ଧର୍ମ ଏକ ବ୍ୟକ୍ତିଗତ ମାନ୍ୟତା ଓ ଭକ୍ତି ସଂପୂର୍ଣ୍ଣଭାବେ ଏକ ମାନସିକ ଅବସ୍ଥା। ଏ ସମ୍ବନ୍ଧରେ ମଣିଷ ସିଦ୍ଧାନ୍ତ ଗ୍ରହଣ କରିବାକୁ ସଂପୂର୍ଣ୍ଣ ସ୍ୱାଧୀନ। ସେ ଧର୍ମକୁ ମାନିବ କି ନାହିଁ, ଯଦି ଧର୍ମକୁ ମାନିବ ତେବେ ଈଶ୍ୱରଙ୍କୁ କେଉଁ ରୂପରେ ପୂଜା କରିବ, ଏସବୁ ବ୍ୟାପାରରେ ବାହାର ବ୍ୟକ୍ତିଙ୍କ ପରାମର୍ଶ ଓ ପ୍ରଭାବ ସଂପୂର୍ଣ୍ଣ ଅନାବଶ୍ୟକ। ମାତ୍ର ଏବେ ଦେଖାଯାଉଛି ଧର୍ମ ହିଁ ସବୁଠାରୁ ଅଧିକ ପ୍ରଚାରିତ ହେଉଛି ଆଉ ଧର୍ମକ୍ଷେତ୍ରରେ ମଣିଷକୁ ଅଧିକ ପରାମର୍ଶ ପ୍ରଦାନ କରାଯାଉଛି। ଆଉ ଏଇ ଧର୍ମର ପ୍ରଚାର ଓ ପ୍ରସାର ଲାଗି ମଣିଷ ସାହାଯ୍ୟ ନେଉଛି ପ୍ରଯୁକ୍ତିର।
ଗୌତମବୁଦ୍ଧ, ମହାବୀର ଜୀନ, ଆଚାର୍ଯ୍ୟ ଶଙ୍କର ଯେତେବେଳେ ଧର୍ମପ୍ରଚାର କରୁଥିଲେ ସେତେବେଳେ ସେମାନେ ସାରା ଦେଶ ପାଦରେ ଚାଲିଚାଲି ବୁଲୁଥିଲେ। ଏହିସବୁ ମହାତ୍ମା ଯେଉଁ ଅଞ୍ଚଳକୁ ଯାଉଥିଲେ ସେଠାରେ ସେମାନଙ୍କ ପ୍ରଚାର ସଭାରେ ହାତଗଣତି ଜନତା ଏକତ୍ର ହେଉଥିଲେ। ଆଜି ସମୟ ବଦଳିଯାଇଛି। ଆଜି ଧର୍ମର ପ୍ରଚାର କରିବାକୁ ନିଜର ମତ ଓ ବିଚାରକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ଆଉ ପ୍ରବଚକଙ୍କୁ ବୁଲିବାକୁ ପଡ଼ୁନି। ଏକ ନିର୍ଦିଷ୍ଟ ସ୍ଥାନରେ ଦିଆଯାଉଥିବା ପ୍ରବଚନ ସମଗ୍ର ପୃଥିବୀରେ ଅତି ସହଜରେ ପ୍ରଚାରିତ ହୋଇପାରୁଛି। ଏବେ କୌଣସି ସିଦ୍ଧାନ୍ତ ବା ମତ ଲୋକଙ୍କୁ ଆକର୍ଷିତ କରୁନି ବରଂ ଯନ୍ତ୍ରଦ୍ୱାରା ଲୋକଙ୍କୁ ଆକର୍ଷିତ କରାଯାଉଛି। ଏହି ଧାରାରେ ସ୍ମାର୍ଟଫୋନ ଯୋଡ଼ିହୋଇଯିବା ପରେ ଧର୍ମ, ବିଶ୍ୱାସ, ଭକ୍ତି ସବୁକିଛି ଏବେ ଯାନ୍ତ୍ରିକ ହୋଇପଡ଼ିଛି।
