www.samajalive.in
Wednesday, December 10, 2025
18.1 C
Bhubaneswar

ନକଲି ସର୍ଫ ଜବତ ମାମଲା : ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ସମ୍ବଲପୁର : ସମ୍ବଲପୁରରେ ଶନିବାର ଜବତ ହୋଇଥିବା ନକଲି ସର୍ଫ ଘଟଣାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଗୋଦାମ ମାଲିକ ଆଶିଷ ଅଗ୍ରୱାଲ ଏବଂ ଦୋକାନ ମାଲିକ ନରେଶ ଅଗ୍ରୱାଲଙ୍କୁ ଗିରଫ କରାଯାଇ ରବିବାର କୋର୍ଟ ଚାଲାଣ କରିଛି ବୋଲି ସମ୍ବଲପୁର ଏସପି ବି. ଗଙ୍ଗାଧର କହିଛନ୍ତି। ଏସପି ଗଙ୍ଗାଧରଙ୍କ ସୂଚନାନୁଯାୟୀ ଶନିବାର ହିନ୍ଦୁସ୍ଥାନ ୟୁନି ଲିଭର କମ୍ପାନୀର ‘ସର୍ଫ ଏକ୍ସେଲ’ ବ୍ରାଣ୍ଡର ନକଲି ଡିଟରଜେଣ୍ଟ କାରବାର ସମ୍ବଲପୁରରେ ଚାଲୁଥିବାର କମ୍ପାନୀ ତରଫରୁ ଖବର ମିଳିବା ପରେ ଅଇଁଠାପାଲି ଥାନା ଅର୍ନ୍ତଗତ ବରେଇପାଲିରେ ଏକ ଗୋଦାମ ଏବଂ କ୍ଷେତରାଜପୁର ଥାନା ଅର୍ନ୍ତଗତ ରେଳବାଇ ଫାଟକ ନିକଟରେ ଏକ ଦୋକାନ ଉପରେ ଚଢ଼ଉ କରାଯାଇଥିଲା। ବରେଇପାଲି ସ୍ଥିତ ଗୋଦାମର ମାଲିକ ଆଶିଷ ଅଗ୍ରୱାଲ ହିନ୍ଦୁସ୍ଥାନ ୟୁନି ଲିଭର କମ୍ପାନୀର ସାମଗ୍ରୀ ଗୁଡିକର ହୋଲସେଲର ଥିବାବେଳେ ସେ ଅଧିକ ଲାଭ ପାଇଁ କମ୍ପାନୀ ମାଲ ସହିତ ନକଲି ୧୦ ଟଙ୍କିଆ ଛୋଟ ‘ସର୍ଫ ଏକ୍ସେଲ’ ସାଚେଟ (ପ୍ୟାକେଟ) ମଧ୍ୟ ବଜାରକୁ ବିକ୍ରି କରିବା ପାଇଁ ଛାଡୁଥିଲେ। ଏହା ଦ୍ୱାରା ସାଧାରଣ ଗ୍ରାହକ ମାନେ ଠକେଇର ଶିକାର ହେଉଥିଲେ, ଯାହାକି କମ୍ପାନୀର କପି ରାଇଟ ଏବଂ ଅନ୍ୟ ନିୟମ ଗୁଡିକୁ ମଧ୍ୟ ଉଲ୍ଲଂଘନ କରୁଥିଲା। ଚଢ଼ଉ ସମୟରେ ବରେଇପାଲି ସ୍ଥିତ ଗୋଦାମରୁ ୨୩୯ଟି ବସ୍ତାରେ ୨୮ ହଜାର ୬୮୦ ଏବଂ ଖୁଚୁରାରେ ବିକ୍ରୟ କରିବା ପାଇଁ ରଖାଯାଇଥିବା ୬୦୦ ପ୍ୟାକେଟ ‘ସର୍ଫ ଏକ୍ସେଲ’ ପ୍ୟାକେଟ ଜବତ କରାଯାଇଛି।  ଏ ନେଇ ଅଇଁଠାପାଲି ଥାନାରେ ମାମଲା ନଂ ୩୧/୨୦୨୧ ରୁଜୁ କରାଯାଇ ଅଭିଯୁକ୍ତ ଗୋଦାମ ମାଲିକ ଆଶିଷ ଅଗ୍ରୱାଲଙ୍କୁ ଗିରଫ କରାଯାଇଛି।
ସେହିଭଳି କ୍ଷେତାଜପୁର ସ୍ଥିତ ରେଳବାଇ ଫାଟକ ନିକଟସ୍ଥ ନରେଶ ଅଗ୍ରୱାଲଙ୍କ ଦୋକାନରେ ଚଢ଼ଉ ସମୟରେ ପୁଲିସ ୫ ବସ୍ତାରେ ୬୦୦ଟି ‘ସର୍ଫ ଏକ୍ସେଲ’ ମିଳିଥିଲା। ଏ ନେଇ କ୍ଷେତରାଜପୁର ଥାନାରେ ମାମଲା ନଂ ୧୦/୨୦୨୧ ରୁଜୁ କରାଯାଇ ଦୋକାନୀ ନରେଶ ଅଗ୍ରୱାଲଙ୍କୁ ଗିରଫ କରାଯାଇ ସମସ୍ତ ନକଲି ସାମଗ୍ରୀ ଗୁଡିକୁ ଜବତ କରାଯାଇଛି। ଏହି ମାମଲା ଦ୍ୱୟରେ ଉଭୟ ଗୋଦାମ ଓ ଦୋକାନ ମାଲିକ ମାନଙ୍କୁ ଗିରଫ କରାଯାଇ ରବିବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କର ଗୋଦାମ ଓ ଦୋକାନ ଗୁଡିକୁ ସିଲ କରିଦିଆଯାଇଛି ବୋଲି ଏସପି ଗଙ୍ଗାଧର କହିଛନ୍ତି।

