www.samajalive.in
Sunday, December 7, 2025
16.1 C
Bhubaneswar

ଦକ୍ଷିଣ ଆଫ୍ରିକାକୁ ହରାଇ କ୍ରସଓଭରରେ ବେଲଜିୟମ

ଭୁବନେଶ୍ୱର : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ପୁରୁଷ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟର ଏକ ପୁଲ୍‍-ସି ମ୍ୟାଚରେ ବେଲଜିୟମ ୫-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ବିଜୟ ସହ ବେଲଜିୟମ ତିନିଟି ମ୍ୟାଚରୁ ୭ ପଏଣ୍ଟ ହାସଲ କରିଛି। ତେବେ ପୁଲ୍‍ର ଅନ୍ତିମ ମ୍ୟାଚରେ କାନାଡାକୁ ୫-୧ ଗୋଲରେ ପରାସ୍ତ କରି ଉନ୍ନତ ଗୋଲ ବ୍ୟବଧାନ ଭିତ୍ତିରେ ଭାରତ ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ଅର୍ଜନ କରିଥିବାବେଳେ ବେଲଜିୟମକୁ କ୍ରସଓଭର ପର୍ଯ୍ୟାୟରେ ସନ୍ତୁଷ୍ଟ ହେବାକୁ ପଡିଛି। ଅପରପକ୍ଷରେ ଲିଗ୍‍ ଶେଷ ସୁଦ୍ଧା କାନାଡା ଓ ଦକ୍ଷିଣ ଆଫ୍ରିକା ପ୍ରତ୍ୟେକ ୧ ପଏଣ୍ଟ ପାଇଥିଲେ ସୁଦ୍ଧା ଉନ୍ନତ ଗୋଲ ବ୍ୟବଧାନ ଯୋଗୁଁ କାନାଡା କ୍ରସଓଭର ପର୍ଯ୍ୟାୟରେ ପ୍ରବେଶ କରିଛି।
ସିଧାସଳଖ କ୍ୱାର୍ଟରଫାଇନାଲ ଯୋଗ୍ୟତା ଲକ୍ଷ୍ୟରେ ବେଲଜିୟମ ପଡିଆକୁ ଓହ୍ଲାଇଥିଲା। ତେବେ ପ୍ରଥମ ମିନିଟରେ ଦକ୍ଷିଣ ଆଫ୍ରିକା ଗୋଲ ଦେଇ ବେଲଜିୟମକୁ ସ୍ତବ୍ଧ କରିଦେଇଥିଲା। ବାମପାର୍ଶ୍ବରୁ ପାଇଥିବା ପାସ୍‍ରୁ ନିକୋଲସ ସ୍ପୁନର ଗୋଲ ଦେଇ ଦକ୍ଷିଣ ଆଫ୍ରିକାକୁ ୧-୦ରେ ଆଗୁଆ କରିଥିଲେ। ପରେ ବେଲଜିୟମ୍‍କୁ ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳିଥିଲା। ୧୪ ମିନିଟରେ ବେଲଜିୟମକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା। ଆଲେକ୍‍ଜାଣ୍ଡାର ହେଣ୍ଡ୍ରିକ୍‍ସ ଏହାକୁ ଗୋଲରେ ପରିବର୍ତ୍ତନ କରି ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ୧୮ ମିନିଟରେ ଫେଲିକ୍ସ ଡିନାୟରଙ୍କଠାରୁ ପାସ୍‍ ପାଇ ସାଇମନ ଗୌଗ୍‍ନାର୍ଡ ଗୋଲ ସ୍କୋର କରିବାରୁ ବେଲଜିୟମ ୨-୧ରେ ଆଗୁଆ ରହିଥିଲା। ୨୨ ମିନିଟରେ ମିଳିଥିବା ୨ୟ ପେନାଲଟି କର୍ଣ୍ଣରରୁ ହେଣ୍ଡ୍ରିକ୍‍ସ ପୁଣି ଗୋଲ ଦେବାରୁ ଏହି ବ୍ୟବଧାନ ୩-୧କୁ ବୃଦ୍ଧି ପାଇଥିଲା। ୩୦ ମିନିଟରେ ଲୋଇକ୍‍ ଲ୍ୟୁପାର୍ଟ ପେନାଲଟି କର୍ଣ୍ଣରରୁ ଗୋଲ ସ୍କୋର କରିବାରୁ ମଧ୍ୟାନ୍ତର ସୁଦ୍ଧା ସ୍କୋରଲାଇନ ବେଲଜିୟମ ସପକ୍ଷରେ ୪-୧ ରହିଥିଲା।
ବିରତି ପରେ ଅର୍ଥାତ ୩ୟ କ୍ୱାର୍ଟର ପ୍ରାରମ୍ଭରେ ଦକ୍ଷିଣ ଆଫ୍ରିକା ଡିଫେଣ୍ଡରମାନେ ବେଲଜିୟମର ୨ଟି ଆକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇଥିଲେ। ୪୪ ମିନିଟରେ ବେଲଜିୟମ ଗୋଲ ଏରିଆରେ ଡ୍ରୁମଣ୍ଡଙ୍କଠାରୁ ଚମତ୍କାର ପାସ୍‍ ପାଇଥିଲେ ସୁଦ୍ଧା ସ୍ପୁନରଙ୍କ ସଟ୍‍ ବେଲଜିୟମ ଗୋଲପୋଷ୍ଟ କ୍ରସବାର ଉପରେ ଚାଲି ଯାଇଥିଲା। ୪୫ ମିନିଟରେ ଦକ୍ଷିଣ ଆଫ୍ରିକାକୁ ପେନାଲଟି ଷ୍ଟ୍ରୋକ ମିଳିଥିଲା। ତେବେ ବେଲଜିୟମ ଖେଳାଳିଙ୍କ ପ୍ରତିବାଦ ପରେ ଅମ୍ପାୟାର ତାଙ୍କ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଥିଲେ। ୪୮ ମିନିଟରେ ଗୌଗ୍‍ନାର୍ଡଙ୍କ ପାସ୍‍ରୁ ସେଡ୍ରିକ ଚାର୍ଲିୟର ଗୋଲ ସ୍କୋର କରିବା ଫଳରେ ବେଲଜିୟମର ଗୋଲ ସଂଖ୍ୟା ୫-୧କୁ ବୃଦ୍ଧି ପାଇଥିଲା। ଅନ୍ତିମ ଲଗ୍ନରେ ଦକ୍ଷିଣ ଆଫ୍ରିକାକୁ ୨ଟି ସୁଯୋଗ ମିଳିଥିଲେ ସୁଦ୍ଧା ଜୁଲିଆନ୍‍ ହାଇକ୍‍ସ ଗୋଲ ଦେବାରେ ବିଫଳତା ପ୍ରକାଶ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories