଭିଡିଓଟି ଭାଇରାଲ ହେବା ପରେ ଏହା ବିରୁଦ୍ଧରେ ଅନେକ ଲୋକେ ପ୍ରଶ୍ନ ଉଠାଇଛନ୍ତି। କିଛି ଲୋକେ ପୁଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି।
ସେହିପରି ଗ୍ରେଟର ନୋଏଡାରେ ବରର ମାଆ ଯୌତୁକରେ ଫଚ୍ୟୁନର ଗାଡି ସହ ଅନ୍ୟାନ୍ୟ ଜିନିଷ ଦାବି କରିବାରୁ ଏକ ବିବାହ ଭାଙ୍ଗି ଯାଇଥିଲା। ବିବାହରେ ଏକ ସପ୍ତାହ ପୂର୍ବରୁ ବରର ମାଆ ଏହି ଗାଡି ମାଗିଥିଲେ। କନ୍ୟା ପକ୍ଷ ବର, ତାଙ୍କ ମାତା ପିତା,ଭଉଣୀ,ଭିଣେଇଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ପରିବାର ଲୋକେ ପୁଲିସ ଆଗରେ କହିଥିଲେ, ତାଙ୍କ ଝିଅର ବିବାହ ସ୍ଥିର ହେବା ପରେ ମୁଦି ପିନ୍ଧା କାର୍ଯ୍ୟ ଶେଷ ହୋଇଥିଲା। ଏଥିରେ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥିଲା। ଏହାପରେ ଫେବ୍ରୁଆରୀ ୧୪ରେ ବିବାହ ସ୍ଥିର ହୋଇଥିଲା। ମାତ୍ର ବର ପକ୍ଷ ଠିକ୍‌‌ ଏକ ସପ୍ତାହ ପୂର୍ବରୁ ଯୌତୁକରେ ଅନେକ ଜିନିଷ ସହ ଫଚ୍ୟୁନର ଗାଡି ଦାବି କରିଥିଲେ। ଫଳରେ କନ୍ୟା ପକ୍ଷ ଅରାଜି ହେବାରୁ ବିବାହ ଭାଙ୍ଗି ଯାଇଥିଲା। ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

 

Comments are closed.