www.samajalive.in
Tuesday, December 9, 2025
16.1 C
Bhubaneswar

ଓଡ଼ିଶା ପଞ୍ଚାୟତ ଆଇନରେ ପରିବର୍ତ୍ତନ ଜରୁରୀ

୧୯୯୩ ମସିହା ଏପ୍ରିଲ ୨୪ ତାରିଖରେ ୭୩ତମ ସମ୍ବିଧାନ ସଂଶୋଧନ ଆଇନଟି ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦନ ଲାଭକରି ସମଗ୍ର ଭାରତବର୍ଷରେ କାର୍ଯ୍ୟକାରୀ କରାଗଲା। ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା। ଫଳରେ ସାରା ଦେଶରେ ପଞ୍ଚାୟତ ଅନୁଷ୍ଠାନମାନଙ୍କୁ ସ୍ୱୟଂଶାସିତ ଅନୁଷ୍ଠାନ ରୂପେ କାର୍ଯ୍ୟ କରିବା ପାଇଁ ଯଥେଷ୍ଟ କ୍ଷମତା ଓ ଦାୟିତ୍ୱ ମିଳିପାରିଲା ଓ ପ୍ରଥମ ଥର ପାଇଁ ଏହି ସଂଶୋଧନ ଆଇନ ଦ୍ବାରା ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ଅଧିକ ମାନ୍ୟତା ମିଳିବାସହ ମହିଳା ସଶକ୍ତୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଗଲା । ପ୍ରତି ପାଞ୍ଚବର୍ଷର ବ୍ୟବଧାନରେ ନିୟମିତ ନିର୍ବାଚନ କରାଇବା ପାଇଁ ନିର୍ବାଚନ ଆୟୋଗ ଗଠନ କରାଗଲା । ପ୍ରତ୍ୟେକ ରାଜ୍ୟରେ ପଞ୍ଚାୟତ ଅନୁଷ୍ଠାନ ଗୁଡିକର ଆର୍ଥିକ ବ୍ୟବସ୍ଥାର ସମୀକ୍ଷା ଓ ଏହାର ଉନ୍ନତି ପାଇଁ ପାଣ୍ଠି ବଣ୍ଟନ କିଭଳି ଭାବେ ହେବା ଉଚିତ ସେ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସୁପାରିସ ପ୍ରଦାନ କରିବା ପାଇଁ ପ୍ରତି ପାଞ୍ଚ ବର୍ଷରେ ସ୍ୱତନ୍ତ୍ର ଅର୍ଥ କମିଶନ (ଆୟୋଗ) ଗଠନ କରାଗଲା । ସମାଜର ଅନଗ୍ରସର ଶ୍ରେଣୀ ଯଥା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଗଲା । ତୃଣମୂଳ ସ୍ତରର ଯୋଜନା ପ୍ରସ୍ତୁତିରେ ଲୋକଙ୍କ ସହଭାଗିତା, ସରକାରୀ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀ ଚିହ୍ନଟ, ନିଜେ ପ୍ରସ୍ତୁତ କରୁଥିବା ଯୋଜନାଗୁଡିକୁ ନିଜେ କାର୍ଯ୍ୟକାରୀ କରିବା ଇତ୍ୟାଦି ୭୩ ତମ ସମ୍ବିଧାନ ସଂଶୋଧନର ମୂଳ ଲକ୍ଷ୍ୟ। ଏହାଦ୍ବାରା ତୃଣମୂଳ ସ୍ତରର ଅନୁଷ୍ଠାନଗୁଡିକ ସ୍ୱୟଂ ଶାସିତ ହୋଇପାରିବେ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ନିର୍ଭରଶୀଳତା ହ୍ରାସ ପାଇବ।

ସମ୍ବିଧାନର ୭୩ ତମ ସଂଶୋଧନ ଆଇନ୍ ୧୯୯୨ ର ଧାରାଗୁଡିକରେ ଥିବା ବ୍ୟବସ୍ଥାର ଅନୁପାଳନ ନିମନ୍ତେ ଅଧିକାଂଶ ରାଜ୍ୟ ସରକାର ସମସ୍ତ ମୂଳ ପଞ୍ଚାୟତ ଆଇନଗୁଡିକରେ ଆମୂଳଚୂଳ ସଂଶୋଧନ କରିବା ସହିତ ସମନ୍ବୟ ଆଣି ଏକୀଭୂତ ପଞ୍ଚାୟତ ଆଇନ୍ ପ୍ରଣୟନ କରିଛନ୍ତି। ଉଦାହରଣ ସ୍ୱରୂପ ମଧ୍ୟପ୍ରଦେଶ ସରକାର ‘ମଧ୍ୟପ୍ରଦେଶ ପଞ୍ଚାୟତିରାଜ ଆଇନ ୧୯୯୩’ ପ୍ରଣୟନ କଲାବେଳେ ବିହାର ସରକାର ‘ବିହାର ପଞ୍ଚାୟତିରାଜ ଆଇନ ୧୯୯୩’, ଗୁଜୁରାଟ ସରକାର ‘ଗୁଜୁରାଟ ପଞ୍ଚାୟତିରାଜ ଆଇନ ୧୯୯୩’, ଆନ୍ଧ୍ର ପ୍ରଦେଶ ସରକାର ‘ଆନ୍ଧ୍ର ପ୍ରଦେଶ ପଞ୍ଚାୟତିରାଜ ଆଇନ ୧୯୯୪’, ହିମାଚଳ ପ୍ରଦେଶ ସରକାର ‘ହିମାଚଳ ପ୍ରଦେଶ ପଞ୍ଚାୟତିରାଜ ଆଇନ୍ ୧୯୯୪’, ପ୍ରଣୟନ କରିଛନ୍ତି । ଏହି ସବୁ ପଞ୍ଚାୟତିରାଜ ଆଇନର ନାମକରଣରୁ ଜଣାଯାଏ ଯେ ଉକ୍ତ ଆଇନ୍ ଗୁଡିକ ସଂପୃକ୍ତ ରାଜ୍ୟ ଦ୍ୱାରା ୧୯୯୩ – ୧୯୯୪ ମସିହାରେ ପ୍ରଣୟନ କରାଯାଇଛି । ଅର୍ଥାତ୍ ୧୯୯୩ ମସିହାରେ ୭୩ ତମ ସଂଶୋଧନ ପରେ ପ୍ରଣୟନ କରାଯାଇଛି ।

- Advertisement -

ମାତ୍ର ଓଡିଶା ଏ ଦିଗରେ ଏକ ବ୍ୟତିକ୍ରମ। ଏକକ ତଥା ଏକୀଭୂତ ଆଇନ ବଦଳରେ ଓଡିଶା ବିଭିନ୍ନ ସମୟରେ ନିର୍ମିତ ୩ଟି ପୃଥକ ପୃଥକ ଆଇନ ଯଥା ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪, ପଞ୍ଚାୟତ ସମିତି ଆଇନ ୧୯୫୯ ଏବଂ ଜିଲା ପରିଷଦ ଆଇନ ୧୯୯୧ ଦ୍ୱାରା ନିୟନ୍ତ୍ରିତ । ଏତଦ୍ ବ୍ୟତୀତ, ଓଡ଼ିଶାର ପଞ୍ଚାୟତିରାଜ ଆଇନ ଅଧୀନରେ ବିଭିନ୍ନ ସମୟରେ ନିୟମାବଳୀଗୁଡିକ ପ୍ରଣୀତ ହୋଇଥିଲା; ଯେପରିକି ଓଡିଶା ଗ୍ରାମ ପଞ୍ଚାୟତ ନିୟମାବଳୀ ୧୯୬୮, ଓଡିଶା ପଞ୍ଚାୟତ ସମିତି (ଆଡମିନିଷ୍ଟ୍ରେସନ୍ ଅଫ୍ ଆଫେୟାର୍ସ) ନିୟମାବଳୀ ୧୯୮୭ ଏବଂ ଓଡିଶା ଜ଼ିଲ୍ଲା ପରିଷଦ (ଆଚରଣ ବିଧି) ନିୟମାବଳୀ ୧୯୯୬। ଆମ ରାଜ୍ୟ ସରକାର ସମ୍ବିଧାନର ୭୩ତମ ସଂଶୋଧନର ବ୍ୟବସ୍ଥା ଅନୁଯାୟୀ ଉପରୋକ୍ତ ଆଇନଗୁଡିକର ବ୍ୟାପକ ସଂଶୋଧନ ନ କରି ସାଙ୍କେତିକ ଭାବରେ କିଛି ଉପରଠାଉରିଆ ସଂଶୋଧନ କରିଛନ୍ତି। ଆମ ରାଜ୍ୟରେ ଏବେ ସୁଦ୍ଧା ପଞ୍ଚାୟତିରାଜ ବ୍ୟବସ୍ଥା ୧୯୯୩ ପୂର୍ବରୁ ପ୍ରଚଳିତ ଆଇନ୍ ଦ୍ୱାରା ପରିଚାଳିତ ହେଉଥିବା ହେତୁ ପଞ୍ଚାୟତ ପରିଚାଳନାରେ ପ୍ରକୃତ କ୍ଷମତା ଅମଲାତନ୍ତ୍ର ହାତରେ ଠୁଳ ହୋଇ ରହିଛି ।