ଅନ୍ୟ ପଟରେ ଏହି ‘ସର୍ଫ ଏକ୍ସେଲ’ ପ୍ୟାକେଟ ଗୁଡିକ ରାଜ୍ୟ ବାହାରୁ ଆସୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ନକଲି ସାମଗ୍ରୀ ଗୁଡିକ କେଉଁ ଠାରୁ ଆସୁଥିଲା, କେବେ ଠାରୁ ଆସୁଥିଲା, ଆସିବା ସମୟରେ କିଭଳି ବିଭିନ୍ନ ଚେକ ପଏଣ୍ଟ ମାନଙ୍କରେ ଧରା ପଡ଼ି ନ ଥିଲା, ଏଥିରେ ଅନ୍ୟ କାହାରି ସଂପୃକ୍ତି ଆଦି ଅନେକ ବିଷୟକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଏଣୁ ଅଭିଯୁକ୍ତ ମାନଙ୍କୁ ଆଗାମୀ ଦିନରେ ରିମାଣ୍ଡରେ ଆଣି ଆହୁରୀ ପଚରାଉଚୁରା କରାଯିବ ବୋଲି ଜଣାପଡ଼ିଛି। ଏହା ସହିତ ଏହି ବ୍ୟବସାୟୀ ମାନେ ‘ସର୍ଫ ଏକ୍ସେଲ’ ବ୍ୟତିତ ଅନ୍ୟାନ୍ୟ ଦୈନନ୍ଦିନ ସାମଗ୍ରୀ ଗୁଡିକର ବ୍ୟବସାୟ ସହିତ ଜଡିତ ଥିବାରୁ ସେହି ସାମଗ୍ରୀ ଗୁଡିକର ମଧ୍ୟ ଭେଜାଲିକରଣ କରୁଥିବାର ସନ୍ଦେହ କରି ପୁଲିସ ସମସ୍ତ ସାମଗ୍ରୀ ସହିତ ଗୋଦାମ ଓ ଦୋକାନ ଗୁଡିକୁ ସିଲ କରି ଦିଆଯାଇଛି। ଏହା ସହିତ ଜବତ ହୋଇଥିବା ସାମଗ୍ର୍‍ୀ ଗୁଡିକୁ ଟେଷ୍ଟି ପାଇଁ ପଠାଇ ଦିଆଯାଇଛି। ଏଥି ସହ ସେମାନଙ୍କ ଉପରେ ମୋଟା ଅଙ୍କରର ଜରିମାନା ସହିତ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଏସପି ନିର୍ଦ୍ଦେଶ ଦେଇଥିବାର ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ବିଗତ ଦିନରେ କଟକ ସମେତ ଆଖପାଖ ଅଞ୍ଚଳରେ ଦୈନନ୍ଦିନ ବ୍ୟବହୃତ ଅନେକ ନକଲି ସାମଗ୍ରୀ କାରଖାନା ଠାବ ହୋଇଥିବା ବେଳେ ସମ୍ବଲପୁର ଠାରେ ମଧ୍ୟ ଶନିବାର ଏକ ନକଲି ଡିଟରଜେଣ୍ଟର ଭଣ୍ଡାର ମିଳିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି। ବହୁ ଦିନରୁ ସମ୍ବଲପୁର ସହର ମଧ୍ୟରେ ହିନ୍ଦୁସ୍ଥାନ ଲିଭର କମ୍ପାନୀର ସର୍ଫ ଏକ୍ସେଲ ବ୍ରାଣ୍ଡର ପ୍ୟାକିଂ କରି ନକଲି ସର୍ଫ ବିକ୍ରି କରାଯାଉଥିବାର ଅଭିଯୋଗ ହୋଇ ଆସୁଥିବାରୁ କମ୍ପାନୀ ପକ୍ଷରୁ ସର୍ଭେ କରାଯିବା ସମୟରେ ଜଣାପଡ଼ିବା ପରେ ଏ ନେଇ ଅଇଁଠାପାଲି ଓ କ୍ଷେତରାଜପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଜବତ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories