ଓଡ଼ିଶାରେ ରେଳ ଡିଭିଜନ କେତେ ଯଥାର୍ଥ?

ଦକ୍ଷିଣ-ପୂର୍ବ ରେଳପଥ ଅଧୀନରେ ବର୍ତ୍ତମାନ ୪ଟି ଡିଭିଜନ ମଧ୍ୟରୁ ଚକ୍ରଧରପୁର ଡିଭିଜନ୍‌ରେ ଦକ୍ଷିଣ-ପୂର୍ବ ଜୋନ୍‌ର ଓଡ଼ିଶାରେ ଥିବା ସମସ୍ତ ରେଳଲାଇନ ଅବସ୍ଥିତ। ଚକ୍ରଧରପୁର ଡିଭିଜନ ଭାରତର ସର୍ବାଧିକ ଆୟ କରୁଥିବା ରେଳ ଡିଭିଜନ ଭାବରେ ପୁରସ୍କୃତ ହୋଇଆସୁଛି। ଏହାର ପ୍ରମୁଖ କାରଣ ହେଲା ଏହା ଅଧୀନସ୍ଥ ରାଉରକେଲା ଇସ୍ପାତ କାରଖାନା ସହ ଓଡ଼ିଶାରେ ଅନେକ ବୃହତ୍‌ ଶିଳ୍ପ ଓ ଖଣି ଅଞ୍ଚଳରୁ ମାଲ ପରିବହନ କରି ରାଜସ୍ବ ଆଦାୟ ହେଉଛି। ୨୦୦୩ ଏପ୍ରିଲ ୧ରେ ରାଞ୍ଚି ଝାଡ଼ଖଣ୍ଡର ରାଜଧାନୀ ହେବାଦ୍ବାରା ଏହାର ଗୁରୁତ୍ବକୁ ଉପଲବ୍ଧି କରି ରେଳ ମନ୍ତ୍ରଣାଳୟ ଏଠାରେ ଏକ ନୂତନ ଡିଭିଜନ୍‌ ପ୍ରତିଷ୍ଠା କଲେ ଯାହାକି ଏହାର ଅନ୍ୟାନ୍ୟ ଡିଭିଜନ ଯଥା ଆଦ୍ରା, ଖଡ଼ଗ୍‌ପୁର, ଚକ୍ରଧରପୁରଠାରୁ ଯଥେଷ୍ଟ କ୍ଷୁଦ୍ର। ଏହି ଜୋନ୍‌ର ସର୍ବମୋଟ୍‌ ୨୭୫୩ ରୁଟ୍‌ କି.ମି.ରୁ ୬୫୬ ଓଡ଼ିଶାରେ ରହିଥିଲେ ହେଁ ଓଡ଼ିଶାରେ କୌଣସି ଡିଭିଜନ ନାହିଁ ଓ ବର୍ତ୍ତମାନ ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗରେ ୨ଟି ଲେଖାଏଁ ଡିଭିଜନ କାର୍ଯ୍ୟ କରୁଛି। ଓଡ଼ିଶାରେ ଥିବା ରେଳ ଲାଇନକୁ ନେଇ ରାଉରକେଲାରେ ଏକ ନୂତନ ଡିଭିଜନ ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି।
ଯଦି ଏହି ଡିଭିଜନ ଗଠିତ ହୁଏ, ତାହାହେଲେ ଏହାର ରୁଟ୍‌ କି.ମି. ୬୫୬ ଓ ଟ୍ରାକ୍‌ କି.ମି. ୧୩୭୬ ହେବ ଯାହାକି ରାଞ୍ଚିର ଯଥାକ୍ରମେ ୪୫୬ ଓ ୭୬୫ ଠାରୁ ଯଥେଷ୍ଟ ଅଧିକ। ଯଦି ଜୋନ୍‌ର ସମସ୍ତ ରୁଟ୍‌ କି.ମି. ୨୭୫୩ ଓ ଟ୍ରାକ୍‌ କି.ମି. ୬୬୮୦ ହୁଏ, ତେବେ ରାଉରକେଲା ନୂତନ ଡିଭିଜନ୍‌ ହେଲେ ସର୍ବମୋଟ୍ ୫ଟି ଡିଭିଜନ ହେବ, ଯାହାର ହାରାହାରି ରୁଟ୍‌ କି.ମି. ୫୫୦ ଓ ଟ୍ରାକ୍‌ କି.ମି. ୧୩୩୬ ହେବ। ବର୍ତ୍ତମାନ ଚକ୍ରଧରପୁର ଡିଭିଜନଠାରୁ ୨୦୦ କି.