ଉଦାହରଣ ସ୍ୱରୂପ ଓଡିଶା ଗ୍ରାମ ପଞ୍ଚାୟତ ଆଇନର ବିଭାଗ ୫ରେ ଏକ ଅଧ୍ୟାୟ ରହିଛି, ଯାହାର ନାମ ‘ନିୟନ୍ତ୍ରଣ’ ବା କଣ୍ଟ୍ରୋଲ। ଏହା ହେଉଛି ପଞ୍ଚାୟତର ସମସ୍ତ ବିଭାଗର ଯଥା ଗ୍ରାମ ପଞ୍ଚାୟତର ଟିକସ, ଅର୍ଥ ଏବଂ ପ୍ରଶାସନ କ୍ଷେତ୍ରରେ ପ୍ରକୃତ ନିୟନ୍ତ୍ରଣ ଅମଲାତନ୍ତ୍ରଙ୍କ ଅଧୀନରେ ରହିଛି। ଏହା କେବଳ ଅନୁସୂଚିତ ଅଞ୍ଚଳରେ ପଞ୍ଚାୟତ ସମ୍ପ୍ରସାରଣ ଆଇନ (ପେସା) ୧୯୯୬ ନୁହେଁ ବରଂ ୭୩ ତମ ସଂଶୋଧନର ଧାରା ୨୪୩-ଜିର ଉଲ୍ଲଂଘନ। ଏଥିପାଇଁ ଅମଲାତନ୍ତ୍ର, ରାଜନୈତିକ ନେତୃତ୍ୱ ଏବଂ ପଞ୍ଚାୟତ ଶାସନର ଉପର ସ୍ତରର ବ୍ୟକ୍ତିମାନେ ପଞ୍ଚାୟତଗୁଡିକୁ ନିଜର ନିୟନ୍ତ୍ରଣରେ ରଖିଆସୁଛନ୍ତି ଯାହାକି ସମ୍ବିଧାନ ସଂଶୋଧନ ବ୍ୟବସ୍ଥା ପୂର୍ବରୁ ଥିଲା।