ଆଜି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ। ଏହି ଅଦ୍ଭୁତ ଯନ୍ତ୍ରଟି ମଣିଷ ଦେହର ଏକ ଅବିଚ୍ଛିନ୍ନ ଅଙ୍ଗଭଳି ଲାଗୁଛି। କୌଣସି ମୁହୂର୍ତ୍ତରେ ବି ସେ ଏଥିରୁ ନିଜକୁ ବିଚ୍ଛିନ୍ନ କରିପାରୁନି। ପ୍ରଚାରପ୍ରିୟ ମଣିଷକୁ ଏଥିରେ ସହଯୋଗ କରିଛି ସାମାଜିକ ଗଣମାଧ୍ୟମ। ପ୍ରତିମୁହୂର୍ତ୍ତରେ ସେ କ’ଣ କରୁଛି ତାହା ଲୋକଙ୍କୁ ଜଣାଇବାକୁ ବ୍ୟାକୁଳ। ଏଥିରେ ପରିବେଶ ପରିସ୍ଥିତିର ବାଛବିଚାର ରହୁନି। ପିତାମାତାଙ୍କ ବିୟୋଗରେ ଶୋକର ଅଧୀର ହେବା ସମୟରେ ମଧ୍ୟ ସେ ସ୍ମାର୍ଟଫୋନ୍ରେ ନିଜର ଷ୍ଟାଟସ ଅପ୍ଡ଼େଟ କରିବାକୁ ଭୁଲୁନି ‘ମୋ ବାପା ବା ମାଆ ଏବେ ମତେ ଛାଡ଼ି ଚାଲିଗଲେ!’ ଜଟିଳ ରୋଗରେ ପୀଡ଼ିତ ହୋଇ ଜୀବନମରଣ ସହ ଲଢୁଥିବା ଲୋକଟି ଯଦି ସଚେତ ଥାଏ ତେବେ ଏକଥା ନିଜର ସାମାଜିକ ଗଣମାଧ୍ୟମରେ ଲେଖିବାକୁ ଭୁଲୁନି ‘ଅମୁକ ରୋଗରେ ପୀଡ଼ିତ ହୋଇ ଆଇସିୟୁକୁ ପଶିଲି..’। ଦୁର୍ଘଟଣା ହୋଇଥିବା ସ୍ଥାନରେ ବା ସେହିଭଳି କୌଣସି ଅତି ଗୁରୁତର ସ୍ଥିତିରେ ପରିସ୍ଥିତିକୁ ସମ୍ଭାଳିବା ଅପେକ୍ଷା ସେଲ୍ଫି ବା ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପ୍ରଥମେ ଛାଡ଼ିବାର ପ୍ରତିଯୋଗିତା ଦେଖାଯାଉଛି। ଲାଗୁଛି ନିରବଚ୍ଛିନ୍ନ ପ୍ରଗତିରେ ନିଜକୁ ସର୍ବାଧୁନିକ ବୋଲାଉଥିବା ମଣିଷ ସତେ ଯେମିତି ଏକୁଟିଆ ହୋଇଯାଇଛି। ଆଉ ନିଜର ଏକଲାପଣର ଅସହାୟତାକୁ ଲୁଚାଇବାକୁ ସ୍ମାର୍ଟଫୋନ୍ର ସାହାରା ନେଉଛି !
ତେବେ ଏସବୁ ଭିତରେ ମଣିଷ ଈଶ୍ୱର ଉପାସନାରେ ଯେେତବେଳେ ସ୍ମାର୍ଟଫୋନ୍କୁ ସାମିଲ କରୁଛି ତାହା ବଡ଼ ବିଚିତ୍ର ବୋଧ ହେଉଛି। ଭାରତର ପ୍ରାଚୀନ ମନ୍ଦିରଗୁଡ଼ିକ ଭିତରକୁ ସ୍ମାର୍ଟଫୋନ ନେବାରେ କଟକଣା ରହିଛି। ଆମ ପୁରାତନ ବା ଅତି ପ୍ରାଚୀନ କଳା, ସଂସ୍କୃତିର ସୁରକ୍ଷା ଏହାର ଉଦ୍ଦେଶ୍ୟ। ଏହାସେତ୍ତ୍ବ ବି ଯେଉଁଠି କିଏ ଟିକେ ସୁଯୋଗ ପାଉଛି ସେସବୁ ମନ୍ଦିର ଭିତରର ଫଟୋକୁ ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିବାକୁ ପଛାଉ ନାହିଁ। ଉଦାହରଣ ସ୍ୱରୂପ ଆମର ପୁରୀ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବାକୁ କଟକଣା ରହିଥିଲେ ବି ବିଭିନ୍ନ ସମୟରେ ଗର୍ଭଗୃହର ଫଟୋ, ଠାକୁରଙ୍କ ଫଟୋ, ମନ୍ଦିର ଭିତରର ଫଟୋ ପ୍ରଘଟ ହେଉଛି।
ମନ୍ଦିର ଯିବା ସମୟରେ ଠାକୁରଙ୍କୁ ଦର୍ଶନ କରିବାକୁ ଗଲେ ଏମିତିକି ନିଜ ଘରେ ଈଶ୍ୱର ଉପାସନା ବେଳେ ବି ଆମ ପାଖରୁ ସ୍ମାର୍ଟଫୋନ ଦୂରକୁ ଯାଉନି। ଯେଉଁ ମନ୍ଦିରଗୁଡ଼ିକରେ ସ୍ମାର୍ଟଫୋନ ଲାଗି ଅନୁମତି ରହିଛି ସେଠାରେ ଲୋକେ ଆଜିକାଲି ପ୍ରଭୁଙ୍କ ଶ୍ରୀବିଗ୍ରହକୁ ପ୍ରଣାମ କମ୍ କରୁଛନ୍ତି, ଫଟୋ ଅଧିକ ଉଠାଉଛନ୍ତି। ଆଳତି ସମୟରେ ଠାକୁରଙ୍କ ମନ୍ଦିରର କବାଟ ବନ୍ଦଥାଏ। ଭକ୍ତମାନେ ବାହାରେ ପ୍ରତୀକ୍ଷା କରିଥାନ୍ତି ଆଳତି ପରେ ପ୍ରଭୁଙ୍କର ପ୍ରଥମ ଦର୍ଶନ କରିବେ ବୋଲି। କବାଟ ଖୋଲିବାମାତ୍ରେ ଭକ୍ତଙ୍କ ହାତଉପରକୁ ଉଠେ ନିଜକୁ ସମର୍ପଣ କରିଦେବା ଲାଗି। ଆଜିକାଲି ମନ୍ଦିରଗୁଡ଼ିକରେ ଆଳତିପରେ ଭକ୍ତଙ୍କ ହାତ ଉଠୁଛି- ମାତ୍ର ସମର୍ପଣ ଲାଗି ନୁହେଁ, ସ୍ମାର୍ଟଫୋନ୍ରେ ଆଳତି ପରର ଦୃଶ୍ୟ ଫଟୋଟି ନେବାଲାଗି। କେହି କେହି ତ ପୂଜା ସମୟର ଦୃଶ୍ୟକୁ ସିଧାସଳଖ ‘ଲାଇଭ୍’ କରିବାକୁ ଭଲପାଉଛନ୍ତି। ଈଶ୍ୱରଙ୍କ ଦର୍ଶନ ସମୟରେ ତାଙ୍କର ସୁନ୍ଦର ମୂର୍ତ୍ତିର ଛବିକୁ ମନର ପରଦାରେ ଆଙ୍କିଦେବା ହିଁ ବାସ୍ତବ ଈଶ୍ୱରାନୁରାଗ। ଭକ୍ତ ଦାସିଆ ଏଇଆ କରିଥିଲେ।
ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖି ଘରକୁ ଫେରିବା ପରେ ମଧ୍ୟ ତାଙ୍କର ମନର ପରଦାରେ ପ୍ରଭୁ ଜଗନ୍ନାଥଙ୍କ ଛବି ରହିଯାଇଥିଲା। ସେଇଥିଲାଗି ପତ୍ନୀ ବାଢିଦେଇଥିବା ପେଜ କଂସାରେ ସେ ମହାପ୍ରଭୁଙ୍କ ଦର୍ଶନ କରିପାରିଥିଲେ। ଏହାହିଁ ଥିଲା ଅନନ୍ୟ ଈଶ୍ୱର ଭକ୍ତି। ସ୍ମାର୍ଟଫୋନ୍ରେ ଫଟୋ ଉଠାଇ ନିଜଘରେ ଚା’ ପକୁଡ଼ି ସହ ଠାକୁରଙ୍କ ଫଟୋ ଦେଖୁଥିବା ବେଳେ ଏ ଭକ୍ତିର ଅନୁଭବ ହେବା ଅସମ୍ଭବ।
ଘରେ ନିଜର ପିଲାମାନଙ୍କର ସତ୍ୟନାରାୟଣ ପୂଜା, ଏକୋଇଶା, ବ୍ରତ, ବିବାହ ଆଦିରେ ଆଜିକାଲି ପୂଜାବିଧି କମ୍ ହେଉଛି; ଫଟୋ ଅଧିକ ଉଠାଯାଉଛି। ସତ୍ୟନାରାୟଣ ପୂଜା ‘ଲାଇଭ୍’ କରାଯାଉଛି। ଈଶ୍ୱରଙ୍କ ଆଶୀର୍ବାଦ ଅପେକ୍ଷା ତାଙ୍କର ପ୍ରଚାର ପ୍ରସାର ସହିତ ‘ଆମେ ପୂଜା କରୁଛୁ’ର ପ୍ରଚାର ବର୍ତ୍ତମାନ ପ୍ରାଧାନ୍ୟ ପାଇଛି। ବିବାହ, ବ୍ରତ ଆଦି କାର୍ଯ୍ୟକ୍ରମରେ ବୈଦିକ ପରମ୍ପରା ରକ୍ଷାକୁ ଯେତେ ଗୁରୁତ୍ୱ ଦିଆଯାଉନି, ତା’ଠାରୁ ଅଧିକ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ତତ୍କାଳ ଛାଡ଼ିବାକୁ ପ୍ରାଧାନ୍ୟ ଦିଆଯାଉଛି। ଏସବୁ ଆମର ଯାନ୍ତ୍ରିକ ଭକ୍ତିର ନିଦର୍ଶନ।
ଠାକୁରଙ୍କୁ ପୂଜା କରିବା, ଭକ୍ତି କରିବା ତଥା ଆଧ୍ୟାତ୍ମିକ ଉନ୍ନତି ଲାଗି ଉପାସନା କରିବା ସଂପୂର୍ଣ୍ଣ ବ୍ୟକ୍ତିଗତ ବ୍ୟାପାର। ଏସବୁ ନକଲେ କୌଣସି ଅସୁବିଧା ନାହିଁ। ଈଶ୍ୱର ଆଦୌ ବିରକ୍ତ ହେବେ ନାହିଁ। ସାମାଜିକ ଶୃଙ୍ଖଳା ତଥା ଏକ ସୁନ୍ଦର ସମାଜ ଗଠନ ଲାଗି ଧର୍ମକୁ ଆମ ଜୀବନ ସହିତ କାହିଁକେତେ କାଳୁ ଯୋଡ଼ି ଦିଆଯାଇଛି। ଆଉ ଆମର ପରମ୍ପରାରେ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ଏତେ ସୁନ୍ଦରଭାବେ କରାଯିବାର ବିଧି ରହିଛି ଯେ ତାହା ମଣିଷକୁ ଏକ ଆନନ୍ଦମୟ ପରିବେଶ ଭିତରକୁ ନେଇଯାଇଥାଏ ଓ ଅପୂର୍ବ ମାନସିକ ଶାନ୍ତି ପ୍ରଦାନ କରେ। ତା’ ଭିତରେ ଏକ ଅନନ୍ୟ ଈଶ୍ୱର ଭକ୍ତି ଆପଣା ଛାଏଁ ଉଦୟ ହୋଇଥାଏ; ମାତ୍ର ଆଜିର ସ୍ମାର୍ଟଫୋନ ଯୁଗରେ ଆଧ୍ୟାତ୍ମିକ ପରମ୍ପରା, ଚଳଣିକୁ ଫଟୋଉଠା, ସିଧାପ୍ରସାରଣ ନିଶାରେ ଏଭଳି ବିକୃତ କରାଯାଉଛି ଯେ ‘ଈଶ୍ୱର ଭକ୍ତି’ ରୂପକ ଅମୂଲ୍ୟ ଉପଲବ୍ଧିଟି ତା ଭିତରେ ସମାଧି ଲାଭ କରୁଛି। ସମସ୍ତେ ଏ ବିଷୟରେ ଭାବିବା ଦରକାର।


