ଭୁବନେଶ୍ବର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ୩ କୋଟି ଟଙ୍କାର ଜାଲ୍ କାର୍ଯ୍ୟାଦେଶ ଦେଇ ଜଣେ ସ୍ବତନ୍ତ୍ର ଶ୍ରେଣୀର ଠିକାଦାରଙ୍କୁ ୩ କୋଟି ଟଙ୍କା ଠକିଥିବା ଆତ୍ମଘୋଷିତ ବାବା ଏବଂ ଯନ୍ତ୍ରୀଙ୍କୁ ରବିବାର ଗିରଫ କରିଛି ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)। ସେମାନେ ହେଲେ ଯନ୍ତ୍ରୀ ଚନ୍ଦନ ଆକାଶ ମହାନ୍ତି ଏବଂ ଆତ୍ମଘୋଷିତ ବାବା ସ୍ବାମୀ ବିଜୟାନନ୍ଦଜୀ ମହାରାଜ ଓରଫ ବିଜୟାନନ୍ଦ ଚୌଧୁରୀ। ଦୁହିଁଙ୍କୁ ଅଦାଲତ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧିକାରୀଙ୍କ ଅଭିଯୋଗକ୍ରମେ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁଏକ ଠକେଇ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁସାରେ ଅଭିଯୁକ୍ତ ଚନ୍ଦନ ଆକାଶ ଚୁକ୍ତିଭିତ୍ତିକ ସହକାରୀ ଯନ୍ତ୍ରୀ ଭାବେ ‘ଓଟିଡିସି’ରେ କାର୍ଯ୍ୟ କରୁଥିଲେ। ଏହାର ସୁଯୋଗ ନେଇ ଚନ୍ଦନ ଅନ୍ୟମାନଙ୍କ ସହଯୋଗରେ ଅପରାଧିକ ଷଡ଼ଯନ୍ତ୍ରରେ ସ୍ବତନ୍ତ୍ର ଶ୍ରେଣୀର ଠିକାଦାର ଧନୁର୍ଦ୍ଧର ଚମ୍ପତ୍ତିରାୟଙ୍କୁ ମହାମାରୀ ସମୟରେ ପର୍ଯ୍ୟାୟକ୍ରମେ ବହୁ କୋଟି ଟଙ୍କାର ପ୍ରାୟ ୨୩ଟି କାର୍ଯ୍ୟାଦେଶ ଦେଇଥିଲେ। ମହାମାରୀ ସମୟରେ ସ୍ବତନ୍ତ୍ର ଶ୍ରେଣୀର ଠିକାଦାର ବିଭିନ୍ନ କାର୍ଯ୍ୟ ଖୋଜୁଥିଲେ। ୨୦୨୦ ମେ’ ମାସରେ ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ମାଧ୍ୟମରେ ଆତ୍ମଘୋଷିତ ବାବା ସ୍ବାମୀ ବିଜୟାନନ୍ଦଙ୍କ କଟକ ସିଡିଏସ୍ଥିତ ବାସଭବନକୁ ଯାଇ ଭେଟିଥିଲେ। ସେତେବେଳେ ନିଜକୁ ସେ ‘ଓଟିଡିସି’ର ଅଧ୍ୟକ୍ଷ ଭାବେ ପରିଚୟ ଦେଇଥିଲେ। ଏପରିକି ଭାରତୀୟ ପର୍ଯ୍ୟଟନ ନିଗମର ମଧ୍ୟ ସେ ସଦସ୍ୟ ଥିବା କହିଥିଲେ। ସେହିପରି ଅଭିଯୁକ୍ତ ଚନ୍ଦନଙ୍କୁ ଓଟିଡିିିସିର ସହକାରୀ ଯନ୍ତ୍ରୀ ଭାବେ ପରିଚୟ କରାଇଥିଲେ। ୨୦୧୯ ମେ‘ ୩୧ ପର୍ଯ୍ୟନ୍ତ ଆକାଶ ଚୁକ୍ତିଭିତ୍ତିକ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତେବେ ବାବା ଏବଂ ଆକାଶ ସହିତ ଆଲୋଚନା ବେଳେ ଶ୍ରୀ ଚମ୍ପତ୍ତିରାୟଙ୍କୁ ‘ଓଟିଡିସି’ରୁ କାର୍ଯ୍ୟାଦେଶ ଦେବା ଲାଗି ପ୍ରତିଶ୍ରୁତି ଦେଇଥିଲେ। ତେଣୁ କାର୍ଯ୍ୟାଦେଶର ଅମାନତ ଅର୍ଥ ବାବଦରେ ଚନ୍ଦନ ତାଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଜମାଖାତାରେ ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଜମା କରିବାକୁ କହିଥିଲେ। ୨୦୨୦ ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଆକାଶ ୧୫୦ କୋଟି ଟଙ୍କାର ୨୩ଟି ଠିକା କାମର କାର୍ଯ୍ୟାଦେଶ ଶ୍ରୀ ଚମ୍ପତ୍ତିରାୟଙ୍କୁ ପ୍ରଦାନ କରିଥିଲେ। ଏଥିରେ ପର୍ଯ୍ୟଟନ ବିଭାଗର ବରକୁଳ ଓ ରମ୍ଭା ପାନ୍ଥନିବାସ ମରାମତି ଏବଂ ନବୀକରଣ କାର୍ଯ୍ୟାଦେଶ ଥିଲା। ଏହି କାର୍ଯ୍ୟାଦେଶରେ ପର୍ଯ୍ୟଟନ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ ମୋହର ଏବଂ ସ୍ବାକ୍ଷର ଥିଲା। ଏଭଳି ଜାଲ୍ କାର୍ଯ୍ୟାଦେଶ ବଳରେ ଆକାଶ ସ୍ବତନ୍ତ୍ର ଠିକାଦାର ଶ୍ରୀ ଚମ୍ପତ୍ତିରାୟଙ୍କଠାରୁ ୩ କୋଟି ଟଙ୍କା ଠକି ସାରିଥିଲେ। ସେଥିରୁ ୧.୧୪ କୋଟି ଟଙ୍କା ଚନ୍ଦନଙ୍କ ଲୁଇସରୋଡ଼ସ୍ଥିତ ଆନ୍ଧ୍ରବ୍ୟାଙ୍କ ଜମାଖାତାରେ ଜମା କରାଯାଇଥିଲା। ସେଥିରୁ ସ୍ବାମୀ ବିଜୟାନନ୍ଦଜୀଙ୍କ ବ୍ୟାଙ୍କ ଜମା ଖାତାକୁ ଟଙ୍କା ସ୍ଥାନାନ୍ତର ହୋଇଛି। ଉଭୟ ଷଡ଼ଯନ୍ତ୍ର କରି ୩ କୋଟି ଟଙ୍କା ଠକେଇ କରିଥିଲେ। ପରବର୍ତ୍ତୀ ସମୟରେ ଶ୍ରୀ ଚମ୍ପତ୍ତିରାୟ ପାଇଥିବା କାର୍ଯ୍ୟାଦେଶଗୁଡ଼ିକ ଜାଲ୍ ବୋଲି ଜଣାପଡ଼ିଥିଲା। ପର୍ଯ୍ୟଟନ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ ମୋହର ଓ ସ୍ବାକ୍ଷର ନକଲ କରି ଏସବୁ ଜାଲ୍ କାର୍ଯ୍ୟାଦେଶ ପ୍ରସ୍ତୁତ କରାଯାଇଥିଲା ବୋଲି ତଦନ୍ତ ବେଳେ ଜଣାପଡ଼ିଛି।
ଠିକାଦାରଙ୍କୁ ୩ କୋଟି ଠକେଇ : ବନ୍ଧା ହେଲେ ଆତ୍ମଘୋଷିତ ବାବା, ଯନ୍ତ୍ରୀ
Popular Categories



