ଜିହ୍ବା, ଯନ୍ତା, ଯନ୍ତ୍ରଣା
ଉପେନ୍ଦ୍ର ବିଶ୍ବାଳ
“ମଣିଷ ହେଉଛି ଏକମାତ୍ର ପ୍ରାଣୀ ଯିଏ ନିଜ ଯନ୍ତା ନିଜେ ବସାଏ, ନିଜେ ଥୋପ ଖଞ୍ଜେ ଏବଂ ତାହାକୁ ଖାଇ ନିଜେ ସେଇ ଯନ୍ତାରେ ପଡ଼େ।” ନୋବେଲ ପୁରସ୍କାର ପ୍ରାପ୍ତ ଆମେରିକୀୟ ଲେଖକ ଜନ୍ ଷ୍ଟିନ୍ବେକଙ୍କ ବହୁ ମୂଲ୍ୟବାନ ଏହି ଉକ୍ତିଟି ବେଶ ପ୍ରାସଙ୍ଗିକ ମନେହୁଏ ଭାରତର ରାଜନୈତିକ ଦୃଶ୍ୟପଟରେ। ଆଜିଦିନରେ ବହୁଚର୍ଚ୍ଚିତ, ବହୁ ବିତର୍କିତ ଘଟଣା ହେଉଛି ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ। କଂଗ୍ରେସ ନେତୃତ୍ବାଧୀନ ‘ଉପା’ ଶାସନ ସମୟରେ ସେପ୍ଟେମ୍ବର ୨୦୧୩ରେ ସାଂସଦ/ ବିଧାୟକମାନଙ୍କ ସଦସ୍ୟପଦ ରଦ୍ଦକୁ ନେଇ ପ୍ରସ୍ତାବିତ ଅଧ୍ୟାଦେଶକୁ ‘Nonsence’ ବୋଲି କହି ରାହୁଲ ଗାନ୍ଧୀ କେବଳ ଯେ ଫାଡ଼ି ଫୋଫାଡ଼ି ଦେଲେ ତାହା ନୁହେଁ; ବରଂ ନିଜ ପାଇଁ ଯନ୍ତାଟିଏ ବସେଇ ଦେଇଥିଲେ ସେଦିନ। ତା’ପରେ ନିଜ ପାଇଁ ଥୋପ ବି ଖଞ୍ଜିଲେ ୨୦୧୯ ମସିହାରେ, ରସନାର ଅସଂଯତ ଉପଯୋଗ କରି। ପରିଣତିରେ ଆଜି ବହୁ ହିନସ୍ତା ହେବାକୁ ପଡ଼ିଛି ତାଙ୍କୁ। ଅର୍ଥାତ୍ ନିଜ ଜିଭ ହିଁ ତାଙ୍କୁ ଯନ୍ତାରେ ପକାଇଲା ଓ ଯାବତୀୟ ଯନ୍ତ୍ରଣାର କାରଣ ସାଜିଲା। ଏଇଠି ବି ମନେପଡ଼େ ଆଉ ଏକ ଜିଭ-ଯନ୍ତ୍ରଣାର କାହାଣୀ। ମହାଭାରତର ମହାନାୟିକା ଦ୍ରୌପଦୀଙ୍କ ଜିଭରୁ ଖସି ଯାଇଥିବା ପଦେକଥା ବା ଟିପ୍ପଣୀ ହିଁ ସେଦିନ ଡାକି ଆଣିଥିଲା ଏକ ଭୟଙ୍କର ଦୁର୍ଦିନକୁ। ଖାଣ୍ଡଵବନ ଦହନ ପରେ ଦୈତ୍ୟରାଜ ମୟଙ୍କ ଦ୍ବାରା ସଦ୍ୟ ନିର୍ମିତ ନୂତନ ଇନ୍ଦ୍ରପ୍ରସ୍ଥ ନଗରୀ ଓ ସୁରମ୍ୟ ରାଜପ୍ରାସାଦ। ବିଜ୍ଞାନ, କଳା, କୌଶଳ ଓ ଅପୂର୍ବ କାରୁକାର୍ଯ୍ୟ ବିମଣ୍ଡିତ ଭବ୍ୟ ରାଜପ୍ରାସାଦର ଅବର୍ଣ୍ଣନୀୟ ଶୋଭାରାଜି ବିମୋହିତ କରୁଥିଲା ସଭିଙ୍କୁ। ଇନ୍ଦ୍ରପ୍ରସ୍ଥ ରାଜଭବନର ଶୁଭ ପ୍ରତିଷ୍ଠା ଦିବସ ଅବସରରେ ମହାଆଡମ୍ବରରେ ଆୟୋଜିତ ହେଉଥାଏ ରାଜସୂୟ ଯଜ୍ଞ। ଜ୍ୟେଷ୍ଠଭ୍ରାତା ଯୁଧିଷ୍ଠିରଙ୍କ ଆମନ୍ତ୍ରଣ ଓ ଲୋକମୁଖରେ ବହୁ ପ୍ରଶଂସିତ ଅପୂର୍ବ କୀର୍ତ୍ତିରାଜିଭରା ଇନ୍ଦ୍ରଭବନକୁ ସ୍ବଚକ୍ଷୁରେ ଦେଖି ତା’ର ସତ୍ୟାସତ୍ୟ ପରଖିବା ପାଇଁ ଆସି ପହଞ୍ଚିଲେ ଦୁର୍ଯ୍ୟୋଧନଙ୍କ ସମେତ କୌରବ ଭ୍ରାତାଗଣ। ଇନ୍ଦ୍ରପୁରିସମ ରାଜପ୍ରାସାଦର ଅନ୍ତଃପୁର ସତେଯେମିତି ଥିଲା ମାୟାପୁର। ସୂକ୍ଷ୍ମ କାରୁକାର୍ଯ୍ୟଭରା ସ୍ଫଟିକ ନିର୍ମିତ ଚଟାଣ କେଉଁଠି ମରୀଚିକାସମ ଜଳାଶୟର ଭ୍ରମ ସୃଷ୍ଟି କରୁଥାଏ ତ ଆଉ କେଉଁଠି ପ୍ରବାଳପୂର୍ଣ୍ଣ ଜଳାଶୟଟିଏ ଚଟାଣର ଭ୍ରମ ସୃଷ୍ଟି କରୁଥିଲା। ଅତ୍ୟନ୍ତ ସତର୍କତାର ସହିତ ଆଗକୁ ପଦଚାରଣ ନ କଲେ ଭ୍ରମିତ ହୋଇ ତଳେ ପଡ଼ିଯିବାର ଯଥେଷ୍ଟ ସମ୍ଭାବନା ଥାଏ, ଯାହାକି ଘଟିଥିଲା କୌରବ ଭ୍ରାତାଙ୍କ କ୍ଷେତ୍ରରେ। କେହି ପାଣ୍ଡବଭ୍ରାତା ଅବା ଅଭିଜ୍ଞ ଦାସୀ, ପରିଚାରିକାଙ୍କ ବିନା ସହାୟତାରେ ବୀରଦର୍ପରେ ମୟଙ୍କ ନିର୍ମିତ ମାୟାପୁରୀର ମନଲୋଭା ଶୋଭାରାଜିକୁ ଈର୍ଷାକୁ ଦୃଷ୍ଟିରେ ଦେଖିଦେଖି ଯାଉଥିଲାବେଳେ ଉପରୁଥାଇ ଏମାନଙ୍କ ଗତିବିଧିକୁ କୌତୁକ ଦୃଷ୍ଟିରେ ନିରୀକ୍ଷଣ କରି ଉପଭୋଗ କରୁଥିଲେ ଦ୍ରୌପଦୀଙ୍କ ସମେତ ତାଙ୍କ ସଖୀ ଓ ପରିଚାରିକାମାନେ, ଖୁବ୍ ସନ୍ତର୍ପଣରେ। ଚଟାଣରେ ସୃଷ୍ଟ ମରୀଚିକା, ମିଥ୍ୟା ଜଳାଶୟର ଭ୍ରମ ସୃଷ୍ଟି କରିବାରୁ ପିନ୍ଧା ପରିଧାନକୁ ଉପରକୁ ଟେକି ଅତି ସନ୍ତର୍ପଣ ଓ ଧୀର ପଦକ୍ଷେପରେ ଆଗକୁ ପାଦ ବଢ଼ାଉଥିଲାବେଳେ ଉଆସ ଉପରୁ ଝରି ଆସୁଥାଏ ରମଣୀମାନଙ୍କ ରମ୍ୟରୋଳ। ଦ୍ରୌପଦୀଙ୍କ ସମେତ ଅନ୍ୟ ରମଣୀମାନଙ୍କୁ ଦେଖିବା ପରେ ଅହଂପୂର୍ଣ୍ଣ ପୁରୁଷପଣିଆ ତାଙ୍କର ଆହୁରି ଜାଗି ଉଠିଲା। ବୀରଭଙ୍ଗୀ ଓ ଗର୍ବିତଠାଣିରେ ସର୍ବାଗ୍ରେ ଚାଲୁଥାନ୍ତି ଦୁର୍ଯ୍ୟୋଧନ। ମସୃଣ ଚଟାଣ ବୋଲି ଭାବି ଯାହା ଉପରେ ସେ ପାଦ ପକେଇଲେ, ତାହା କିନ୍ତୁ ଥିଲା ଜଳାଶୟଟିଏ। ଜଳାଶୟରେ ଜ୍ୟେଷ୍ଠକୌରବ ଯେମିତି ପଡି ଯାଇଛନ୍ତି ସେଇଠୁ ଲହଡ଼ିସମ ଅନ୍ତଃପୁରରୁ ମାଡି ଆସିଲା ଅସଂଯତ ଅଟ୍ଟହାସ୍ୟ ଓ ଉଗ୍ର ଉପହାସ। ଦୁର୍ଯ୍ୟୋଧନଙ୍କ କଲିଜାକୁ କରତରେ କାଟିଲାଭଳିଆ ମନେ ହେଲା ଦ୍ରୌପଦୀଙ୍କର ‘ଅନ୍ଧର ପୁଅ ଅନ୍ଧ’ କଟାକ୍ଷ। ଅତ୍ୟନ୍ତ ଅପମାନିତ ମାନୀ ଦୁର୍ଯ୍ୟୋଧନ ସେହିକ୍ଷଣି ପଣ କରିଥିଲେ ପାଞ୍ଚାଳୀଙ୍କ ଉପରେ ପ୍ରଚଣ୍ଡ ପ୍ରତିଶୋଧ ନେବାକୁ। ପରିଣତିରେ, ପରବର୍ତ୍ତୀ ମୁହୂର୍ତ୍ତରେ ଭାରି ରାଜସଭାରେ ଭୟଙ୍କର ଲାଞ୍ଛନାର ଶିକାର ହେବାକୁ ପଡ଼ିଥିଲା ତାଙ୍କୁ।
ଜିହ୍ବା- ମାତ୍ର ଚାରିଇଞ୍ଚ ଲମ୍ବର ଛୋଟିଆ ଅଙ୍ଗଟିଏ, କିନ୍ତୁ ଅପରିମିତ କ୍ଷତି ପହଞ୍ଚାଇଥାଏ ଆମଠାରେ। ସେଇଥିପାଇଁ ତ ମହାତ୍ମା ବୁଦ୍ଧ ଆମକୁ ସତର୍କ କରିବାକୁ ଯାଇ କହିଛନ୍ତି, “ଜିଭ ହେଉଛି ଗୋଟେ ପ୍ରକାର ତୀକ୍ଷ୍ଣ ଛୁରିକା, ଯାହା ବିନା ରକ୍ତପାତରେ ମାରି ବି ଦେଇପାରେ। ଏଣୁ ଜିଭ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ।” ଆମ ଉଚ୍ଚାରଣ ହେଉଛି ମନୋଭାବ ବା ଚରିତ୍ରର ପ୍ରତିଫଳନ। ନିଜ ହୃଦୟର ଭାବନାକୁ ଅନ୍ୟଠାରେ ପହଞ୍ଚେଇବା ପାଇଁ ନିଜ ଜିଭର ଠିକ୍ ଉପଯୋଗ କରିବା ଉଚିତ। ଜିଭ ମଣିଷର ଯେମିତି ବଡ଼ ମିତ୍ର, ସେମିତି ବି ବଡ଼ ଶତ୍ରୁ। ସେଇ ଜିଭରୁ ଶବ୍ଦର ମଧୁ ଝରେ ତ ସେଇଥିରୁ ପୁଣି ବିଷ। କେତେବେଳେ ସଙ୍ଗୀତର ମଧୁର ରସ ଝରିଆସେ ତ ଆଉ କେବେ ପ୍ରାର୍ଥନା, ନାନାବାୟା ଗୀତ। ଜିଭର ମିଠା ଉଚ୍ଚାରଣରେ ଜଣେ ରାଗ ଲଙ୍କା ବରଂ ବିକି ଦେଇପାରେ; କିନ୍ତୁ ମିଠାମହୁ ନୁହେଁ, ଯଦି କଥାରେ ନ ଥାଏ ମଧୁରତା। ଜିହ୍ବା ସମ୍ପର୍କିତ ଅତ୍ୟନ୍ତ ଉପାଦେୟ ଶ୍ଳୋକଟିଏ ଏଠାରେ ଉଲ୍ଲେଖ କରିବା ଖୁବ ପ୍ରାସଙ୍ଗିକ ମନେହୁଏ, “ଜିହ୍ବାଗ୍ରେ ବସତି ଲକ୍ଷ୍ମୀ ଜିହ୍ବାଗ୍ରେ ମିତ୍ର ବାନ୍ଧବାଃ/ ଜିହ୍ବାଗ୍ରେ ବନ୍ଧନଂ ପ୍ରାପ୍ତମ୍ ଜିହ୍ବାଗ୍ରେ ମରଣମ୍ ଧ୍ରୁବଂ”- (ସୁଭାଷିତ ରତ୍ନଭାଣ୍ଡାଗାରମ୍)। ଭାବାର୍ଥ ହେଲା ଜିହ୍ବା ଦ୍ୱାରା ସୁଖ-ଶାନ୍ତି-ସୌଭାଗ୍ୟ, ସଖା-ସଜ୍ଜନ ପ୍ରାପ୍ତି ହୋଇପାରେ। ହେଲେ, ସେହି ଜିହ୍ବା ବି ଜେଲ ଯନ୍ତ୍ରଣା ଏପରିକି ମୃତ୍ୟୁର କାରଣ ବି ହୋଇପାରେ।
ଜିଭ ଅତ୍ୟନ୍ତ କୋମଳ। ଖଣ୍ଡାଭଳି ୩୨ଟି ଦାନ୍ତ ମଝିରେ ହିଁ ତା’ର ଅବସ୍ଥିତି। ଅର୍ଥାତ୍ ‘ସତର୍କପଣିଆ, ସଭିଙ୍କ ସହିତ ଉତ୍ତମ ବୁଝାମଣା ଓ ମଧୁର ଭାବ ରହିଲେ ଆମେ ବିପଦ/ଯନ୍ତ୍ରଣାମୁକ୍ତ ହୋଇ ରହିପାରିବା’। ଜିହ୍ବାର ଚତୁର ଚାଳନାରେ ଜଣେ ଚାହିଁଲେ ବିଶ୍ୱ ବିଜୟୀ ବି ହୋଇପାରେ। କିନ୍ତୁ ସେହି ଜିଭ ବି ଅନ୍ୟର ମରଣର କାରଣ ସାଜେ ବିଷଭାଵ ଯୋଗୁଁ। ସେଇଥିପାଇଁ ତ ଜର୍ଜ ବର୍ଣ୍ଣାଡ଼ ଶ କହୁଥିଲେ -‘ସାପର ଶରୀର ଖୁବ କୋମଳ; କିନ୍ତୁ ତା’ମୁହଁରେ ବିଷ ଭରପୂର। ଆମେ କ’ଣ ସେମିତି ଏକ ସାପ ଯେ, ଶରୀରର କୋମଳତମ ଅଙ୍ଗ ଜିଭକୁ ବିଷାକ୍ତ କରିବୁ; ଯାହାକି ଅତ୍ୟନ୍ତ ମୂର୍ଖାମୀ।’ ଆମ ଜିଭର ହାଡ଼ ନ ଥାଇପାରେ କିନ୍ତୁ ବେଳେବେଳେ ଏତେ କଠୋର ହୋଇଥାଏ ଯେ ଜଣଙ୍କ ହୃଦୟକୁ ଖିନଭିନ୍ କରିଦେଇପାରେ। ସନ୍ଥଙ୍କ ଅନୁଯାୟୀ, “ତୁମେ ବରଂ ନିଃସଙ୍ଗ ଓ ନିଃଶବ୍ଦ ଭାବେ ଅନେକଦିନ ପର୍ଯ୍ୟନ୍ତ ରହିଯାଅ; କିନ୍ତୁ ଅନ୍ୟକୁ ଦଂଶନ କରିବାକୁ ଜିଭକୁ ଅନୁମତି ଦିଅନାହିଁ।” ସେଇଥିପାଇଁ ଆମ ମୁନିଋଷିମାନେ ରସନା ସଂଯତ ଅଭ୍ୟାସ ପାଇଁ ମୌନବ୍ରତ ଧାରଣ କରିବାକୁ ପ୍ରରୋଚିତ କରିଥାନ୍ତି। ଦୁଇଟି କାନ ଓ ଗୋଟେ ଜିଭ ଦେଇ, ଭଗବାନ ମଧ୍ୟ ଆମକୁ କମ୍ କହିବାକୁ ଇଙ୍ଗିତ କରିଛନ୍ତି। ତେଣୁ ସ୍ୱଳ୍ପ କହିବା ଅବା ନିରବତାକୁ ଆପଣାଇନେବା ବିଜ୍ଞତାର ପରିଚାୟକ। ନୀରବତା ହେଉଛି ଶବ୍ଦହୀନ ଶବ୍ଦ, କିନ୍ତୁ ସେଥିରେ ଭରିରହିଛି ପ୍ରଚୁର ସାମର୍ଥ୍ୟ। ଯାହାର ପ୍ରଭାବ ସୁଦୂରପ୍ରସାରୀ। ଜିଭ ଆମର ଯେମିତି ନରମ ରହିଛି ସେମିତି ନରମ କରି ରଖିବା ହେଉଛି ସାଧୁ ସ୍ବଭାବ। ଏଣୁ ଆସନ୍ତୁ, ଆମେ ସମସ୍ତେ ଟିକେ ଯତ୍ନବାନ ହେବା ଯେମିତି କି ନରମ ଜିଭଟି ଆମର ପାଲଟି ନ ଯାଏ ଯନ୍ତାର ଯନ୍ତ୍ରଶାଳାରେ।
Comments are closed.