ଓଡିଶାରେ ଏହି ପଞ୍ଚାୟତ ଆଇନଗୁଡିକୁ ଅନୁସୂଚିତ ଓ ଅଣଅନୁସୂଚିତ ଅଞ୍ଚଳରେ ମଧ୍ୟ ପ୍ରାୟ ଏକା ପ୍ରକାର ଲାଗୁ କରାଯାଇଛି। ଯଦିବା ଅନୁସୂଚିତ ଅଞ୍ଚଳରେ ପେସା ଆଇନ୍ ଅନୁଯାୟୀ ଆଦିବାସୀଙ୍କର ବିଭିନ୍ନ ପଞ୍ଚାୟତ ସ୍ତରରେ ସଂରକ୍ଷଣ କରାଯାଇଛି । ଉଦାହରଣ ସ୍ୱରୂପ ପେସା ଆଇନ୍ ୧୯୯୬ ଅନୁଯାୟୀ ଗ୍ରାମର ସଂଜ୍ଞା ହେଉଛି ଏକ ବା ଏକାଧିକ ଜନବସତି ଅଥବା ଏକ ବା ଏକାଧିକ ଗ୍ରାମ୍ୟ ଖଣ୍ଡରେ ବ୍ୟାପ୍ତ ହେଉଥିବା ଗୋଟିଏ ଜନଗୋଷ୍ଠୀ, ଯେ କି ନିଜର ପରମ୍ପରା ଓ ପ୍ରଥା ସମୂହ ଅନୁଯାୟୀ ନିଜର ବ୍ୟାପାର ସମୂହକୁ ପରିଚାଳନା କରୁଥିବେ, ସାଧାରଣତଃ ତାକୁ ନେଇ ଏକ ଗ୍ରାମ ଗଠିତ ହେବ;  କିନ୍ତୁ ଓଡିଶା ସରକାର, ଓଡିଶା ଗ୍ରାମ ପଞ୍ଚାୟତ ସଂଶୋଧନ ଆଇନ ୧୯୯୭ରେ ‘ଏକ ସମ୍ପ୍ରଦାୟ କିମ୍ବା ଏକାଧିକ ସମ୍ପ୍ରଦାୟଗୁଡିକୁ ନେଇ ଗ୍ରାମ ଗଠନ କରାଯାଇ ପାରିବ’ ବୋଲି ଉଲ୍ଲେଖ କରିଛନ୍ତି ଯାହା ପେସା ଆଇନର ବିରୁଦ୍ଧାଚରଣ କରୁଅଛି। ଏସବୁ ବିସଙ୍ଗତିକୁ ଦୂରେଇବାପାଇଁ ରାଜ୍ୟ ସ୍ତରରେ ଏକ ‘ଗ୍ରାମ ପୁନର୍ଗଠନ ଆୟୋଗ’ ଗଠନ କରାଯାଉ। ସମ୍ବିଧାନର ଭାଗ ୯ ଅନୁଯାୟୀ ଅଣଅନୁସୂଚିତ ଅଞ୍ଚଳରେ ଗ୍ରାମକୁ ପରିଭାଷିତ କରାଯାଉ ଏବଂ ଅନୁସୂଚିତ ଅଞ୍ଚଳରେ ପେସା ଆଇନକୁ ଦୃଷ୍ଟିରେ ରଖି ଗ୍ରାମକୁ ପରିଭାଷିତ କରିବା ଆବଶ୍ୟକ।

ଆଉ ଏକ ଉଦାହରଣ ହେଉଛି, ପେସା ଆଇନ ୧୯୯୬ ଅନୁଯାୟୀ ଓଡିଶାର ଅନୁସୂଚିତ ଅଞ୍ଚଳରେ ଲଘୁ ଖଣିଜ ପଦାର୍ଥର ଉତ୍ତୋଳନ ପାଇଁ ମଞ୍ଜୁରୀ ଓ ରିଆତି ଦେବାର କ୍ଷମତା ଗ୍ରାମସଭାକୁ ନ୍ୟସ୍ତ କରାଯାଇଛି; କିନ୍ତୁ ଓଡ଼ିଶା ଲଘୁ ଖଣିଜ ସମୂହ ରିଆତି ନିୟମାବଳୀ ୨୦୦୪ ଅନୁଯାୟୀ ଲଘୁ ଖଣିଜ ପଦାର୍ଥ ଉତ୍ତୋଳନର ମଞ୍ଜୁରୀ ଓ ରିଆତି ଦେବାର କ୍ଷମତା ରାଜସ୍ୱ ବିଭାଗର ଅଧିକାରୀ ତହସିଲଦାରଙ୍କୁ ନ୍ୟସ୍ତ କରାଯାଇଛି। ପେସା ଆଇନ ଅନୁଯାୟୀ ଜମି ଅଧିଗ୍ରହଣ ପାଇଁ ପ୍ରସ୍ତାବକୁ ଅନୁମୋଦନ କରିବାର ଚୂଡାନ୍ତ କ୍ଷମତା ଗ୍ରାମସଭା ବଦଳରେ ଜିଲା ପରିଷଦକୁ ଦିଆଯାଇଛି (ଜିଲା ପରିଷଦ ଆଇନ ୧୯୯୧ ର ଧାରା ୩-୬)! ସମସ୍ତ ସରକାରୀ ସଂସ୍ଥା ଓ କାର୍ଯ୍ୟକର୍ତ୍ତାଙ୍କ ଉପରେ ନିୟନ୍ତ୍ରଣ କରିବାର କ୍ଷମତା ଗ୍ରାମସଭା ବଦଳରେ ପଞ୍ଚାୟତ ସମିତି ଉପରେ ନ୍ୟସ୍ତ କରାଯାଇଛି (ଓଡିଶା ପଞ୍ଚାୟତ ସମିତି ଆଇନ ୧୯୫୯, ଧାରା ୨୦-୫)।

ଏହା ନିଶ୍ଚିତ ଯେ ଯଦି ଗ୍ରାମସଭାଗୁଡିକୁ କ୍ରିୟାଶୀଳ ନକରାଯାଏ ତେବେ ସଶକ୍ତ ଏବଂ ଉତ୍ତରଦାୟୀ ପଞ୍ଚାୟତ ଗଠିତ ହେବ ନାହିଁ। ପଞ୍ଚାୟତ ଓ ଗ୍ରାମସଭା ହେଉଛି ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରଥମ ସୋପାନ। ତେଣୁ ପଞ୍ଚାୟତ ଏବଂ ଗ୍ରାମସଭାକୁ ଦୃଢ ଏବଂ ଦକ୍ଷ ଅନୁଷ୍ଠାନ ଭାବରେ ଗଢାଯାଇପାରିଲେ ପଞ୍ଚାୟତଗୁଡିକ ସ୍ବୟଂଶାସିତ ଅନୁଷ୍ଠାନର ରୂପ ନେବେ।

୨୦୧୩ ମସିହାରେ, ୭୩ ତମ ସମ୍ବିଧାନ ସଂଶୋଧନର ଯୁଗାନ୍ତକାରୀ ଆଇନର ୨୦ ତମ ବାର୍ଷିକୀ ପାଳନ କରିବାକୁ, ପଞ୍ଚାୟତିରାଜ ମନ୍ତ୍ରଣାଳୟ, ଭାରତ ସରକାର, ମଣିଶଙ୍କର ଆୟାରଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। କମିଟି ଏପ୍ରିଲ୍ ୨୪, ୨୦୧୩, ଏକ ରିପୋର୍ଟ ଦେଇଥିଲେ ଯାହାର ଶୀର୍ଷକ ରହିଛି ଯେ ‘ସାଧାରଣ ସାମଗ୍ରୀ ଏବଂ ସେବାଗୁଡିକର ଅଧିକ ଦକ୍ଷ ବିତରଣ ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ ସକ୍ଷମ କରିବା’। ଏହି ରିପୋର୍ଟର ଏକ ପ୍ରମୁଖ ସନ୍ଧାନ ହେଉଛି ଯେ ‘୭୩ ତମ ସଂଶୋଧନ ଅନୁଯାୟୀ ପଞ୍ଚାୟତ ପାଣ୍ଠି, କାର୍ଯ୍ୟ ଏବଂ କାର୍ଯ୍ୟକର୍ତ୍ତାଙ୍କ ବିନିଯୋଗରେ ରାଜ୍ୟମାନେ ବିଫଳ ହୋଇଛନ୍ତି’। ପ୍ରାୟ ୧୫୦ କେନ୍ଦ୍ରୀୟ କ୍ଷେତ୍ର ଯୋଜନାଗୁଡିକ (ସେଣ୍ଟ୍ରାଲ୍ ସେକ୍ଟର ସ୍କିମ୍) ମଧ୍ୟରୁ କେବଳ ଦୁଇଟି ମନରେଗା ଏବଂ ବିଆରଜିଏଫ୍‌- ଏହି ଯୋଜନାଗୁଡିକର ପ୍ରଶାସନିକ ପ୍ରସଙ୍ଗରେ ଗ୍ରାମ ସଭା ଏବଂ ଗ୍ରାମ ପଞ୍ଚାୟତର ଭୂମିକା ପ୍ରଦାନ କରିଥାଏ। ଅନ୍ୟାନ୍ୟ ଯୋଜନା ବିଶେଷ ଭାବରେ ଅମଲାତନ୍ତ୍ର-ଚାଳିତ; ତେଣୁ ପଞ୍ଚାୟତର ଭୂମିକା ନ ଥାଏ। ଏହା ବ୍ୟତୀତ କେନ୍ଦ୍ରୀୟ କ୍ଷେତ୍ର ଯୋଜନାଗୁଡିକ ଗ୍ରାମ ସ୍ତରରେ ସମାନ୍ତରାଳ ସଂସ୍ଥାକୁ ପ୍ରୋତ୍ସାହିତ କରିଛନ୍ତି ଯାହା ସମ୍ପୃକ୍ତ ବିଭାଗର ଅମଲାତନ୍ତ୍ର ନିକଟରେ ଉତ୍ତରଦାୟୀ; କିନ୍ତୁ ସ୍ଥାନୀୟ ପଞ୍ଚାୟତ କିମ୍ବା ଗ୍ରାମ ସଭାଗୁଡ଼ିକ ପାଖରେ ଉତ୍ତରଦାୟୀ ନୁହେଁ। କମିଟି ସୁପାରିସ କରିଥିଲେ ଯେ ସମ୍ବିଧାନର ଧାରା ୨୪୩-ଜି ଅନୁଯାୟୀ ରାଜ୍ୟଗୁଡିକ ଗ୍ରାମସଭାକୁ ଆବଶ୍ୟକ କ୍ଷମତା ପ୍ରଦାନ କରିବା ଉଚିତ।