ମି. ଊର୍ଦ୍ଧ୍ବ ପର୍ଯ୍ୟନ୍ତ ବିଭିନ୍ନ ଷ୍ଟେସନ ଅନ୍ତର୍ଗତ ପ୍ରଶାସନିକ ଦୃଷ୍ଟି କୋଣରୁ ଏହା ମାତ୍ରାଧିକ ଦୂର ଅଟେ। ରାଉରକେଲା ଡିଭିଜନ ହେଲେ ଜନସାଧାରଣ ଉପକୃତ ହେବା ସଙ୍ଗେସଙ୍ଗେ ପ୍ରାଶାସନିକ ବିକେନ୍ଦ୍ରୀକରଣ ଯୋଗୁଁ ଉତ୍ପାଦକତା ବୃଦ୍ଧି ସହ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ସୁରୁଖୁରୁରେ ହେବ। ରାଉରକେଲାର ବନ୍ଧମୁଣ୍ଡାଠାରେ ଭାରତର ବୃହତ୍‌ ଡିଜେଲ ଓ ଇଲେକ୍ଟ୍ରିକ୍‌ ଲୋକୋ ସେଡ୍‌ ଥିବା ସହ ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ ଇତ୍ୟାଦିର ପର୍ଯ୍ୟାପ୍ତ ଭିତ୍ତିଭୂମି ସହ ଏ ଆରଏମ ଅଫିସ ମଧ୍ୟ କାର୍ଯ୍ୟ କରୁଛି। ରାଉରକେଲା ଏକ ସ୍ମାର୍ଟ ସିଟି ହୋଇଥିବାରୁ ଅନ୍ୟାନ୍ୟ ଭିତ୍ତିଭୂମିର ବିଶେଷ ଅସୁବିଧା ପରିଲକ୍ଷିତ ହେବନାହିଁ। ଡିଭିଜନ ହେଲେ ଅଧିକ କର୍ମ ନିଯୁକ୍ତି ସହ ସହରର ଆର୍ଥିକ ଅଭିବୃଦ୍ଧି ଓ ପ୍ରଶାସନିକ ଦକ୍ଷତା ମଧ୍ୟ ବୃଦ୍ଧି ହେବ। ପ୍ରସ୍ତାବିତ ରାଉରକେଲା ରେଳ ଡିଭିଜନ୍‌ରେ ୫୦ରୁ ଊର୍ଦ୍ଧ୍ବ ରେଳଷ୍ଟେସନ ସ୍ଥାନ ପାଇପାରିବ ଯାହାକି କୌଣସି ଡିଭିଜନ ପାଇଁ ଯଥେଷ୍ଟ। ତାଳଚେର-ବିମଳାଗଡ଼ ନୂତନ ରେଳ ପ୍ରକଳ୍ପ ୨୦୨୫ ମାର୍ଚ୍ଚରେ ଶେଷ ହେଲେ ପ୍ରସ୍ତାବିତ ରାଉରକେଲା ଡିଭିଜନ କଳେବର ଆହୁରି ବୃଦ୍ଧି ପାଇବ। ଉ​‌େ​‌ଲ୍ଲଖନୀୟ ଯେ ରାଉରକେଲାକୁ ଏକ ସ୍ବତନ୍ତ୍ର ଡିଭିଜନ ଘୋଷଣା କଲେ ଚକ୍ରଧରପୁର ଡିଭିଜନ ମଧ୍ୟ ଦକ୍ଷିଣପୂର୍ବ ରେଳବାଇର ଅନ୍ୟ ଡିଭିଜନର ହାରାହାରି ଭିତ୍ତିଭୂମି ସହ ସମକକ୍ଷ ହୋଇରହିବ। ଆୟତନ ଦୃଷ୍ଟିରୁ ଦେଖାଗଲେ ପଶ୍ଚିମବଙ୍ଗରେ ବର୍ତ୍ତମାନ ହାରାହାରି ୫୮୧ କି.ମି. ରେଳ ରୁଟ୍‌ ପାଇଁ ୧୪୭୯୨ ବର୍ଗ କି.ମି. ଗୋଟିଏ ଡିଭିଜନ କାର୍ଯ୍ୟ କରୁଛି। ରାଉରକେଲାରେ ଯଦି ଏକ ନୂତନ ଡିଭିଜନ ପ୍ରତିଷ୍ଠା କରାଯାଏ ହାରାହାରି ୬୧୬ ହେବ କିନ୍ତୁ ଆୟତନ ୩୮୯୨୬ ବର୍ଗ କି.ମି ହେବ ଯାହାକି ପଶ୍ଚିମବଙ୍ଗଠାରୁ ଯଥେଷ୍ଟ ଅଧିକ। ଓଡ଼ିଶାରେ ରେଳ ଲାଇନ ଜାତୀୟ ହାରଠାରୁ କମ୍‌ ଥିବାରୁ ଭବିଷ୍ୟତରେ ବିଭିନ୍ନ ପ୍ରକଳ୍ପ ​‌େ​‌ଶଷ ହେଲେ ଆହୁରି ବୃଦ୍ଧି ପାଇବ। ଉପରୋକ୍ତ ଦିଗକୁ ଧ୍ୟାନ ଦେଇ ଓ ପରିସଂଖ୍ୟାନକୁ ଦୃଷ୍ଟି ଦେଲେ ଏହା ଜାତୀୟ ସ୍ତରରେ ମଧ୍ୟ ଅନ୍ୟ ଡିଭିଜନ ସହ ସମକକ୍ଷ ହେବ। ସୁନ୍ଦରଗଡ଼, ଝାରସୁଗୁଡ଼ା ଇତ୍ୟାଦି ଶିଳ୍ପ ସମୃଦ୍ଧ ଆଦିବାସୀ ଅଧ୍ୟୁଷିତ ଖଣି ଅଞ୍ଚଳ ପାଇଁ ରାଉରକେଲା ଏକ ପ୍ରକୃ‌ଷ୍ଟ ସ୍ଥାନ ଓ ଏହି ମର୍ମରେ ମୁଖ୍ୟମନ୍ତ୍ରୀ ମଧ୍ୟ ୨୦୧୮ରେ ରେଳ ବିଭାଗକୁ ପତ୍ର ଲେଖି ଦାବି ଜଣାଇଥିଲେ।
ଏଠାରେ ଉଲ୍ଲେଖନୀୟ ଯେ ଗତ ସଂସଦ ଅଧିବେଶନର ପ୍ରଶ୍ନୋତ୍ତର କାଳରେ ବର୍ତ୍ତମାନ ରେଳ ଡିଭିଜନ ବିକେନ୍ଦ୍ରୀକରଣ କୌଣସି ଯୋଜନା ନାହିଁ ଓ ଭବିଷ୍ୟତରେ ହେଲେ ରାଉରକେଲାକୁ ବିଚାରକୁ ନିଆଯିବ ବୋଲି କୁହାଯାଇଥିଲା। ୨୦୧୯ରେ ସରକାର ବିଶାଖାପାଟଣାରେ ଆନ୍ଧ୍ରପ୍ରଦେଶର ସମସ୍ତ ଅଞ୍ଚଳକୁ ନେଇ ସାଉଥ୍‌ କୋଷ୍ଟ ଏକ ନୂତନ ରେଳ ଜୋନ୍‌ ପ୍ରତିଷ୍ଠା କଲେ ଓ ଇଷ୍ଟକୋଷ୍ଟ ଜୋନ୍‌ରେ ଥିବା ପୂର୍ବ ୱାଲ୍‌ଟିୟର ଡିଭିଜନ୍‌ର ଆନ୍ଧ୍ରରେ ଥିବା ସମସ୍ତ ଅଞ୍ଚଳ ତଥା ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳକୁ ନେଇ ୱାଲଟିୟର ଡିଭିଜନ୍‌ର ପୁନଃବିନ୍ୟାସ କଲେ। ଏଠାରେ ପ୍ରଶ୍ନଉଠେ ଯଦି ଜାତୀୟ ସ୍ତରରେ ନୂତନ ରେଳଜୋନ୍‌ ଗଠନ କରିବାପାଇଁ କୌଣସି ନିର୍ଦିଷ୍ଟ ଜାତୀୟ ଚିଠା ନୀତି ନ ଥାଇ ନୂତନ ଜୋନ୍‌ ବିଭିନ୍ନ ସମୟରେ ଗଠନ କରାଯାଇପାରୁଛି ତା’ହେଲେ, ଆବଶ୍ୟକତା ଅନୁଯାୟୀ ନୂତନ ଡିଭିଜନ ଗଠନ କରିବାପାଇଁ ଏକ ସାମଗ୍ରିକ ଡିଭିଜନ ପୁନର୍ଗଠନ ନୀତି ଆବଶ୍ୟକତା ପଡ଼ୁଛି କାହିଁକି? ରେଳ କର୍ତ୍ତୃପକ୍ଷଙ୍କ ଯୁକ୍ତି ହେଲା ରେଳ କୌଣସି ରାଜ୍ୟର ସୀମାକୁ ନେଇ କୌଣସି ଡିଭିଜନ ବା ଜୋନ୍‌ ଗଠନ କରାଯାଇନଥାଏ ଓ ଜାତୀୟ ସ୍ତରରେ ସାମଗ୍ରିକ ଭାବେ ଆବଶ୍ୟକତାକୁ ଆଧାରକରି ଗଠନ ହୋଇଥାଏ। ଏହି ମର୍ମରେ ରାଉରକେଲା ନୂତନ ରେଳ ଡିଭିଜନ ରାଜ୍ୟଭିତ୍ତିକ ଦାବି ନୁହେଁ। ଏହା ଆବଶ୍ୟକତାକୁ ନେଇ ବୈଷୟିକ ଭିତ୍ତିକ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଓଡ଼ିଶାରେ ଅବସ୍ଥିତ ଇଷ୍ଟକୋଷ୍ଟ ରେଲୱେ ଜୋନ୍‌ ବ୍ୟତୀତ ଅନ୍ୟ ଜୋନ୍‌ରେ ମଧ୍ୟ ଅବସ୍ଥାନ କରୁଛନ୍ତି; କିନ୍ତୁ ୱାଲଟିୟର ଡିଭିଜନକୁ ପୁନଃବିନ୍ୟାସ କରି ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳ ଯେପରି ସାଉଥ୍‌କୋଷ୍ଟରେ ମିଶ୍ରଣ କରାଗଲା, ସେହି ପରିପ୍ରେକ୍ଷୀରେ ଓ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ପ୍ରସ୍ତାବିତ ନୂତନ ଡିଭିଜନକୁ ମଧ୍ୟ ଇଷ୍ଟକୋଷ୍ଟ ରେଲ୍‌ୱେ ଅଧୀନକୁ ଅଣାଯିବା ଯଥାର୍ଥ। ଷାଠିଏ ଦଶକରେ ଓଡ଼ିଶା ସରକାର ବନ୍ଧମୁଣ୍ଡାରେ ଏକ ରେଳ ଡିଭିଜନ ବିକାଶ ପାଇଁ ବିନା ମୂଲ୍ୟରେ ୫୦୦ ଏକର ଜମି ଯୋଗାଇ ଦେଇଥିଲେ କିନ୍ତୁ ପରିତାପର ବିଷୟ ବନ୍ଧମୁଣ୍ଡାରେ ରେଳ ବିଭାଗ ବିଭିନ୍ନ ପ୍ରକଳ୍ପ ସ୍ଥାପନ କରି ଏହାର ବିକାଶ କରିବା କଥା ତାହା ଆଶାନୁରୂପକ ଭାବେ ଏ ପର୍ଯ୍ୟନ୍ତ କରିନାହାନ୍ତି ଓ ଭବିଷ୍ୟତରେ ବିଭିନ୍ନ ଆନୁଷ୍ଠାନିକ ପ୍ରକଳ୍ପ ରାଉରକେଲାସ୍ଥିତ ବନ୍ଧମୁଣ୍ଡାରେ ପ୍ରତିଷ୍ଠା କରନ୍ତୁ।
ସରକାର ରେଳଦ୍ବାରା ମାଲ୍‌ ପରିବହନ ୨୭ ପ୍ରତିଶତରୁ ୪୫ ପ୍ରତିଶତ ବୃଦ୍ଧି କରିବାପାଇଁ ୫୨ଟି ଖଣି ସମୃଦ୍ଧ ଜିଲାକୁ ଏକ ସୁସଂହତ ରେଳ ଭିତ୍ତିଭୂମି ଭାବେ ଗଢ଼ିବାର ଯୋଜନା କରୁଛନ୍ତି। ତେଣୁ ସୁନ୍ଦରଗଡ଼ର କେନ୍ଦ୍ର ସ୍ଥଳରେ ଅବସ୍ଥିତ ପ୍ରସ୍ତାବିତ ରାଉରକେଲା ରେଳ ଡିଭିଜନ ଏକ ସଂଜୀବନୀ ସଦୃଶ କାର୍ଯ୍ୟ କରିବ। ତେଣୁ ବହୁ ଦିନରୁ ଦାବି ଉଠୁଥିବା ରେଳ ଡିଭିଜନ ଦାବି ଯଥାର୍ଥ। ବରଂ ଏ ଅଞ୍ଚଳବାସୀ ତଥା ଓଡ଼ିଶା ଅନେକାଂଶରେ ଉପେକ୍ଷିତ। ରେଳ ମନ୍ତ୍ରଣାଳୟ ଏହାକୁ ବିଚାରକୁ ନେଇ ରାଉରକେଲାରେ ଏକ ନୂତନ ଡିଭିଜନ ପ୍ରତିଷ୍ଠା ପାଇଁ ଶୀଘ୍ର ପଦକ୍ଷେପ ନିଅନ୍ତୁ।

Comments are closed.