www.samajalive.in
Monday, December 8, 2025
20.1 C
Bhubaneswar

କେତନଜି ଜ୍ୟାକସନ: ଆଶାର ଆଲୋକବର୍ତ୍ତିକା

ଆମେରିକାର ଇତିହାସ ବୈଷମ୍ୟ ଓ ବଞ୍ଚନାର ଇତିହାସ। ସଂସ୍କୃତି ଓ ସଭ୍ୟତାରେ ପ୍ରତିହିଂସା; ​ଶ୍ବେ​‌ତାଙ୍ଗ ଆଧିପତ୍ୟବାଦର ପ୍ରବଣତା।  ବର୍ଣ୍ଣବାଦର ବାରୁଦସ୍ତୂପ ଉପରେ ଫର ଫର ଉଡୁଛି ଗଣତନ୍ତ୍ର ଓ ସାମ୍ୟ, ମୈତ୍ରୀର ଜୈତ୍ର ପତାକା। ସାରା ବିଶ୍ୱକୁ ସାମାଜିକ ନ୍ୟାୟ ଓ ମାନବ ଅଧିକାର ସୁରକ୍ଷା ନାଆଁରେ ଗୁରୁ ଜ୍ଞାନ ଦେଉଥିବା ଏଇ ଦେଶର ଶାସନ, ଶୋଷଣ, ବିଦ୍ବେଷମୂଳକ ଆଚରଣ ଓ ଆସ୍ଫାଳନ ଶତାବ୍ଦୀ-ପ୍ରାଚୀନ।

ଏହି ପ୍ରେକ୍ଷାପଟରେ ଗତ ଏପ୍ରିଲ ୭ ତାରିଖର ଘଟଣାଟି ନିଶ୍ଚିତ ସ୍ୱାଗତଯୋଗ୍ୟ। ୧୭୮୯ ମସିହାରେ ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ ଗଠିତ ହେବା ଦିନଠାରୁ ୨୩୩ ବର୍ଷର ଇତିହାସରେ ଯାହା ଘଟିନଥିଲା ତାହା ଘଟିଲା। ପ୍ରଥମଥର ପାଇଁ ଜଣେ କୃଷ୍ଣକାୟ ମହିଳା କେତନଜି ବ୍ରାଉନ ଜ୍ୟାକସନ ଆମେରିକାର ଶୀର୍ଷ ଅଦାଲତର ବିଚାରପତି ଭାବେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେଲେ। ୮୩ ବର୍ଷୀୟ ବିଚାରପତି ଷ୍ଟିଫେନ ବ୍ରେୟର ପଦତ୍ୟାଗ କରିବାପରେ କେତନଜି ସେହି ଆସନ ଅଳଙ୍କୃତ କରିବେ। ଏହା ପ୍ରେରଣା ଉଦ୍ଦୀପକ ଓ ଉତ୍ସାହବର୍ଦ୍ଧକ; କିନ୍ତୁ ଅନିଶ୍ଚିତତାର ଆସ୍ତରଣ ଭେଦକରି ବିଶ୍ୱାସର ସୂର୍ଯ୍ୟାଲୋକ ଟିକେ ପାଇବାପାଇଁ ୨୩୨ ବର୍ଷ ଯେ ପ୍ରତୀକ୍ଷା କରିବାକୁ ପଡିଲା ତାହା ହିଁ ଆଲୋଚ୍ୟ ବିଷୟ।

