ସମ୍ବଲପୁର : ସମ୍ବଲପୁରର ଝିଅ ବୈଜୟନ୍ତୀ ରାଏ ଚୌଧୁରୀ ଓରଫ ଝୁନୁଙ୍କ କବିତା ସଂକଳନ ‘ଅର୍ଘ୍ୟ’ର ପ୍ରକାଶନ କାନାଡା ଦେଶରେ ହୋଇଛି। ସମ୍ବଲପୁରରେ ଶିକ୍ଷା, ଦୀକ୍ଷା ଓ ବିବାହ ପରେ ଝୁନୁ ବର୍ତ୍ତମାନ ଆମେରିକାର ଜଣେ ସ୍ଥାୟୀ ବାସିନ୍ଦା ଅଟନ୍ତି। ସେ ବିଗତ ୪୦ ବର୍ଷ ହେବ ସେଠାରେ ବସବାସ କରୁଥିବା ସତ୍ୱେ ନିଜର ମାତୃଭାଷା ପ୍ରତି ଅଗାଢ଼ ମମତା ରହିଛି ଏବଂ ଏହାର ସଦ୍ୟତମ ପ୍ରମାଣ ହେଉଛି ଓଡିଆରେ ଅବ୍ୟାହତ ଲେଖନୀ। ତାଙ୍କର ପିତା କମଳିବଜାରରେ ସ୍ୱର୍ଗତ ପିତା ସୁରେଶ ରାଏଚୌଧୁରୀ ଅଟନ୍ତି। ଝୁନୁଙ୍କ ଦ୍ୱାରା ରଚିତ ‘ଅର୍ଘ୍ୟ’ କାନାଡାର ଟରୋଣ୍ଟୋ ନଗରୀ ସ୍ଥିତ ବିଦ୍ୟା ପବ୍ଲିସିଂ ଦ୍ୱାରା ପ୍ରକାଶିତ କରାଯାଇଛି। ତାଙ୍କର କବିତାରେ ସୁନ୍ଦର ଶବ୍ଦ ସଂଯୋଜନାର ମାଧୁର୍ଯ୍ୟ ଓ ସର୍ବୋପରି ଏକ ଆଧ୍ୟାତ୍ମିକ ଚେତନାର ବାର୍ତ୍ତା ରହିଛି, ଯାହାର ମୂଳ ଉତ୍ସ ହେଉଛି ମନ୍ଦିର ସଦୃଶ୍ୟ ତାଙ୍କର ସମ୍ବଲପୁର ସ୍ଥିତ ବାସଭବନ ବୋଲି ସେ କହିଛନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ ସମ୍ବଲପୁରର ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଉଛି।