ଆଜିର ଦିନରେ ଆଶା କରିବା , ଓଡିଶା ସରକାର, ରାଜ୍ୟରେ ପ୍ରଚଳିତ ପଞ୍ଚାୟତ ଆଇନଗୁଡିକୁ ୭୩ ତମ ସମ୍ବିଧାନ ସଂଶୋଧନର ଧାରା ୨୪୩-ଏନ ଏବଂ ପେସା ଆଇନ, ୧୯୯୬ର ଧାରା ୫କୁ ଦୃଷ୍ଟିରେ ରଖି ଏକ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଗ୍ରାମ ପଞ୍ଚାୟତ ସମ୍ବନ୍ଧୀୟ ତିନିଟି ଆଇନକୁ ଏକତ୍ର କରି ଏକ ସମନ୍ୱିତ ପଞ୍ଚାୟତ ଆଇନ ପ୍ରଣୟନ କରିବେ। ସେହି ଏକକ ପଞ୍ଚାୟତ ଆଇନର ପ୍ରତ୍ୟେକ ଧାରା, ଗ୍ରାମ ତଥା ଗ୍ରାମବାସୀଙ୍କ ସ୍ୱାର୍ଥରକ୍ଷା କରିବା ସହିତ ଅତ୍ୟନ୍ତ ପ୍ରାଞ୍ଜଳ, ସରଳ ଏବଂ ବୋଧଗମ୍ୟ ହେବା ବିଧେୟ। ଓଡିଶାରେ ବର୍ତ୍ତମାନ ୬୮୦୨ଟି ଗ୍ରାମ ପଞ୍ଚାୟତକୁ ସ୍ୱାୟତ୍ତ ଶାସନର ମୂଳଦୁଆ ଭାବରେ ଗଢି ତୋଳିବାକୁ ହେଲେ ସରକାର ଏହାକୁ ପ୍ରକୃତ କ୍ଷମତା ପ୍ରଦାନ କରିବା ଆବଶ୍ୟକ । ପଞ୍ଚାୟତଗୁଡିକ ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କଲାବେଳେ ସମାଜର ବଂଚିତ ଓ ଅନଗ୍ରସର ଶ୍ରେଣୀଗୁଡିକ ପ୍ରତି ବିଶେଷ ଧ୍ୟାନ ଦେବେ, ଯଦ୍ୱାରା ସମାଜରେ ଅର୍ଥନୈତିକ ବିକାଶ ସହିତ ସାମାଜିକ ନ୍ୟାୟ ପ୍ରତିଷ୍ଠା ହୋଇପାରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories