ବୈଶ୍ବିକ ବିଭବ ନୂଆଁଖାଇ

ମନୋଜ ମେହେର

କୌଣସି ଏକ ପରମ୍ପରା, ଧର୍ମଧାରା ବା ପର୍ବପର୍ବାଣି ଅଧିକ ଲୋକାଦୃତି ହେବା ସହ ନୂତନ ମୂଲ୍ୟବୋଧ ସୃଷ୍ଟିକରେ ଯେତେବେଳେ ତା’ର ଅନ୍ତର୍ନିହିତ ଗୁଣାବଳୀଗୁଡ଼ିକ ଯୁଯୋପଯୋଗୀ, ବିଜ୍ଞାନସମ୍ମତ ଏବଂ ବିଶ୍ବକଲ୍ୟାମୁଖୀ ହୁଏ; ପରିବର୍ତ୍ତିତ ପରିସ୍ଥିତିରେ ତାହା ସମୟର ସବୁପ୍ରକାର କ୍ରୂର ପ୍ରହାରକୁ ସହ୍ୟ କରିବାର ସାମର୍ଥ୍ୟ ରଖେ ଏବଂ ସମସ୍ତ କଷଟିରେ ଉତ୍ତୀର୍ଣ୍ଣ ହୁଏ। ଏହି ପୁରୋଦୃଷ୍ଟିରୁ ଓଡ଼ିଶାର ପଶ୍ଚିମାଞ୍ଚଳରେ ପାଳିତ ହେଉଥିବା ମହାନ ଗଣପର୍ବ ନୂଆଁଖାଇ ଏହାର ଏକ ଦେଦୀପ୍ୟମାନ ଦୃଷ୍ଟାନ୍ତ।
ପଶ୍ଚିମ ଓଡ଼ିଶାର ପରମ୍ପରା ଓ ଐତିହ୍ୟର ଧାରା ବିଶେଷତଃ କୃଷି ଓ ଲୋକ ସଂସ୍କୃତିରେ ଅତ୍ୟନ୍ତ ବଳିଷ୍ଠ। ଏହାର ଜୀବନଧାରା ଏକ ବୃହତ୍ତର ସାର୍ବଜନୀନ ସଂସ୍କୃତିର ପ୍ରତୀକ। ନୂଆଁଖାଇ ହେଉଛି ତା’ର ସ୍ମାରକୀ। ଏହି ପର୍ବ ପାଳନ ପଛରେ କୌଣସି ଧର୍ମୀୟ ଭାବନା ସଂଶ୍ଲିଷ୍ଟ ନାହିଁ। ନୂତନ ଭାବେ ଉତ୍ପାଦିତ ଅନ୍ନକୁ ସୃଷ୍ଟିକର୍ତ୍ତାଙ୍କୁ ଅର୍ପଣ କରି ସେହି ପ୍ରସାଦ ନିଜେ ପାଇବା ଏହାର ମୂଳଲକ୍ଷ୍ୟ । ଅନ୍ୟପକ୍ଷରେ, ଶାକ୍ତ ଚେତନା ଉପରେ ନବାନ୍ନ ପ୍ରତିଷ୍ଠିତ ଥିବା ବିଷୟ ବଡ଼ ଅର୍ଥବହ। ମନୁଷ୍ୟର ସକଳ ସୁଖସମ୍ପଦ ମାତୃ ଅନୁକମ୍ପାରୁ ପ୍ରାପ୍ତ ହୁଏ, ଏହା ଆଦିକାଳରୁ ବିଶ୍ୱାସ କରାଯାଇ ମାତୃଶକ୍ତିକୁ ଉଚ୍ଚସ୍ଥାନ ଦିଆଯାଇଛି। ଫଳତଃ ସେହି ଅଦମ୍ୟ ଶକ୍ତିକୁ କୃତଜ୍ଞତା ପୂର୍ବକ ବର୍ଷର ପ୍ରଥମ ଫସଲ ମନୁଷ୍ୟ ପାଇଥିଲେ ହେଁ ନବାନ୍ନ ନୈବେଦ୍ୟ ଗ୍ରାମ ତଥା ସହରର ପ୍ରତିଷ୍ଠିତ ଦେବୀଙ୍କୁ ପ୍ରଥମେ ଅର୍ପଣ କରାଯାଇଥାଏ।

