ସମାଜ ଡିଜିଟାଲ ଡେସ୍କ: ବଲିଉଡ ବାଦଶାହ ଭାବେ ପରିଚିତ ଶାହରୁଖ ଖାନ ଗତ ୨୫ ବର୍ଷ ଧରି ନିଜ ସ୍ବପ୍ନର ଘର ‘ମନ୍ନତ’ରେ ରହିଆସୁଛନ୍ତି। ‘ୟେସ ବସ୍’ ଚଳଚ୍ଚିତ୍ରର ଶୁଟିଂ ସମୟରେ ସେ ଏହି ବଙ୍ଗଳାକୁ ପସନ୍ଦ କରିବା ସହିତ ତାହାକୁ କିଣିଥିଲେ। ବିଗତ ୨୫ ବର୍ଷ ଧରି ଶାହରୁଖ ଏହି ସ୍ବପ୍ନର ଘରେ ନିଜର ସବୁ ସୁଖଦୁଃଖକୁ ପରିବାର ସହ ଅଙ୍ଗେ ନିଭାଇ ଆସିଛନ୍ତି। ବର୍ତ୍ତମାନ ଶାହରୁଖ ମନ୍ନତକୁ ଖାଲି କରିବାକୁ ଯାଉଛନ୍ତି। ଏଠାରେ ଘର ଛାଡ଼ି ସେ ଏକ ଭଡ଼ା ଘରେ ରହିବେ।
ତେବେ ଶାହରୁଖଙ୍କ ଏପରି ପଦକ୍ଷେପ ପଛରେ ଯେଉଁ କାରଣ ରହିଛି ତାହା ହେଉଛି ମନ୍ନତର ନବୀକରଣ। ରିପୋର୍ଟ ଅନୁସାରେ, ଆସନ୍ତା ମେ ମାସରୁ ମନ୍ନତର ନବୀକରଣ କାର୍ଯ୍ୟ ଆରମ୍ଭ ହେବ। ବଭ୍ଗଳରେ ବଡ଼ ପରିବର୍ତ୍ତନ କରାଯିବ। ଯେଉଁଥିପାଇଁ ଶାହରୁଖ କୋର୍ଟଙ୍କ ଅନୁମତି ନେଇଛନ୍ତି। ମନ୍ନତ ଏବଂ ଗ୍ରେଡ୍ ୩ ଐତିହ୍ୟ ଢାଞ୍ଚା। ଏଥିରେ ପରିବର୍ତ୍ତନ ପାଇଁ କୋର୍ଟଙ୍କ ଅନୁମତିର ଆବଶ୍ୟକତା ରହିଥିଲା। ଏବେ ଅନୁମତି ମିଳିବା ପରେ ଶାହରୁଖ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଯୋଜନା କରିଛନ୍ତି। ସେ ବାନ୍ଦ୍ରାସ୍ଥିତ ପାଲି ହିଲ୍କୁ ସ୍ଥାନାନ୍ତର ହେଉଥିବା ଜଣାପଡ଼ିଛି। ପତ୍ନୀ ଗୌରୀ, ପୁଅ ଆରୟନ-ଅବରାମ ଏବଂ ଝିଅ ସୁହାନାଙ୍କ ସହିତ ଏକ ବିଳାସପୂର୍ଣ୍ଣ ୪ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ରହିବେ। ପ୍ରଯୋଜକ ବାସୁ ଭଗନାନୀଙ୍କଠାରୁ ସେ ଏହି ଅପାର୍ଟମେଣ୍ଟକୁ ଭଡ଼ାରେ ନେଇଥିବା କୁହାଯାଉଛି। ଏଥିପାଇଁ ପ୍ରତିମାସରେ ଶାହରୁଖଙ୍କୁ ୨୪ ଲକ୍ଷ ଟଙ୍କା ଭଡ଼ା ବାବଦରେ ଦେବାକୁ ପଡ଼ିବ।



