ସେ ସମୟରେ ଭାରତର ପ୍ରଧାନମନ୍ତ୍ରୀ ଥାନ୍ତି ଲାଲବାହାଦୁର ଶାସ୍ତ୍ରୀ। ରାଷ୍ଟ୍ରମଣ୍ଡଳ ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଯୋଗଦେବା ନିମିତ୍ତ ଲଣ୍ଡନ ଯିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥାଏ। ପରିଧାନ ନିମିତ୍ତ ନିକଟରେ ଥାଏ ମାତ୍ର ଦୁଇଟି କୋଟ୍। ତନ୍ମଧ୍ୟରୁ ଗୋଟିଏ କୋଟର ଚିରି ଯାଇଥାଏ କିଛି ଅଂଶ। ଶାସ୍ତ୍ରୀଜୀଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରୁଥିବା ଭେଙ୍କଟରମଣ ଗସ୍ତ ନିମନ୍ତେ ଏକ ନୂଆକୋଟ୍ କିଣିବାକୁ ଆଗ୍ରହ ଦେଖାଇଥିଲେ। ପରନ୍ତୁ ଶାସ୍ତ୍ରୀଜୀ ଏଥିରେ ସହମତି ପ୍ରକାଶ ନକରି କହିଥିଲେ- ‘ପୁରୁଣା କୋଟ୍ରେ ଏବେ କାମ ଚଳିଯିବ ବୋଲି ମୁଁ ଭାବୁଛି। ଏହାକୁ ମରାମତି (ସିଲେଇ) କଲାପରେ ଯଦି ପିନ୍ଧିବା ଯୋଗ୍ୟ ନ ହୁଏ ତେବେ ଏହା ପରିବର୍ତ୍ତେ ନୂଆ କୋଟ୍ କିଣିବା କଥା ବିଚାର କରିବା।’
ଦରଜି ପାଖରେ କୋଟ୍ ମରାମତି ହୋଇ ଆସିଲା। ପ୍ରଧାନମନ୍ତ୍ରୀଙ୍କ ପରିଧାନ କାରଣରୁ ସବୁ ବୁଦ୍ଧି ଖଟାଇ ନିପୁଣତାର ସହ ସିଲେଇ କରିଥିଲେ। କୋଟ୍ଟି ଦେଖି ଲାଲବାହାଦୁର ଏପଟସେପଟ କରିଥିଲେ ଅନେକ ଥର। ହେଲେ ସିଲେଇ ହୋଇଥିବା ଜାଗା ଜାଣିପାରି ନଥିଲେ। ସଚିବଙ୍କୁ କହିଥିଲେ- ଏତେ ନିରୀକ୍ଷଣ ପରେ ବି ମୁଁ ନିଜେ ଜାଣିପାରୁନି, କେଉଁଠି ସିଲେଇ ହୋଇଛି। ଯେତେବେଳେ ମୁଁ ନିଜେ ଜାଣିପାରୁନି, ସେତେବେଳେ ଏହାକୁ ପିନ୍ଧି ସମ୍ମିଳନୀକୁ ଗଲେ ଭାଗନେଉଥିବା ଅନ୍ୟ ରାଷ୍ଟ୍ର ନାୟକମାନେ କିପରି ବା ଜାଣିବେ ଯେ ଏହା ରଫୁ ହୋଇଛି ବୋଲି। ସେହି କୋଟ୍ ପିନ୍ଧି ସେ ଲଣ୍ଡନ ଯାଇ ସମ୍ମିଳନୀରେ ଭାଗ ନେଇଥିଲେ। ଏହିଭଳି ନିଷ୍ଠାବାନ ଓ ସାଦାସିଧା ବ୍ୟକ୍ତିତ୍ବ ସମ୍ପନ୍ନ ଥିଲେ ଲାଲବାହାଦୁର। କେହିକେହି ଏହାକୁ କଞ୍ଜୁସ ସ୍ବଭାବ ବା କୃପଣତାର ପ୍ରତୀକ ବୋଲି କହିପାରନ୍ତି; କିନ୍ତୁ ସତ୍ୟ ଏହା ଯେ ଆବଶ୍ୟକତାକୁ ସୀମିତ ରଖିବା ପ୍ରତ୍ୟେକଙ୍କର ଧ୍ୟେୟ ହେବା ଉଚିତ।
ପରିଧାନ ମାର୍ଜିତ ଥିଲେ ଏ ଦିଗ ପ୍ରତି କେହି ବି ଅଙ୍ଗୁଳି ନିର୍ଦେଶ କରିବେ ନାହିଁ କି ଏହା ବ୍ୟକ୍ତିତ୍ବକୁ ନ୍ୟୂନ କରିବ ନାହିଁ। ତେବେ ‘ଅନାବଶ୍ୟକ’ ‘ଅଦରକାରୀ’, ‘ଗ୍ରହଣଯୋଗ୍ୟ ନୁହେଁ’ ବୋଲି ମତବ୍ୟକ୍ତ କରି ଯଦି ଉପଯୋଗୀକୁ ଅନୁପଯୋଗୀ, ବୋଲି ମତ ଦେଇ ତ୍ୟାଗ କରାଯାଏ ତା’ହେଲେ ଏହା ଅପବ୍ୟୟର ମାଧ୍ୟମ ହେବ କେବଳ। ସରଳ, ନିରାଡ଼ମ୍ବର ଜୀବନଶୈଳୀକୁ ଆପଣାଇ ନେଇ ରାଷ୍ଟ୍ରର ବିକାଶ ଓ ସ୍ବାର୍ଥକୁ ସର୍ବଦା ଅଗ୍ରାଧିକାର ଦେଉଥିବା ଲାଲବାହାଦୁରଙ୍କର ଏହାଥିଲା ବୈଶିଷ୍ଟ୍ୟ।
ଚିନ୍ତାକଳ୍ପ: ଆଦର୍ଶର ଉପାସକ
Popular Categories