ଅନ୍ନ ହିଁ ସୃଷ୍ଟିର ବୀଜଶକ୍ତି ା ଶସ୍ୟ ଆରାଧନା ଜରିଆରେ ନୂଆଁଖାଇକୁ ଭୂମିମାତା ପ୍ରତି ମାନବର କର୍ତ୍ତବ୍ୟବୋଧକୁ ମଧ୍ୟ ପ୍ରତିପାଦିତ କରାଯାଇଛି। ଗୋଟିଏ ସରଳରେଖା‌େ‌ର ଯଦି ନବାନ୍ନ ଭକ୍ଷଣ, ନୂଆଁଖାଇ ଏବଂ ଭେଟଘାଟକୁ ରଖିବା ଏହା ଏକାବେଳେ ସୁଖୀ ପରିବାର ଏବଂ ହର୍ଷିତ ବିଶ୍ବ ସହ ସମୃଦ୍ଧ ସଭ୍ୟତାର ଆଶା ରଖେ। ହଁ, ଜଗତିକରଣର ପୃଷ୍ଠଭୂମିରେ ନୂଆଁଖାଇ ଶସ୍ୟଭଣ୍ଡାର ସହ ଖାଦ୍ୟ ନିରାପତ୍ତାର ଅର୍ଥକୁ ନିଶ୍ଚିତ କରୁଛି। ଘରୋଇ ଉତ୍ପାଦନ ଜରିଆରେ ସ୍ବାବଲମ୍ବୀତାର ଯଥାର୍ଥତା ବଖାଣୁଛି। ‘ଅନ୍ନ ଯୋଜନା’ର ପରିପୂର୍ଣ୍ଣତାକୁ ବି ଦର୍ଶାଉଛି। ଏଣୁ ଅର୍ଥନୈତିକ ମାନଦଣ୍ଡ ଏବଂ ଶକ୍ତି ସହିତ ନୂଆଁଖାଇ ସିଧାସଳଖ ବିକାଶର ସୂ‌େ‌ର୍ଯ୍ୟାଦୟକୁ ଆବାହନ କରୁଛି। ଦିବ୍ୟମାନବ ହୁଅ, ଧର୍ମନୌକାରେ ଜୀବନରୂପୀ ଖରସ୍ରୋତାକୁ ପାରି ହୁଅ- ଏହା ମଧ୍ୟ ବତାଇଦିଏ ନୂଆଁଖାଇ। ଏଥିରେ ବିଶ୍ବକୁ ସଦାଚାରୀ କରିବାର ମନ୍ତ୍ର ଅଭିପ୍ରେତ। ପ୍ରେମ ଓ ମିତ୍ରଚକ୍ଷୁରେ ଦେଖିବାର ଦିବ୍ୟତା ବି ଦେଉଛି। କଲ୍ୟାଣକାରୀ ଗୁଣାବଳୀର ଯଜ୍ଞୋପ୍ଲାବନ ପାଇଁ ନୂଆଖାଇଁ ଏକ ଦିଗବାରେଣୀ ।

ଭାରତବର୍ଷରେ ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ସମାଜରେ ବିଭିନ୍ନ ଧର୍ମରେ ଶସ୍ୟପୂଜାର ପରମ୍ପରା କ୍ରମେ ନୂତନ ଅନ୍ନକୁ ସୃଷ୍ଟିକର୍ତ୍ତାଙ୍କୁ ଅର୍ପଣ କରି ନିଜେ ଗ୍ରହଣ କରିବା ବିଧି ଥିଲେ ହେଁ ନୂଆଁଖାଇ ତାହାଠାରୁ ଅନେକାଂଶରେ ପୃଥକ୍‍। ପଶ୍ଚିମାଞ୍ଚଳର ଏହି ପର୍ବ ଭାଦ୍ରବ ମାସରେ ହିଁ ସ୍ବତନ୍ତ୍ର ରୀତି ଓ ବିଶ୍ବାସ ଅନୁଯାୟୀ ପାଳିତ ହୋଇଥାଏ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆବାଳବୃଦ୍ଧବନିତା ନୂଆଁଖାଇ ପାଳନରେ ନିଜକୁ ସଂପୃକ୍ତ ରଖନ୍ତି। ଶତ୍ରୁମିତ୍ରଙ୍କୁ ଶଙ୍ଖୋଳି ନେବାର ଦର୍ଶନ ଉପରେ ପ୍ରତିଷ୍ଠିତ ‘ନୂଆଁଖାଇ ଭେଟ୍‌ଘାଟ୍‌’ ସାମାଜିକ ସୌହାର୍ଦ ତଥା ସାର୍ବଜନୀନ ଭ୍ରାତୃଭାବକୁ ଉଦ୍‍ବୁଦ୍ଧ କରୁଥିବାବେଳେ ‘ଜୁହାର ଭେଟ୍‌’ ଭେଦଭାବ ଓ ଦ୍ୱେଷକୁ ପଦାନତ କରି ପାରିବାରିକ ସମ୍ବନ୍ଧର ଦୃଢ଼ ଭିତ୍ତିଭୂମି ନିର୍ମାଣରେ ସହାୟକ ହୁଏ। ଭାଇଭାଇ ମଧ୍ୟରେ ମନୋମାଳିନ୍ୟ ଥିଲେ ମଧ୍ୟ ସାନଭାଇ ବଡ଼ଭାଇ ଘରକୁ ଆସି ନୂଆଁ ଖାଇବା ଏବଂ ଓଳଗି(ପାଦଛୁଇଁ ପ୍ରଣିପାତ) ହେବା ଦ୍ୱାରା ପୂର୍ବକଳହର ବିଲୋପ ଘଟେ, ସଂହତି ସ୍ଥାପନ ହୁଏ। ନବାନ୍ନ ଦିବସରେ ଲୋକେ ପରସ୍ପରକୁ ଜୁହାର କରି ‘ଜିଇଁ ଜାଗିଥିଲେ ବରଷେ’ ବୋଲି କହିଥାନ୍ତି।

ନୂଆଁଖାଇ ଭେଟ୍‌ଘାଟ୍‌ର ବିଶେଷତ୍ୱ ହେଲା ପଶ୍ଚିମ ଓଡ଼ିଶା ମାଟିର ସନ୍ତାନ ଜୀବନ ଜୀବିକା ଦାୟ ବା ପ୍ରତିଭାର ଯଥାର୍ଥ ପରିସ୍ଫୁଟନ ପାଇଁ ହେଉ, ବିଶ୍ୱର ଯେଉଁଠି ବସବାସ କଲେ ମଧ୍ୟ ମାଟିମାଆ ଓ ତା’ର ମହକକୁ ଭୁଲି ପାରିନାହିଁ। ନୂଆଁଖାଇ ଅବସରରେ ଆୟୋଜନ ହେଉଛି ‘ନୂଆଁଖାଇ ଭେଟ୍‌ଘାଟ’। ଭେଟ୍‌ଘାଟ୍‌ ସବୁଠି(ଖାଦ୍ୟ, ବେଶପୋଷାକ, କଥାବର୍ତ୍ତା,ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି) ଝଲସି ଉଠେ ମାଟିର ବାସ୍ନା। ‘ନୂଆଁଖାଇ ଭେଟ୍‍ଘାଟ୍‍’ ଏବେ ଭୁବନେଶ୍ବର, କଟକ, ପୁରୀ ଓ ବାଲେଶ୍ବର ଜିଲା ଏପରି କି କୋରାପୁଟ, ବ୍ରହ୍ମପୁର ଆଦି ସ୍ଥାନକୁ ବ୍ୟାପିବାରେ ଲାଗିଛି। ଦିଲ୍ଳୀ, ମୁମ୍ବଇ, ହାଇଦରାବାଦ, ପୁଣେ, ଚେନ୍ନଇ, କଲକାତା, ନାଗପୁର, ରାୟପୁର, ଭୋପାଳ, ବେଙ୍ଗାଲୁରୁ ପ୍ରଭୃତି ମହାନଗରୀରେ ବସବାସ କରୁଥିବା ପଶ୍ଚିମାଞ୍ଚଳର ଲୋକଙ୍କ ପାଇଁ ଏକ ବହୁ ପ୍ରତୀକ୍ଷିତ ଦିବସରେ ପରିଗଣିତ ହୋଇଛି। ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି ଭେଟ୍‌ଘାଟ୍‌ ‘ଖିଆପିଆ-ନାଚଗୀତ’ରେ ସୀମିତ ରହିନାହିଁ। ଏହା ପରିଚୟ ସୃଷ୍ଟିର ଅଦ୍ବିତୀୟ ଅବସର ଆଣିଦେଉଛି। ଏଥିରେ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତିର ବିକାଶ ତଥା ସମୃଦ୍ଧି ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇ ସାଂସ୍କୃତିକ କାର୍ଯ୍ୟକ୍ରମମାନ ହେଉଛି। ନୂତନ ପ୍ରତିଭାଙ୍କ ପାଇଁ ପ୍ରକୃଷ୍ଟ ମଞ୍ଚ ହେଉଛି। ବିଭିନ୍ନ କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିଥିବା କୃତୀସନ୍ତାନଙ୍କୁ ସମ୍ମାନିତ କରାଯାଇ ପ୍ରତିଭା ପୂଜା ଏହାର ଏକ ବିଶେଷ ଅଂଶ ହୋଇସାରିଛି। ମାଆ ଓ ମାଟିକୁ ନେଇ ଅସ୍ମିତାର ଏକ ବୈଭବଶାଳୀ ଭିତ୍ତି ସୃଷ୍ଟି କରାଯାଉଛି।

prayash

ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ଅଭୂତପୂର୍ବ କାୟା ବିସ୍ତାର ଏବଂ ଶିଳ୍ପାୟନ ସାଙ୍ଗକୁ ଜଗତୀକରଣର ପ୍ରଭାବ ସାରା ବିଶ୍ୱରେ ଛାଇ ଯାଇଥିବାବେଳେ ନୂଆଁଖାଇ ତା’ର ଅସ୍ତିତ୍ୱ ହରାଇନାର୍ହିଁ; ବରଂ ଦିନକୁ ଦିନ ଏକତା, ସୌହାର୍ଦ୍ୟ ଓ ସଂପ୍ରୀତିର ବାର୍ତ୍ତା ବହନ କରିଚାଲିଛି। ଏହାର ବିଭବରେ ଲୋକାଚାର ବାଚକ ଯଥାର୍ଥତା ପରିପୂର୍ତ୍ତିରେ କୌଣସି ଅଭାବ ପରିଲକ୍ଷିତ ହେଉନାହିଁ। ଲଗ୍ନଦେଖାଠାରୁ ଆରମ୍ଭ କରି ଡକାହକା, ସଫାସୁତୁରା-ଲିପାପୋଛା, କିଣାବିକା, ନୂଆଁଧାନ ଖୋଜା, ବାଲିପକା, ନୂଆଁଖାଇ, ଜୁହାରଭେଟ୍‌, ନାଚଗୀତ, ଖିଆପିଆ ସବୁ ଯୁଗରୁଚି ସହିତ ସମତାଳ ଦେଇ ଆଗେଇଚାଲିଛି।

ସମ୍ପ୍ରତି ଓଡ଼ିଶାର କୌଣସି ସାଂସ୍କୃତିକ ବିଭବ ଯଦି ଅଧିକ ବିଶ୍ବବ୍ୟାପୀ ହେବାରେ ଲାଗିଛି ତାହା ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ରଥଯାତ୍ରା’ ଓ ‘ନୂଆଁଖାଇ’। ଏହି ପରିପ୍ରେକ୍ଷୀରେ ବିଦେଶରେ ଦୀପାବଳି, ହୋଲି, ଦୁର୍ଗାପୂଜା. ରଥଯାତ୍ରା ଆଦି ପରେ ଏବେ ନୂଆଁଖାଇର ମହକ ଅନେକଙ୍କୁ ବିମୋହିତ କରିଛି। ସେଠାରେ ଖୁବ୍‌ ଆତ୍ମୀୟତାର ସହିତ ନୂଆଁଖାଇ ପାଳନ କରାଯାଇ ବିଦେଶୀ ତଥା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଯୋଡ଼ାଯାଉଛି। ଅନ୍ତର୍ଜାତୀୟ ସ୍ତରର ବିଦ୍ବାନ ତଥା ସୃଜନଶୀଳ ବ୍ୟକ୍ତିବିଶେଷ ନୂଆଁଖାଇ ପାଳନର ମହତ୍ତ୍ବ ଓ ଯଥାର୍ଥତାକୁ ସ୍ବାଗତ କରୁଛନ୍ତି। ଇଂଲଣ୍ଡ, ଚିକାଗୋ, କାଲିଫର୍ଣ୍ଣିଆ, ରୁଷିଆ, ଚୀନ, ଥାଇଲାଣ୍ଡ, ମରୋକ୍କୋ, ଆମେରିକା, ନ୍ୟୁୟର୍କ, ଦୁବାଇ, ୟୁଏଇ, ପ୍ୟାରିସ, ଟୋକିଓ, ଅଷ୍ଟ୍ରେଲିଆ ଓ ନ୍ୟୁଜର୍ସି ପ୍ରଭୃତି ରାଷ୍ଟ୍ରରେ ରହୁଥିବା ପଶ୍ଚିମ ଓଡ଼ିଶାର ଅଧିବାସୀଙ୍କ ପକ୍ଷରୁ ଭେଟ୍‌ଘାଟ୍‌ ବ୍ୟାପକ ହେବାରେ ଲାଗିଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ନୂଆଁଖାଇ ପ୍ରମୁଖ ଗଣପର୍ବ ଭାବେ ପାଳିତ ହୁଏ ଏବଂ ଏହି ଦିବସକୁ ସରକାରୀ ଭାବେ ଛୁଟି ଘୋଷଣା କରାଯାଇଛି। ବିଶେଷକରି ‘ନୂଆଁଖାଇ ଭେଟ୍‌ଘାଟ୍‌’ରେ ସାରା ବିଶ୍ବର ଲୋକ ଯୋଡ଼ି ହେଉଥିବାରୁ ଏହା ଏକ ସାଂସ୍କୃତିକ ଆନ୍ଦୋଳନର ରୂପ ନେଇସାରିଲଣି।

ଆଜିକାର ଭାରତୀୟ ପର୍ବପର୍ବାଣିର ବାହ୍ୟ ଆଡମ୍ବରକୁ ଦେଖିଲେ ଅନେକାଂଶରେ ଅପସଂସ୍କୃତି ଧସେଇ ପଶୁଛି। ଏକପ୍ରକାର ଏହା ଫେସନରେ ପରିଣତ ହୋଇଗଲାଣି। ଶୁଦ୍ଧପୂତ ଭାବନା ଲୋକଙ୍କ ଭିତରେ ମରିମରି ଯାଉଛି। ହେଲେ ଏହି ପ୍ରସଙ୍ଗରେ ନୂଆଁଖାଇ ବ୍ୟତିକ୍ରମ ସାବ୍ୟସ୍ତ ହୋଇଛି। ଅତ୍ୟାଧୁନିକତାର ଚାକଚକ୍ୟ ମଣିଷକୁ କବଳିତ କରିଥିଲେ ହେଁ ବିଶେଷତଃ ଘରେ ଯେଉଁମାନେ ସପରିବାର ଓ କୁଳକୁଟୁମ୍ବଙ୍କୁ ନେଇ ନବାନ୍ନ ଭକ୍ଷଣ କରୁଛନ୍ତି, ଅତ୍ୟନ୍ତ ନିଷ୍ଠା ଓ ଶୁଦ୍ଧପୂତ ଭାବେ ପାଳନ କରୁଛନ୍ତି। ଅତଏବ, ନୂଆଁଖାଇକୁ ବୈଦିକ ଓ ଉପନିଷଦୀୟ ଚିନ୍ତାଧାରାର ଏକ ଉତ୍ତୁଙ୍ଗ ସାଂସ୍କୃତିକ ଧରୋହର କୁହାଯାଇପାରେ। ଜାତି ସମ୍ପ୍ରଦାୟ ନିର୍ବିଶେଷରେ ବ୍ୟକ୍ତିଗତ ରାଗରୋଷକୁ ଭୁଲି ସମସ୍ତଙ୍କ ମଧ୍ୟରେ ଆନ୍ତରିକତା ଓ ସହୃଦୟତା ସ୍ଥାପନରେ ଏହାର ପ୍ରଲ୍ଲବଗ୍ରାହିତା ଅତୁଳନୀୟ। ‘ଜୁହାର’ର ବିନମ୍ରୀୟ ରଜୁରେ ଏକତା, ଶାନ୍ତି, ସଂପ୍ରୀତି, ସମତା, ସମର୍ପଣ, ସଦ୍‌ଭାବ, ସମନ୍ବୟ, ସମୃଦ୍ଧି ଓ ଅଭିବୃଦ୍ଧି ସାଙ୍ଗକୁ ଉଲ୍ଲାସମୟ ଜୀବନ ଓ ସମାଜର ପରିକଳ୍ପନା କରାଯାଇଥାଏ। ନୂଆଁଖାଇର ଉଦ୍‌ଭବ ମୂଳତଃ ଗ୍ରାମୀଣଭିତ୍ତିକ କୃଷିସଭ୍ୟତାରୁ ହୋଇଥିଲେ ହେଁ ଏହାର ମହକ ଓ ବିଭବ ଯେପରି ସର୍ବକଲ୍ୟାଣ ଅଭିପ୍ରେତ ତାହା ବିଶ୍ବର କୌଣସି ସଭ୍ୟ ସଭ୍ୟତାରେ ମଧ୍ୟ କ୍ୱଚିତ୍‌ ଦେଖାଦିଏ। ନୂଆଁଖାଇ ଏକାବେଳେ ପ୍ରାଚୀନ, ନବୀନ ଓ ସନାତନୀୟ।

ଏବେ ସଂଯୁକ୍ତ ପରିବାର ଏକପ୍ରକାର ଧ୍ବଂସ ହୋଇଗଲାଣି। ପରିବାରଗୁଡ଼ିକ ନିରାଶାଜନକ ଭାବେ ସଙ୍କୁଚିତ ହେବାରେ ଲାଗିଛି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରତିଯୋଗିତାମୂଳକ ବଜାରରେ ମଣିଷ ବୃତ୍ତି-ପ୍ରବୃତ୍ତିଗତ ଯେଉଁ ଦୌଡ଼ର ଅଛି, ବୃହତ୍‌ ପରିବାର ପରିକଳ୍ପନା ନିଶ୍ଚିତ ଭାବେ କାଠିକର। ବିଶ୍ବଗ୍ରାମ ନାଁରେ ଯାହାସବୁ ପରିବର୍ତ୍ତନ ହୋଇଚାଲିଛି ସାଂସ୍କୃତିକ ସ୍ବକୀୟତା-ସ୍ବାୟତ୍ତତା ଅତ୍ୟନ୍ତ ବିପନ୍ନ। ଏଣୁ ନୂଆଁଖାଇ ବି ଆହ୍ବାନରେ ଭରା। ଯୁବବର୍ଗ ଚାଷ କର୍ମାଣୀ ଉପରେ ଉଦାସୀନ। ଏହାର ଚେତନାଗତ ପୁଷ୍ପ, ତିତିକ୍ଷା ଓ ସତ୍ୟାର୍ଥକୁ ଅଧିକ ମହକିତ କରବାର ଦାୟିତ୍ବ ଯୁବପିଢ଼ି ହାତରେ। ଅନ୍ୟପକ୍ଷରେ, ଏହି ମହାନ ପର୍ବ ପାଳନ ନାଁରେ ତାମସିକତାର ବଶବର୍ତ୍ତୀ ହୋଇ କେହି କେହି ମଦମତ୍ତ ହେବା ଆଦୌ ଶୁଭଙ୍କର ନୁହେଁ। ଏଥିରେ ରାଜନୀତି ପ୍ରବେଶ ମାରକ ସାବ୍ୟସ୍ତ ହେବ ଏବଂ ନୂଆଁଖାଇ ଭୋଟବ୍ୟାଙ୍କର ଆୟୁଧ ନହେଲେ ପରିତ୍ରାଣ।

kalyan agarbati

Comments are closed.