www.samajalive.in
Friday, December 5, 2025
23.1 C
Bhubaneswar

 ନୂତନ ଜାତୀୟ ଶିକ୍ଷାନୀତି ବ୍ୟବସାୟୀକରଣକୁ ପ୍ରୋତ୍ସାହନ ଦେଉଛି:ଏସ୍.ଏଫ୍.ଆଇ

ଭୁବନେଶ୍ୱର: କରୋନା ମହାମାରୀକୁ ଏକ ସୁବର୍ଣ୍ଣ ସୁଯୋଗ ଭାବେ ବିଚାର କରି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସମସ୍ତ ପ୍ରକାର ଜନବିରୋଧୀ ନୀତି ଗୁଡିକୁ ଦ୍ରୃତ ଗତିରେ କାର୍ଯ୍ୟକାରୀ କରୁଛନ୍ତି। ସଦ୍ୟ ଘୋଷଣା “ନୂତନ ଜାତୀୟ ଶିକ୍ଷାନୀତି” ଏହାର ଏକ ଜ୍ୱଳନ୍ତ ଉଦାହରଣ। ଏହି ନୂତନ ଶିକ୍ଷାନୀତିର ଚିଠା ପ୍ରସ୍ତାବ ଯେତେବେଳେ ଆସିଥିଲା ସାରା ଦେଶରେ ଛାତ୍ରଛାତ୍ରୀ, ଶିକ୍ଷକ, ସଙ୍ଗଠନ, ଏହି ଚିଠା ପ୍ରସ୍ତାବକୁ ବିରୋଧ କରିଥିଲେ। ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ଘରୋଇକରଣ କରି କେନ୍ଦ୍ରୀଭୂତ କରିବା ହେଉଛି ଏହି ଶିକ୍ଷାନୀତିର ମୂଳ ବୈଶିଷ୍ଟ୍ୟ। କେନ୍ଦ୍ର କ୍ୟାବିନେଟ ସମସ୍ତ ଗଣତାନ୍ତ୍ରିକ ମତାମତକୁ ଉପେକ୍ଷା କରି ପାର୍ଲାମେଣ୍ଟରେ ଆଲୋଚନା ନକରି ଅତି ତରବରିଆ ଭାବେ ଏକତରଫା ନୂତନ ଶିକ୍ଷାନୀତି ଘୋଷଣା କରିବା ସଂପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ ଏବଂ ଲୋକ ବିରୋଧୀ ଅଟେ। ସମ୍ବିଧାନର ନିୟମ ଅନୁଯାୟୀ ଶିକ୍ଷା ହେଉଛି ଯୁଗ୍ମ ତାଲିକା ଭୂକ୍ତ ବିଷୟ। ରାଜ୍ୟମାନଙ୍କ ସହିତ ପରାମର୍ଶ ଏବଂ ସହମତି ବ୍ୟତିରେକ ଏହିଭଳି ଶିକ୍ଷାନୀତି ଘୋଷଣା କରିବା ଆମ ସଂଘୀୟ ବ୍ୟବସ୍ଥାକୁ ବିରୁଦ୍ଧାଚରଣ କରୁଛି। ଏହା ଦ୍ୱାରା ସମ୍ବିଧାନର ମୌଳିକ ଭିତ୍ତିକୁ ପଦାଘାତ କରାଯାଇଛି।
ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନାମକୁ ପୁଣି ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରଣାଳୟ ରଖିବା ମଧ୍ୟ ଆମର ଦୃଷ୍ଟିଭଙ୍ଗୀକୁ ଲକ୍ଷଚ୍ୟୁତ କରୁଛି। ଏହି ଶିକ୍ଷା ବ୍ୟବସ୍ଥା ଅଧିକ “କେନ୍ଦ୍ରୀକରଣ, ସାଂପ୍ରଦାୟୀକରଣ ଏବଂ ବ୍ୟବସାୟୀକରଣ” ଆଡକୁ ନେଇଯିବ ବୋଲି ଏସ୍ଏଫ୍ଆଇ ଓଡିଶା ରାଜ୍ୟ କମିଟି ମତ ପ୍ରକାଶ କରିଛି। ଉଚ୍ଚ ଶିକ୍ଷାକୁ ସଂପୂର୍ଣ୍ଣ ଭାବେ ଘରୋଇ ମାଲିକାନା ହାତରେ କେନ୍ଦ୍ରୀଭୁତ କରିବାର ପ୍ରୟାସ କରିବା ସହିତ, ଉଚ୍ଚ ଶିକ୍ଷା ପାଇଁ ଜାତୀୟ ପ୍ରତିଯୋଗୀତା ମୂଳକ ପ୍ରବେଶିକା ପରୀକ୍ଷାରେ ଗରୀବ ଶ୍ରେଣୀର ଏବଂ ପଛୁଆ ରାଜ୍ୟର ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା କରିନପାରି ଶିକ୍ଷାଦାନ ପ୍ରକ୍ରିୟାରୁ ବାଦ ପଡିଯିବେ। ସୁତରାଂ ନୂତନ ଶିକ୍ଷାନୀତି ଗରୀବ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ସବୁଠାରୁ ବଡ ଅନ୍ତରାୟ ବୋଲି ଏସ୍ଏଫ୍ଆଇ ମତପ୍ରକାଶ କରିଛି। ସାର୍ବଜନୀନ ଶିକ୍ଷା ଦେବା ଆମର ସାମ୍ବିଧାନିକ ଲକ୍ଷ୍ୟ ଥିଲାବେଳେ ଏହି ନୁତନ ଶିକ୍ଷାନୀତି ଛାତ୍ର ସମାଜ ଭିତରେ ଶ୍ରେଣୀ ବିଭାଜନକୁ ଆହୁରି ବହୁଗଣିତ କରିବ ଏବଂ କେବଳ ଧନୀକ ଶ୍ରେଣି ପରିବାରର ଛାତ୍ରଛାତ୍ରୀମାନେ ଅର୍ଥ ବଳରେ ଉଚ୍ଚ ଶିକ୍ଷାର ସୁଯୋଗ ପାଇବେ ।
ଏହିପୃଷ୍ଠ ଭୂମିରେ ସରକାର ଶିକ୍ଷାନୀତି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡାକୁ ଜବରଦସ୍ତ ଲଦି ନଦେଇ ଏହାକୁ ଛାତ୍ରଛାତ୍ରୀ ଶିକ୍ଷକ, ଅବିଭାବକ, ଶିକ୍ଷାବିତ୍, ଗବେଷକ, ରାଜ୍ୟ ସରକାର ଏବଂ ସମସ୍ତ ସ୍ଥାନୀୟ ସରକାରମାନଙ୍କ ସହିତ ଉପଯୁକ୍ତ ବିଚାର ବିମର୍ଷ କରି ସମସ୍ତଙ୍କ ସହମତିରେ ଶିକ୍ଷା ନୀତି ଘୋଷଣା କରିବା ଉଚିତ୍ ବୋଲି ଏସ୍.ଏଫ୍.ଆଇ. ଦାବି କରିଛି। ଏହି ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସାରା ଦେଶର ଶିକ୍ଷା ପ୍ରେମୀ ଜନସାଧାରଣ, ପ୍ରଗତିଶୀଳ ଛାତ୍ର ସଂଗଠନ, ଅବିଭାବକ ସଂଘ ଏବଂ ଶିକ୍ଷକ ସଂଗଠନମାନେ ମିଳିତ ହୋଇ ଏହି ଛାତ୍ରବିରୋଧୀ ଶିକ୍ଷାନୀତି ବିରୋଧରେ ଆନ୍ଦୋଳନ ସଂଗଠିତ କରିବା ପାଇଁ ଏକ ପ୍ରେସ୍ ବିଜ୍ଞପ୍ତରେ ଏସ୍.ଏଫ୍.ଆଇ. ରାଜ୍ୟ କମିଟି ତରଫରୁ ଆବାହକ ବିପ୍ଳବ ମିଶ୍ର ଏବଂ ଯୁଗ୍ମ ଆବାହକ ବିକାଶ ନାଥ ନିବେଦନ କରିଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories