www.samajalive.in
Tuesday, December 9, 2025
16.1 C
Bhubaneswar

ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରା ; ଦେବଦମ୍ପତିଙ୍କ ବର୍ଣ୍ଣାଢ଼୍ୟ ଲେଉଟାଣି

ସମ୍ବଲପୁର : ପ୍ରସିଦ୍ଧ ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ୍ରାର ବହୁ ପ୍ରତୀକ୍ଷିତ ଲେଉଟାଣୀ ଶୋଭାଯାତ୍ରା ଶନିବାର ମଧ୍ୟରାତ୍ରିରୁ ଆରମ୍ଭ ହୋଇଛି। ଜ୍ୟେଷ୍ଠ ଶୁକ୍ଲପକ୍ଷ ଷଷ୍ଠୀ ଲଗ୍ନରେ ଶୁକ୍ରବାର ବ୍ରାହ୍ମମୁହୂ୍‍ର୍ତ୍ତରେ ଦେବାଧିଦେବ ମହାଦେବ ଜଗଜ୍ଜନନୀ ମାତା ପାର୍ବତୀଙ୍କ ପାଣିଗ୍ରହଣ କଲା ପରେ ଆଜି ମଧ୍ୟରାତ୍ରିରୁ ଦେବୀଙ୍କ ସହିତ ସ୍ୱମନ୍ଦିର ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଛନ୍ତି। ନବପରିଣିତ ଦେବଦମ୍ପତିଙ୍କ ବର୍ଣ୍ଣାଢ୍ୟ ନଗର ପରିକ୍ରମା ଦେଖିବାକୁ ଭକ୍ତଙ୍କ ଗହଳି ଆରମ୍ଭ ହୋଇଯାଇଛି। ଶୀତଳ ଷଷ୍ଠୀ ମୁଖ୍ୟ ଶୋଭାଯାତ୍ରା ଦେଖିବାକୁ ରାତିରେ ଆଖପାଖ ଅଞ୍ଚଳରୁ ଜନସମାଗମ ଆରମ୍ଭ ହୋଇଯାଇଥିବାରୁ ସମ୍ବଲପୁର ଧିରେ ଧିରେ ଜନସମୁଦ୍ର ପାଲଟୁଛି।
ଶୁକ୍ରବାର ବିଳମ୍ବିତ ରାତ୍ରିରେ ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବା, ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବା, ବଡ଼ବଜାରର ଶ୍ରୀ ଶ୍ରୀ ଶୀତଳେଶ୍ୱର ବାବା, ଠାକୁରପଡ଼ାର ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ବାବା ନବ ପରିଣିତା ଜଗଜ୍ଜନନୀ ପାର୍ବତୀଙ୍କୁ ସାଙ୍ଗରେ ନେଇ ଥାଟ ପଟୁଆରରେ ବାହାରିଛନ୍ତି। ଆଜି ଅପରାହ୍ନରେ କନ୍ୟାପକ୍ଷ ଝିଅ-ଜ୍ୱାଇଁଙ୍କୁ ପାରମ୍ପରିକ ରୀତିରେ ବିଦାୟ ଦେଇଥିଲେ। ଏକ ଆବେଗଭରା ପରିବେଶରେ ଦେବୀ ପାର୍ବତୀ ବାପଘରୁ ମେଳାଣୀ ନେଇଥିଲେ। ମଧ୍ୟରାତ୍ରିରେ ମଙ୍ଗଳ ଆଳତୀ ପରେ ଦେବଦମ୍ପତିଙ୍କ ଭବ୍ୟ ଲେଉଟାଣୀ ଶୋଭାଯାତ୍ରା ଆରମ୍ଭ ହୋଇଛି। ଏହି ଶୋଭାଯାତ୍ରା ଶନିବାର ରାତି ଓ ରବିବାର ଦିନତମାମ ଚାଲିବ। ଏହି ଶୋଭାଯାତ୍ରା ଆସନ୍ତା କାଲି ସନ୍ଧ୍ୟାରେ ଦେବଦମ୍ପତିଙ୍କ ସ୍ୱମନ୍ଦିର ପ୍ରବେଶ ସହ ସଂପନ୍ନ ହେବ।
