ନୂଆଁଖାଇ ଭାରତର ଏକ ଆଞ୍ଚଳିକ ପର୍ବ ଏବଂ ପଶ୍ଚିମ ଓଡ଼ିଶାର ଗଣପର୍ବ। ଏହା ଓଡ଼ିଶାବାସୀଙ୍କ ଏକ କୃଷିଭିତ୍ତିକ ପର୍ବ। ପଶ୍ଚିମ ଓଡ଼ିଶାର ଜନ ଜୀବନ ଏବଂ ସଂସ୍କୃତିରେ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ। ନୂଆଁଖାଇ- ‘ନୂଆଁ’ଅର୍ଥ ହେଉଛି ‘ନୂତନ’ ଏବଂ ‘ଖାଇ’ର ଅର୍ଥ ହେଉଛି ‘ଖାଦ୍ୟ’। ଧାନ ଚାଉଳ ଫସଲ ସଂଗ୍ରହକୁ ପାଳନ କରିବା ପାଇଁ ଏହା ଏକ ଅମଳ ପର୍ବ। ପଶ୍ଚିମ ଓଡ଼ିଶାର ଭାଦ୍ରବ ମାସରେ ଧାନ ଶସ୍ୟ ଅମଳ ହୁଏ ଓ ଦେବୀଙ୍କୁ ଅର୍ପଣ କଲା ପରେ ନବାହ୍ନ ଭକ୍ଷଣ କରାଯାଏ। ଏହି ପର୍ବ ସମାଜରେ ସାମାଜିକ ଚେତନା ଆଣେ। ସାନମାନେ ଗୁରୁଜନମାନଙ୍କୁ ପ୍ରଣାମ କରି ‘ଜୁହାର ଭେଟ୍’ ହୁଅନ୍ତି। ଯାହା ମନୋମାଳିନ୍ୟ ଥାଏ ଏହି ପର୍ବ ପାଳନ ଦିନ ତାହା ଦୂରେଇ ଯାଇଥାଏ।
ଏହି ପରମ୍ପରା ଏବେକାର ନୁହେଁ। ରାଜରାଜୁଡ଼ା ଅମଳରୁ ଏହି ପ୍ରଥା ପ୍ରଚଳିତ ହୋଇ ଆସୁଛି। ବିଶେଷ ଉଲ୍ଲେଖଯୋଗ୍ୟ ଯେ, ସୋନପୁରର ରାଜା ଇନ୍ଦ୍ରଭୂତି ଓ ତାଙ୍କର ଭଗିନୀ ଲକ୍ଷ୍ମୀଙ୍କରାକ ଅମଳରେ ଏହାର ପ୍ରାଧାନ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ। ପ୍ରାକ୍ତନ କୋଶଳ ରାଜ୍ୟରେ ଏହି ପରମ୍ପରା ବେଶ ବୃଦ୍ଧି ପାଇଥିଲା ଏବଂ ଏହାର ପାଦଚିହ୍ନ ଆଜି ମଧ୍ୟ ରହିଛି। ଉଲ୍ଲେଖନୀୟ ଯେ,ପଶ୍ଚିମ ଓଡ଼ିଶାର ଅବିଭକ୍ତ ସମ୍ବଲପୁର,ବଲାଙ୍ଗିର,କଳାହାଣ୍ଡି ଅଞ୍ଚଳରେ ଏହି ପର୍ବ ବିଶେଷ ଭାବରେ ପାଳନ କରାଯାଇଥାଏ। କୁହାଯାଏ କି ସମ୍ବଲପୁରର ପୂର୍ବନାମ ସମ୍ବଳପୁର ଅର୍ଥାତ୍ ପ୍ରାଚୁର୍ଯ୍ୟପୂର୍ଣ୍ଣ ଅଞ୍ଚଳ ଥିଲା। ଦେବୀ ଥିଲେ ସମ୍ବଳଶ୍ୱେରୀ ଆଜି ସମଲେଶ୍ୱରୀ ନାମରେ ପରିଚିତ। ତାତ୍ପର୍ଯ୍ୟପୂର୍ଣ୍ଣ ଯେ, ଏହି ସମୃଦ୍ଧ ଅଞ୍ଚଳ ଓଡ଼ିଶାର ଶସ୍ୟଭଣ୍ଡାର ଥିଲା,ଆଜି ମଧ୍ୟ ଏହା ପୂର୍ବମର୍ଯ୍ୟାଦା ରକ୍ଷା କରିଛି। ଓଡ଼ିଶାର କୋଣେ କୋଣେ ମା’ ସମଲେଶ୍ୱରୀଙ୍କ ପୂଜା ଆରାଧନା କରାଯାଏ ଏବଂ ସାମୂହିକ ମଙ୍ଗଳ ପାଇଁ ପ୍ରାର୍ଥନା କରାଯାଏ। ଓଡ଼ିଶାର ସମୃଦ୍ଧ ଅର୍ଥନୈତିକ ବିକାଶ କ୍ଷେତ୍ରରେ ପଶ୍ଚିମ ଓଡ଼ିଶାର ଶସ୍ୟ ଭଣ୍ଡାରର ଅବଦାନ ରହିଛି ଏବଂ ରହିଥିବ।
ଏହି ସାମାଜିକ ପର୍ବରେ ଓଡ଼ିଶାର ବାହାରେ ଥିବା ଅଗଣିତ ପଶ୍ଚିମ ଓଡ଼ିଶାବାସୀ ଭ୍ରାତୃତ୍ୱବୋଧ ଓ ସାମାଜିକ ମୈତ୍ରୀ ବୋଧକୁ ବଜାୟ ରଖିବା ପାଇଁ ନିଜ ମାତୃଭୂମିକୁ ଆନନ୍ଦ ଆବେଗରେ ଚାଲିଆସିଥାନ୍ତି। ଏହା ଏକ ଆବେଗ, ସଦ୍ଭାବନା, ସତ୍ଚିନ୍ତା ଓ ସଜ୍ଜନବୋଧର ବିକାଶ ପାଇଁ ନୂଆଁଖାଇ ଏକ ମାନଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ। ବାସ୍ତବିକ ଆଜିର ବସ୍ତୁବାଦୀ ଓ ବ୍ୟକ୍ତିସର୍ବସ୍ୱ ଦୁନିଆଁରେ ସାମୂହିକ ଜୀବନ ଯାପନ ସହ ଅନନ୍ୟ ଭ୍ରାତୃତ୍ୱ, ଏକତା ଓ ସଦଭାବନାର ଏକ ବାର୍ତ୍ତା ଦିଏ ଏହି ପର୍ବ।
ବହୁକାଳରୁ ଚଳି ଆସୁଥିବା ପନ୍ଥା ହେଉଛି ଯେ,ଘରର ବରିଷ୍ଠ ସଦସ୍ୟ ଚାଷ ଜମିକୁ ଯାଇ ନୂଆଁଖାଇ ଦିନ ପୂଜାର୍ଚ୍ଚନା ସହ ଭୋଗ ଲଗାଇଥାନ୍ତି। ତା’ ପରେ ଉକ୍ତ ଭୋଗକୁ ଆଣି ପରିବାରର ଆବାଳ ବୃଦ୍ଧ ବନିତା ସମସ୍ତେ ଏକାଠି ମିଶି ଖାଇଥାନ୍ତି। ନୂଅାଁ ଅନ୍ନ ସାଙ୍ଗକୁ ପିଠାମଣ୍ଡାର ଆସରା ଘରେ ଘରେ ହୋଇଥାଏ। ଅନେକ ସ୍ଥାନରେ ବାଉଁଶ କରଡ଼ିକୁ ବ୍ୟଞ୍ଜନ ଭାବରେ ବ୍ୟବହାର କରାଯାଇଥାଏ। ନୂଆଁଖାଇର ଏକ ବିଶେଷତ୍ୱ ହେଲା ଯେ,ନୂଆଁଖାଇବା ପାଇଁ ସୁନାପାତ୍ର କି ରୁପାପାତ୍ରର ଆବଶ୍ୟକତା ନଥାଏ। ଦରକାର ହୋଇଥାଏ କୁରେ,ମହୁଲ ଓ ରେଙ୍ଗାଲ ଗଛର ପତ୍ର। ଗ୍ରାମୀଣ ସଂସ୍କୃତିର ଏହା ଏକ ବାର୍ତ୍ତାବହ ଉତ୍ସବ ବୋଲି କହିଲେ ଭୁଲ ହେବ ନାହିଁ।
ସ୍ଥୁଳତଃ ମା’ ସମଲେଶ୍ୱରୀଙ୍କ ପାଦ ତଳେ ସମସ୍ତେ ପ୍ରଣିପାତ କରି ପରିବାରର ମଙ୍ଗଳ ଓ ଜନକଲ୍ୟାଣ ପାଇଁ ପ୍ରାର୍ଥନା କରିବା ଏକ ବିଶେଷ ଗୌରବ ବହନ କରେ। ମା’ ସମଲେଶ୍ୱରୀଙ୍କୁ ସମଗ୍ର ଦେଶର ସମୃଦ୍ଧି ଓ ମଙ୍ଗଳଦେବୀ ଭାବରେ ରାଜ୍ୟବାସୀ ପୂଜା କରିଥାନ୍ତି। ଏହା ହିଁ ତାତ୍ପର୍ଯ୍ୟ।