- Advertisement -

ଆମେରିକାର ଶୀର୍ଷ ଅଦାଲତର ବିଚାରପତି ହେବା ପାଇଁ ରାଷ୍ଟ୍ରପତିଙ୍କ ମନୋନୟନ ଓ ସିନେଟର ଅନୁମୋଦନ ଆବଶ୍ୟକ।  ବିଚାରପତି ହେଲା ପରେ କେହି ଯଦି ସ୍ୱଇଚ୍ଛାରେ ପଦ ତ୍ୟାଗ କରନ୍ତି ଭିନ୍ନ କଥା; ଅନ୍ୟଥା ସେ ଆଜୀବନ ବିଚାରପତି ରହନ୍ତି।  ବାଇଡେନଙ୍କ ପୂର୍ବରୁ ଜର୍ଜ ୱାଶିଂଟନଙ୍କଠାରୁ ଡୋନାଲଡ ଟ୍ରମ୍ପଙ୍କ ପର୍ଯ୍ୟନ୍ତ ୪୫ ଜଣ ରାଷ୍ଟ୍ରପତି ଶାସନଭାର ଗ୍ରହଣ କରିଛନ୍ତି। ବିଶେଷତଃ ରୋନାଲଡ ରିଗାନ, କ୍ଲିଣ୍ଟନ ଓ ବୁଶ ପିତା-ପୁତ୍ରଙ୍କ ୨୮ ବର୍ଷର ଶାସନ କାଳରେ କନ୍ସଷ୍ଟାନ୍ସ ବେକର ମୋଟଲି ଓ ଅମାଲ୍ୟ ଲାଇଲ କିଅରସଙ୍କ ପରି ଜିଲା ଓ ସର୍କିଟ କୋର୍ଟରେ ନିଜର ଦକ୍ଷତା ପ୍ରମାଣିତ କରିଥିବା କୃଷ୍ଣକାୟ ମହିଳା ନ୍ୟାୟମୂର୍ତ୍ତିଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ମନୋନୀତ କରାଗଲା ନାହିଁ। ଟ୍ରମ୍ପଙ୍କ ସମୟରେ ଫେଡ଼େରାଲ କୋର୍ଟର ବିଚାରପତି ପଦରେ ନିଯୁକ୍ତି ବେଳେ ସୁଯୋଗ୍ୟ କୃଷ୍ଣକାୟ ଲୋକଙ୍କୁ ସ୍ବେଚ୍ଛାକୃତ ଭାବେ ଉପେକ୍ଷା କରାଗଲା। ଗୋଟିଏ ପରିସଂଖ୍ୟାନ ଅନୁଯାୟୀ ୨୦୨୦ ଅକ୍ଟୋବର ସୁଦ୍ଧା ଆମେରିକାର ତ୍ରିସ୍ତରୀୟ ବିଚାର ବ୍ୟବସ୍ଥାରେ ନ୍ୟାୟାଧୀଶ ଭାବେ ଅଧିଷ୍ଠିତ ହୋଇଥିବା ୩୮୪୩ ନ୍ୟାୟମୂର୍ତ୍ତିଙ୍କ ମଧ୍ୟରୁ ମାତ୍ର ୭୦ ଜଣ କୃଷ୍ଣାଙ୍ଗ। ଦୁଇ ପ୍ରତିଶତରୁ କମ୍‌।

ଏହି ପ୍ରସଙ୍ଗରେ ସ୍ମରଣକୁ ଆସୁଛି ଗୋପବନ୍ଧୁ ସାହିତ୍ୟ ମନ୍ଦିର ଦ୍ୱାରା ପ୍ରକାଶିତ ଉଦୟନାଥ ଷଡ଼ଙ୍ଗୀଙ୍କ ‘ଟମକକାଙ୍କ କୁଟୀର’। ଅନବଦ୍ୟ କୃତି ଓ କୀର୍ତ୍ତିର ସ୍ବାକ୍ଷର। ୧୭୦ ବର୍ଷ ତଳେ ୧୮୫୨ରେ ମିସେସ ହାରିଏଟ ଏଲିଜାବେଥ ବିଚର ଷ୍ଟୋଙ୍କ ରଚିତ କାଳଜୟୀ ଉପନ୍ୟାସର ଅନୂଦିତ ସଂକଳନ। କୃଷ୍ଣକାୟ ଇତିହାସର ବାଇବେଲ ରୂପେ ପରିଚିତ ଏହି ଉପନ୍ୟାସ ନିରୀହ ନିରାଶ୍ରୟ ନିଗ୍ରୋମାନଙ୍କର ନିର୍ମମ ନିପୀଡ଼ନର ଦଲିଲ। ଏହି ଉପନ୍ୟାସର ପ୍ରଭାବରୁ ୧୮୬୩ରେ ଆମେରିକାରୁ ଦାସ ପ୍ରଥାର କଳଙ୍କ କାଳିମା ଲୋପ ପାଇଲା ସତ; ମାତ୍ର ଏବେବି ଚମଡାର ରଙ୍ଗ ଜୀବନର ସ୍ୱର ଓ ସର୍ତ୍ତ ନିର୍ଦ୍ଧାରଣ କରେ। ୨୦୨୦ରେ ଜର୍ଜ ଫ୍ଲଏଡ଼ଙ୍କ ନିର୍ମମ ହତ୍ୟା ଅଥବା ଗତ ମେ ୧୪ ତାରିଖରେ ନିଉୟର୍କର ବୁଫେଲୋରେ ଦଶ ଜଣ କୃଷ୍ଣକାୟଙ୍କର ଗଣ ହତ୍ୟା ହେଉ, ସବୁଠି ସେଇ ବର୍ଣ୍ଣ ବିଦ୍ବେଷ ଓ ଲିଙ୍ଗ ବୈଷମ୍ୟର ବିଷ ଜ୍ୱାଳା। ସେଇ ରୁଗ୍ଣ ମାନସିକତା।