ସମ୍ବଲପୁର ଶୀତଳଷଷ୍ଠୀର ମୁଖ୍ୟ ଶୋଭାଯାତ୍ରା ଆୟୋଜନ କରୁଥିବା ନନ୍ଦପଡ଼ା, ଝାଡ଼ୁଆପଡ଼ା ଓ ମୁଦିପଡ଼ା କମିଟି ଚଳିତ ବର୍ଷ ୧ କୋଟି ଟଙ୍କା ବ୍ୟୟରେ ବର୍ଣ୍ଣାଢ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏହି ଶୋଭଯାତ୍ରାରେ ଦେଶର ବିଭିନ୍ନ କୋଣ ଅନୁକୋଣରୁ ପ୍ରାୟ ୧୫ ହଜାର କଳାକାର ଯୋଗ ଦେଇଥିବା ଆୟୋଜକ ସୂଚନା ଦେଇଛନ୍ତି। ବଡ଼ବଜାର ଓ ଠାକୁରପଡ଼ା ଷଷ୍ଠୀ ଶୋଭାଯାତ୍ରାରେ ଚଳିତ ବର୍ଷ ୫୦ ଲକ୍ଷ ଟଙ୍କା ବ୍ୟୟରେ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜନ କରିଛନ୍ତି। ଦୁଇ ପଡ଼ାର ଶୋଭାଯାତ୍ରାରେ ୧୦ ହଜାର କଳାକାର ଯୋଗ ଦେଇଛନ୍ତି। ଷଷ୍ଠୀ ଯାତ୍ରାରେ ପ୍ରାଚୀନ ଲୋକନୃତ୍ୟ ଓ ଲୋକବାଦ୍ୟ ସହ ଆଧୁନିକ ନୃତ୍ୟର ସମାହାର ଦେଖିବାକୁ ମିଳିଛି। ରାଜ୍ୟରୁ ବିଭିନ୍ନ ଅଞ୍ଚଳରୁ ଦର୍ଶକଙ୍କ ସମାଗମ ଘଟିଛି। ଅନୁକୂଳ ପାଗ ହେତୁ ରାତିର କାର୍ଯ୍ୟକ୍ରମ ଦର୍ଶକଙ୍କ ପାଇଁ ବେଶ ଉପଭୋଗ୍ୟ ହୋଇପାରିଛି।
ଷଷ୍ଠୀ ଯାତ୍ରାରେ ଦେବ-ମାନବ ସତେ ଯେପରି ଏକାକାର ହୋଇଛନ୍ତି। ବାଲିବନ୍ଧାର ସୋମନାଥ ବାବା, ଦୁର୍ଗାପାଲିର ଗୁଡ଼େଶ୍ୱର ବାବା, ଗୋବିନ୍ଦତୋଲାର ସପ୍ନେଶ୍ୱର ବାବା, ଭତରା ଶଙ୍କର ମଠର ଶଙ୍କର ବାବା, ବୁଢ଼ାରଜାର ପାହାଡ଼େଶ୍ୱର ବାବା, ଫାଟକର ମହାକାଳେଶ୍ୱର ବାବା, ମାନେଶ୍ୱରର ମାନ୍ଧାତା ବାବା, କୁମ୍ଭାରପଡ଼ାର ରାମେଶ୍ୱର ବାବା, ସାକ୍ଷୀପଡ଼ାର ଓଁଙ୍କାରେଶ୍ୱର ବାବା ଓ ସିନ୍ଦରପଙ୍କର ତାରକେଶ୍ୱର ବାବାଙ୍କ ଲେଉଟାଣୀ ସଂପନ୍ନ ହୋଇସାରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories