ବିଶ୍ବ ଜନସଂଖ୍ୟାର ସର୍ବବୃହତ୍ ରାଷ୍ଟ୍ର ତାଲିକାରେ ଏବେ ଭାରତ ପଡ଼ୋଶୀ ଚୀନ୍ଠାରୁ ଆଗରେ ରହିଛି। ଆମ ଦେଶର ଜନସଂଖ୍ୟା ସମ୍ପ୍ରତି ୧୪୦ କୋଟି ଅତିକ୍ରମ କରିସାରିଛି। ୨୦୧୧ ମସିହା ପରେ ୨୦୨୧ରେ ଜନଗଣନା ହେବାକୁ ଥିଲେ ମଧ୍ୟ କରୋନା କାରଣରୁ କରାଯାଇ ପାରି ନ ଥିଲା। ବିହାର ଭଳି କେତେକ ରାଜ୍ୟରେ ଜାତିଭିତ୍ତିକ ଜନଗଣନା ଦାବି ଉଠିବା ପରେ କରାଯାଇଥିଲା। ଏବେ ବିହାରରେ ସ୍ବତନ୍ତ୍ର ସଘନ ପଞ୍ଜୀକରଣ ଜରିଆରେ ନିର୍ବାଚନ ଆୟୋଗ ଭୋଟର ତାଲିକା ସଂଶୋଧନ କରିଛନ୍ତି। ଏଥିରେ ନୂଆ ଭୋଟରଙ୍କୁ ଯୋଡ଼ିବା ସହ ଭୂତ ଓ ଅଣ ଭୋଟରଙ୍କ ନାମକୁ ତାଲିକାରୁ ବାଦ୍ ଦିଆଯାଉଛି। ଏଭଳି ପ୍ରକ୍ରିୟାରେ ୬୫ ଲକ୍ଷ ଭୋଟର ବାଦ୍ ପଡ଼ିଥିଲେ ମଧ୍ୟ ଯେଭଳି ଜଣେ ବି ଯୋଗ୍ୟ ମତଦାତା ବାଦ୍ ନ ପଡ଼ନ୍ତି, ସେଥିପ୍ରତି ଇସି ବିଶେଷ ଧ୍ୟାନ ଦେଉଥିବା କହିଛନ୍ତି।
ଏବେ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୩ ସାମ୍ପଲ ରେଜିଷ୍ଟ୍ରେସନ ସିଷ୍ଟମ (ଏସ୍ଆର୍ଏସ୍) ରିପୋର୍ଟ ଆସିଛି। ଏହା ରାଷ୍ଟ୍ର ପାଇଁ ଚିନ୍ତା ବଢ଼ାଇଛି। ସବୁଠାରୁ ଯୁବକ ଦେଶ କୁହାଯାଉଥିବା ଭାରତ ସମ୍ପ୍ରତି ବୁଢ଼ା ହେବାରେ ଲାଗିଛି। ଭାରତର ବୟସ୍କଙ୍କ ସଂଖ୍ୟା ଏବେ କ୍ରମାଗତ ବୃଦ୍ଧି ପାଉଛି। ‘ଏକ ପରିବାର ସୁଖୀ ପରିବାର’ ସ୍ଲୋଗାନ ଓ ଶିକ୍ଷା ତଥା ସଚେତନତା କାରଣରୁ ଭାରତରେ ଜନସଂଖ୍ୟା ନିୟନ୍ତ୍ରଣ ବଢ଼ିଛି। ଫଳରେ ୦-୧୪ ବର୍ଷ ବୟସର ପିଲାଙ୍କ ସଂଖ୍ୟା କମିବାରେ ଲାଗିଛି। ପରିସଂଖ୍ୟାନ ଅନୁଯାୟୀ, ୧୯୭୧ ମସିହାରେ ଜାତୀୟ ପ୍ରଜନନ ହାର ୫.୨ ଶତାଂଶ ଥିବାବେଳେ ୨୦୨୩ରେ ଏହା ୧.୯ ପ୍ରତିଶତକୁ ହ୍ରାସ ପାଇବା ଆଗକୁ ଭାରତକୁ ବୟସ୍କ ବ୍ୟକ୍ତିଙ୍କ ରାଷ୍ଟ୍ରରେ ପରିଣତ କରିବାକୁ ଯାଉଛି। ଏହା ଭିତରେ ଆଶା ସୃଷ୍ଟିକାରୀ ରିପୋର୍ଟ ହେଉଛି ୧୫ରୁ ୫୯ ବର୍ଷ ବୟସର କର୍ମତତ୍ପର ଜନସଂଖ୍ୟା ହାର ବଢ଼ିବା।
ପ୍ରତି ଦଶନ୍ଧିରେ ଜନ୍ମହାର ଖସିବାରେ ଲାଗିଛି। ୧୯୭୧ରେ ୦-୧୪ ବର୍ଷ ବୟସ ପିଲାଙ୍କ ସଂଖ୍ୟା ୪୧.୨ ଶତାଂଶ ଥିବାବେଳେ ୨୦୨୩ ବେଳକୁ ୨୪.୨ ପ୍ରତିଶତକୁ ଖସିଆସିଛି। ସବୁଠୁ ଉଦ୍ବେଗଜନକ ବିଷୟଟି ହେଲା, ଗତ ୫୦ ବର୍ଷରେ ଶିଶୁଙ୍କ ସଂଖ୍ୟା ୧୭ ପ୍ରତିଶତ ହ୍ରାସ ପାଇବା। ଯେ କୌଣସି ରାଷ୍ଟ୍ରର ଜନସଂଖ୍ୟା କେବଳ ଏହାର ପ୍ରାକୃତିକ ସମ୍ବଳ ଉପରେ ଭାଗ ବସାଏ ନାହିଁ; ବରଂ ପରୋକ୍ଷରେ ରାଷ୍ଟ୍ରକୁ ଉନ୍ନତ ମାନବ ସମ୍ବଳ ଯୋଗାଇ ଏହାର ଅର୍ଥନୀତି, ସାମରିକ ଶକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରକୁ ସଶକ୍ତ କରିଥାଏ। ୨୦୧୪ରେ ଭାରତ ଯୁବକଙ୍କ ଦେଶ ଥିଲା। ମୋଟ ଜନସଂଖ୍ୟାର ୬୫ ପ୍ରତିଶତ ଯୁବବର୍ଗର ଅର୍ଥାତ୍ ୧୫ରୁ ୪୫ବର୍ଷ ବୟସ୍କ ରହିଥିଲେ। ଗୋଟିଏ ପଟେ ଜନ୍ମ ନିୟନ୍ତ୍ରଣ, ଅନ୍ୟପଟେ ବ୍ୟକ୍ତିର ପରମାୟୁ ବୃଦ୍ଧି କାରଣରୁ ଏଭଳି ସ୍ଥିତି ଉପୁଜିଛି। ୦-୧୪ ବୟସର ପିଲାଙ୍କ ସଂଖ୍ୟା ହ୍ରାସ ପଛରେ ଆଉ ଏକ କାରଣ ହେଉଛି ‘ସମଲିଙ୍ଗୀ ବିବାହ’ ଓ ‘ଲିଭ୍-ଇନ୍-ରିଲେସନ୍’। ଏହାକୁ ଅଦାଲତ ବିଶେଷ କ୍ଷେତ୍ରରେ ଅନୁମତି ଦେଇଥିବାରୁ ଅଧିକାଂଶ ଯୁବପିଢ଼ି ଗ୍ରହଣ କରୁଛନ୍ତି। ବିବାହ ଭଳି ପାରିବାରିକ ବ୍ୟବସ୍ଥାକୁ ନ ଆପଣାଇ ପୁଅ-ଝିଅ ଏକତ୍ର ରହିବାରୁ ଛୁଆପିଲା ଜନ୍ମ କରିବା ବିଚାରରୁ ଦୂରେଇ ଯାଉଥିବା ଦେଖାଯାଉଛି। ଫଳରେ ଭାରତୀୟ ପରିବାର ବ୍ୟବସ୍ଥା ଧ୍ବଂସାଭିମୁଖୀ ହେବା ସହ ସମାଜରେ ନୈତିକ ମୂଲ୍ୟବୋଧର ଅଧୋପତନ ଘଟୁଛି। ଏକ ବିଜାତୀୟ ସଂସ୍କୃତି ବଢ଼ିବା କାରଣରୁ ସାମାଜିକ ବିଶୃଙ୍ଖଳା ଓ ପାରିବାରିକ ଉଚ୍ଛୃଙ୍ଖଳତା ବଢ଼ୁଛି। ପରିବାର ଆଉ ପରିବାର ହୋଇ ରହୁନି। ଏଣେ ବୟସ୍କଙ୍କ ସଂଖ୍ୟା ବଢ଼ୁଥିବାରୁ ଅନେକ ଯୁବବର୍ଗ ନିଜ ବୃଦ୍ଧ ପିତାମାତାଙ୍କୁ ବୋଝ ବୋଲି ବିଚାର କରୁଛନ୍ତି। ସେମାନଙ୍କ ଯତ୍ନ ନେବାରେ ଅବହେଳା କରୁଛନ୍ତି। ଫଳରେ ଜରାଶ୍ରମ ଓ ବୃଦ୍ଧାଶ୍ରମ ସଂଖ୍ୟା ଦେଶରେ କ୍ରମାଗତ ବଢ଼ିବାରେ ଲାଗିଛି। ବୟସ୍କ ଅଧିକ ଅଲୋଡ଼ା ହୋଇପଡୁଛନ୍ତି।
ଏହା ସତ୍ତ୍ବେ ୧୫ରୁ ୫୯ ବର୍ଷ ବୟସ୍କଙ୍କ ଅନୁପାତ ୧୯୭୧ ମସିହାରୁ ୨୦୨୩ ମଧ୍ୟରେ ୫୩ ପ୍ରତିଶତରୁ ବୃଦ୍ଧି ପାଇଁ ୬୬ ପ୍ରତିଶତରେ ପହଞ୍ଚିବା ଆଶ୍ବାସନାର କଥା; କିନ୍ତୁ ୫୦ ବର୍ଷ ବୟସର ଥିବା ଜନସଂଖ୍ୟା ଆଉ ଏକ ଦଶନ୍ଧି ମଧ୍ୟରେ ବୟସ୍କ ତାଲିକାଭୁକ୍ତ ହୋଇଯିବେ। ଦେଶ ଗୋଟିଏ ପଟେ ଜନ୍ମହ୍ରାସ ଓ ଦ୍ବିତୀୟରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ଭାରତ ଭଳି ସଂସ୍କୃତିସମ୍ପନ୍ନ ଦେଶ ପାଇଁ ଏକ ଦ୍ବନ୍ଦ୍ବାତ୍ମକ ସ୍ଥିତି ଉପୁଯାଇଛି। ଆମକୁ ଜନସଂଖ୍ୟା ଓ ବୟସ୍କଙ୍କ ଅନୁପାତରେ ଏକ ସମନ୍ବୟ ଆଣିବାକୁ ହେବ। ଶିକ୍ଷିତ ପରିବାର ଚୀନ୍ ଭଳି ପୁଣି ଥରେ ଦୁଇ ସନ୍ତାନ/ବହୁ ସନ୍ତାନ ନୀତି ଆପଣାଇବାକୁ ପଡ଼ିବ। ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଏହାକୁ ଅଗ୍ରାଧିକାର ଦେବାକୁ ହେବ। ଏ ନେଇ ଅଧିକ ସଚେତନତା ଓ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ଜରୁରୀ। ଅବଶ୍ୟ ଜନସଂଖ୍ୟା କ୍ଷେତ୍ରରେ ଏକ ନିର୍ଦିଷ୍ଟ ସମୟରେ ଦେଶକୁ ବାଳୁତ, ଯୁବା, ପ୍ରୌଢ଼ ଓ ବାର୍ଦ୍ଧକ୍ୟରେ ଉପନୀତ ହେବାକୁ ପଡେ। ପିଢି ପରେ ପର ପିଢି ବଦଳେ। ଏହା ଜନସଂଖ୍ୟାର ଏକ ସାପଶିଡ଼ି ଖେଳ। ମାତ୍ର ଯଦି ଏହି ଜନସାଂଖ୍ୟିକ ଲାଭକୁ ନୀତିଗତ ନିଷ୍ପତ୍ତି ଓ କ୍ରିୟାନ୍ବୟନ ଜରିଆରେ ସୁନିୟନ୍ତ୍ରିତ କରା ନ ଯାଏ, ତେବେ ମାନବ ସମ୍ବଳ ପ୍ରତି ବିପଦ ସୃଷ୍ଟି ହେବ। ପୂର୍ବରୁ ଚୀନ ଏକ ସନ୍ତାନ ନୀତି ଆପଣାଇ ଏବେ ପସ୍ତାଉଛି। ଭାରତ ପଡ଼ୋଶୀକୁ ଅନୁକରଣ ନ କରି ନିଜ ନିଷ୍ପତ୍ତି ନେଉ। ଫଳରେ ବୟସ୍କ ହେବାକୁ ଯାଉଥିବା ଭାରତ ପୁଣି ଯୁବାବସ୍ଥାକୁ ଫେରିବ।