କେତନଜିଙ୍କର ଜୀବନ ଯାତ୍ରା ମଧ୍ୟ କୌଣସି ପରୀ ରାଇଜର କାହାଣୀଠାରୁ କମ ନୁହେଁ। ତାଙ୍କ ସଂଘର୍ଷମୟ ଜୟଯାତ୍ରାରେ ତାଙ୍କ ସ୍ୱାମୀ ପ୍ୟାଟ୍ରିକ ଜ୍ୟାକସନ, ଦୁଇ ଝିଅ ଲଇଲା ଓ ତଲିଆଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ । କେତନଜିଙ୍କର ଜନ୍ମ ୧୯୭୦ ମସିହା ସେପ୍ଟେମ୍ବର ୧୪ ତାରିଖରେ ୱାଶିଂଟନରେ ହୋଇଥିଲା । ପିତା ଜନି ବ୍ରାଉନ ଜଣେ ଆଇନଜ୍ଞ ଓ ମାଆ ଏଲୋରି ବ୍ରାଉନ ବୃତ୍ତିରେ ଶିକ୍ଷୟିତ୍ରୀ ଥିଲେ। ଉଭୟ କୃଷ୍ଣକାୟ ହୋଇଥିବାରୁ ବର୍ଣ୍ଣ ବୈଷମ୍ୟର ଶିକାର ହୋଇ ଅନେକ ଯାତନା ଭୋଗିଥିଲେ। ପିଲାଟି ଦିନରୁ ପିତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ କେତନଜି ଆଇନ ବିଦ୍ୟା ପ୍ରତି ଆକର୍ଷିତ ହୋଇଥିଲେ। ପରେ ପ୍ରସିଦ୍ଧ ହାଭାର୍ଡ ଲ’ ସ୍କୁଲରୁ ଆଇନ ଶିକ୍ଷାରେ ସମ୍ମାନର ସହ ଡିଗ୍ରୀ ହାସଲ କରି ଆମେରିକା ଫେଡ଼େରାଲ କୋର୍ଟରେ ନଅ ବର୍ଷ କାଳ ବିଚାରପତି ହୋଇଥିଲେ। ଏହି ପଦରେ ତାଙ୍କର ଗୌରବୋଜ୍ଜ୍ୱଳ କାର୍ଯ୍ୟକାଳ ଓ ଦକ୍ଷତା ଦୃଷ୍ଟିରୁ ସେ ସର୍ବୋଚ୍ଚ ଅଦାଲତର ପଦ ମଣ୍ଡନ କରିବାପାଇଁ ସର୍ବତୋ ଭାବେ ସୁଯୋଗ୍ୟ ଥିଲେ।

ଏହା ସତ୍ତ୍ୱେ ସିନେଟରେ ରିପବ୍ଲିକାନ ଦଳର ସିନେଟରମାନେ ତାଙ୍କ ମନୋନୟନକୁ ତୀବ୍ର ବିରୋଧ କଲେ। ବିଚାର ବିଭାଗୀୟ କମିଟିର ରିପବ୍ଲିକାନ ସଦସ୍ୟମାନେ ତାଙ୍କୁ ଚାରି ଦିନ ଧରି ଜେରା କଲେ। ଅନେକ ଅବାଞ୍ଛିତ ପ୍ରଶ୍ନ ପଚାରି ତାଙ୍କ ନାମାଙ୍କନକୁ ଅଗ୍ରାହ୍ୟ କରିବାପାଇଁ ଯତ୍‌ପରୋନାସ୍ତି ଚେଷ୍ଟା କଲେ। ସେମାନେ ଭାବୁଥିଲେ କେତନଜି ନ୍ୟାୟାଧୀଶ ହେଲେ, ବିଶେଷତଃ କୃଷ୍ଣକାୟ ଅପରାଧୀମାନଙ୍କୁ ସୁରକ୍ଷା ଦେବେ; କାରଣ ସେ ସଂପୂର୍ଣ୍ଣ ଉଦାରପନ୍ଥୀ। ଆମେରିକା ସିନେଟର ୧୦୦ ଜଣ ସଦସ୍ୟଙ୍କ ମଧ୍ୟରୁ ୫୦ ଜଣ ରିପବ୍ଲିକାନ ଦଳର , ୪୮ ଜଣ ଡେମୋକ୍ରାଟ ଦଳର ଓ ଦୁଇ ଜଣ ସ୍ୱାଧୀନ ସଦସ୍ୟ। ଉପରାଷ୍ଟ୍ରପତି କମଳା ହାରିସ ସିନେଟର ସଭାପତି। କହିବା ବାହୁଲ୍ୟ, ସେ ମଧ୍ୟ ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି। ରାଷ୍ଟ୍ରପତି ବାଇଡେନ ଓ ଉପରାଷ୍ଟ୍ରପତି ହାରିସଙ୍କର ସୁଚତୁର ଗୋଟି ଚାଳନାରେ ତିନିଜଣ ରିପବ୍ଲିକାନ ସିନେଟର କେତନଜିଙ୍କ ସପକ୍ଷରେ ଭୋଟ ଦେବାରୁ ୫୩-୪୭ ଅର୍ଥାତ ଛଅଟି ଭୋଟ ବ୍ୟବଧାନରେ କେତନଜିଙ୍କ ନିଯୁକ୍ତି ଅନୁମୋଦନ ଲାଭ କଲା। ସତେ ଯେମିତି ଟି୨୦ କ୍ରିକେଟ ଖେଳର ଅନ୍ତିମ ଓଭରର ଅନ୍ତିମ ବଲରେ ବିଜୟସୂଚକ ଛକା ମାରି କମଳା ହ୍ୟାରିସ କେତନଜିଙ୍କୁ ଜିତେଇଦେଇ ଇତିହାସର ମୋଡ ବଦଳେଇଦେଲେ।

କେତନଜି ବିଚାରପତି ଆସନ ଗ୍ରହଣ କରିବା ପରେ ଗର୍ଭପାତ ସମ୍ବନ୍ଧୀୟ ଦ୍ବିତୀୟ ସଂଶୋଧନ, ସମଲିଙ୍ଗୀଙ୍କ ପ୍ରତି ହେଉଥିବା ଭେଦଭାବ, ଧର୍ମୀୟ ସ୍ୱାଧୀନତା, ବନ୍ଧୁକ ସ୍ୱାଧୀନତାର ସୀମାବଦ୍ଧତା ଇତ୍ୟାଦି ବିଭିନ୍ନ ସମ୍ବେଦନଶୀଳ ବିଷୟର ଉପଯୁକ୍ତ ବିଚାର ବିବେଚନା କରି ସୁଚିନ୍ତିତ ରାୟ ପ୍ରଦାନ କରିବେ ବୋଲି ସମସ୍ତେ ଆଶାବାଦୀ। ସିନେଟରେ ଡେମୋକ୍ରାଟ ଦଳର ମୁଖ୍ୟ ଚକ ସୁମାରଙ୍କ ଭାଷାରେ କେତନଜି ଅନିର୍ବାଣ ଆଲୋକବର୍ତ୍ତିକା ହୋଇ ଆଗାମୀ ବଂଶଧରଙ୍କୁ ପ୍ରେରଣା ଦେଇ ଚାଲିଥିବେ, ଏଥିରେ ସନ୍ଦେହ ନାହିଁ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories