ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମଗୁଡିକରୁ କୌଣସି ଅବୈଧ ସୂଚନା ଅପସାରଣ କରିବା ପାଇଁ କେବଳ ବରିଷ୍ଠ ଅଧିକାରୀମାନେ ନିର୍ଦ୍ଦେଶ ଜାରି କରିପାରିବେ। କୌଣସି କାରଣ ଯୋଗୁ ଯଦି ସାମାଜିକ ଗଣମାଧ୍ୟମରୁ ଏକ ନିର୍ଦ୍ଦିଷ୍ଟ ସୂଚନା ଅପସାରଣ କରିବାର ଆବଶ୍ୟକତା ଦେଖାଦିଏ, ସେ କ୍ଷେତ୍ରରେ କେବଳ ବରିଷ୍ଠ ଅଧିକାରୀମାନଙ୍କ ଅନୁମତି ଆବଶ୍ୟକ ହେବ। ତେବେ ସେହି ଅଧିକାରୀମାନଙ୍କୁ ସଠିକ୍ ବିବରଣୀ ଓ କାରଣ ଉଲ୍ଲେଖ କରିବାକୁ ପଡିବ। ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମରେ ଏଥିଲାଗି ଆବଶ୍ୟକ ସଂଶୋଧନ କରାଯାଇଛି।
ଫଳରେ ସାମାଜିକ ଗଣମଧ୍ୟମରୁ ଅବୈଧ ଓ ବେନିୟମ ବିଷୟବସ୍ତୁ ହଟାଇବା ପ୍ରକ୍ରିୟା ସହଜ ହେବା ସହ କାର୍ଯ୍ୟରେ ସ୍ୱଚ୍ଛତା, ସ୍ପଷ୍ଟତା ଏବଂ ସଠିକତା ଆସିପାରିବ। ସଂଶୋଧିତ ନିୟମ ଆସନ୍ତା ନଭେମ୍ବର ପହିଲାରୁ କାର୍ଯ୍ୟକାରୀ ହେବ। ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମ ୩(୧)(ଡ଼ି) ଅନୁଯାୟୀ ଜାରି କରାଯାଇଥିବା ସମସ୍ତ ସୂଚନାଗୁଡ଼ିକ ସଚିବ ବା ତଦୁର୍ଦ୍ଧ ପଦବୀର ଜଣେ ଅଧିକାରୀଙ୍କ ଦ୍ୱାରା ମାସିକ ସମୀକ୍ଷା କରାଯିବ। ନିୟମ ୩(୧)(ଡ଼ି) ଅନୁଯାୟୀ, ମଧ୍ୟସ୍ଥତା କରୁଥିବା ଅଧିକାରୀ କୋର୍ଟଙ୍କ ଆଦେଶ କିମ୍ବା ସରକାରଙ୍କ ଠାରୁ ବିଜ୍ଞପ୍ତି ମାଧ୍ୟମରେ ସଠିକ ସୂଚନା ପାଇବା ପରେ ବେଆଇନ ସୂଚନା ହଟାଇ ପାରିବେ।



