ଦୀପ ତେଜିଲେ ଟିପ ତେଲିଆ
ଅବସ୍ଥା ଯାହା ହେଲାଣି, ସରକାରୀ ନବନିର୍ମିତ ଘରେ ରହିବାକୁ ଡରିଲେଣି ଲୋକେ। ୫ଟି ଡେଉଁରିଆ କାମ ଦେଉନି କି ବୋଲି ଲୋକେ ଟୁପୁଟାପ ହେଉଛନ୍ତି।
‘ଚକୁଳିଆ ପଣ୍ଡା’, ‘ଜାନୁ ଘଣ୍ଟ’ ଆଦି ଏକ ଭିନ୍ନ ଭାବ, ରୁଚି ଓ ସଂସ୍କୃତିର ଭିକ୍ଷାର୍ଥୀ। ଏମାନେ ଦୁଆର ଦୁଆର ବୁଲି ସାଧାରଣ ଭିକାରିଟିଏ ପରି ‘ମା’ ଗଣ୍ଡେ ଭିକ ଦିଅ’ର କରୁଣ ଧ୍ବନି କରନ୍ତି ନାହିଁ। ଏଙ୍କୁ ଭିକ୍ଷା ଦେବାରେ ଦାତାର ଭିନ୍ନ ଏକ ଭାବ ତାକୁ ଭିକ୍ଷା ଦେଇ କୃତକୃତ୍ୟର ଭାବନାରେ ଜୁଡୁବୁଡୁ କରିଦିଏ। ଏଇ ତ ଏ ଦେଶ-ଦାତା, ଦାନୀ ଓ ଗ୍ରହୀତାର ଭିନ୍ନ ଏକ ସଂସ୍କାରବୋଧ। ବିଶ୍ବରେ ତା ବିରଳ। ‘ଦେବ ଦିଆଇବ ଦେ ପଦ ଲିଭିବ’, ‘ଦେଇଥିଲେ ପାଇ ପଡ଼ିଆ ଜମିରେ ଗୋଧନ ଚରାଇ’ର ଚକୁଳିଆ ପଣ୍ଡା ନିର୍ଘୋଷ, ତା ତାଳପତ୍ର ଛତା ଓ ଲାଉତୁଣ୍ଡିର ଆଉ ଅନ୍ୟ କୌଣସି ସଂସ୍କୃତିର ଉଦାହରଣ ଅଛି? ତେଣୁ ‘ଦେବା’ ବା ଦାନ ସର୍ବଦା ଉଚ୍ଚକୋଟୀର ଥିଲା। ଦାନରେ ନ୍ୟୂନତା, ହୀନତାର ଆଭାସ ମିଳିଲେ ତାହା ଏକ ପ୍ରକାର ପାପ ବୋଲି ଗ୍ରହଣ କରାଯାଏ। ଇତିହାସରେ କୁହାଯାଏ, ‘ଅଗସ୍ତି ଦେଲେ ଦାନ, ମୂଷା ଲଣ୍ଡିକୁ ହୀନ’। ଛାଡ଼ନ୍ତୁ ତା’ର ବିସ୍ତୃତ ଅବତାରଣା ଆଦି। ମାତ୍ର ନୈତିକତାର ଅବକ୍ଷୟତାରୁ ଏ ଦାନ, ଦାନର ଧାରା ଓ ପ୍ରସ୍ତୁତି ଘୁଣଖିଆ ହୋଇଯାଇଛି।
ଜନମଙ୍ଗଳ(ୱେଲଫେୟାର) ସରକାର ତ ଜନତାର ଉନ୍ନତି କରିବାକୁ ବାଧ୍ୟ। ମାତ୍ର ଏ ବିକାଶ ଓ ଉନ୍ନତିର ସ୍ରୋତରେ ଲୁଟ୍ତରାଜ, ଏ ବିପୁଳ ଖର୍ଚ୍ଚରୁ ଅର୍ଥ ଲୁଟିବା ଏକ ଲଗାମହୀନ, ଅନୁଙ୍କୁଶିତ ବ୍ୟବସ୍ଥା ହୋଇଗଲାଣି। କଣ୍ଟ୍ରାକ୍ଟ୍ରି ବା ଠିକାଦାରୀ ସରକାରୀ ଅର୍ଥ ବ୍ୟୟର ଏକ ବିରାଟ ସ୍ରୋତ। ମନ୍ତ୍ରୀ, ଅମଲା, ସଚିବ ରାଜ୍ୟ ରାଜକୋଷରୁ କେମିତି ଅର୍ଥ ପକେଟସ୍ଥ କରିବେ? ଠିକାଦାରୀ ନିଲାମ ଏକ ମାଧ୍ୟମ। ତା’ପରେ ଠିକାଦାର ସ୍ଥିର କଲେ ସେ ଖର୍ଚ୍ଚ କରିବାକୁ ଥିବା ଟଙ୍କାରୁ ବିଭାଗୀୟ ଇଞ୍ଜିନିୟର, ସଚିବ, ମନ୍ତ୍ରୀ ଚଣ୍ଡୀ ଚାମୁଣ୍ଡା ଆଦିଙ୍କୁ କେତେ ଦେବ ତା’ର ଆଗୁଆ ହିସାବ ହୋଇଯାଏ। କାର୍ଯ୍ୟ ବା ପ୍ରକଳ୍ପର ମାନ ରୁଗ୍ଣ, ଦୁର୍ବଳ ହେବାକୁ ବାଧ୍ୟ। ଏବେ ଏମିତି ଲୁଟ୍ତରାଜ, ଦୁର୍ବଳ ନିର୍ମାଣ, କାମ ସରୁ ନ ସରୁଣୁ ତା’ ଭୁଶୁଡ଼ି ପଡ଼ିବାର ଉଦାହରଣ ହାଉଯାଉ। ବନ୍ଧ ବା ଫୁକାର ଭୁଶୁଡୁ, କାରଣ ଆମ ସେବକ-ନେତାମାନେ ତ କିଛି ପାଉଛନ୍ତି। ମାତ୍ର ଇଏ ଭୁଶୁଡ଼ି ପଡ଼ି ଗରିବ ମୂଲିଆର ପ୍ରାଣନାଶ ନ କରୁ। ଏବେ କେନ୍ଦ୍ରାପଡ଼ାଠାରେ ଏକ ନବ ନିର୍ମିତ ଡାକ୍ତରଖାନା ଛାତରୁ ବଡ଼ ବଡ଼ ଛେଲା ସବୁ ଖସିପଡ଼ିଲା। ନୂତନ ନିର୍ମାଣ ହୋଇଥିବା ଏ ଡାକ୍ତରଖାନା ୨୦୨୩ରେ ଆରମ୍ଭ ହେଲା। ଇଏ ଯେ ପରେ ଆଉ ନ ଭୁଶୁଡ଼ିବ କିଏ କହିବ? ଏବେ ତ ପଲସ୍ତରା ଛେଲା ଛାଡ଼ିଲାଣି। ଏବେ କଥା ଆଉ ସେଠି ନାହିଁ। ଦୀପ ଜଳିବା ଠେଇ ଆଉ ଖେଳ ବା କଳ ନାହିଁ, ଦୀପ ତେଜାଳିଙ୍କ ଆଙ୍ଗୁଠି ଠେଇ ଏ ଖେଳ, କୁହୁକ। କିରେ, ଏତେ ମାଲପା ଏ ସରୁ ସଳିତା କ’ଣ ପିଇଗଲା? ଦୀପ ତେଜିଲେ ଟିପ ତେଲିଆ ହେବାଟା ସାର, ମାତ୍ର ମୁଣ୍ଡଠୁ ତଳ ଯାଏ ତେଲ ସଲବଲ କୁଆଡୁ ବା କେମିତି ହେବ? ଏ ଦେଶ ସାଧୁତାରେ, ତ୍ୟାଗରେ, ନିଷ୍ଠାରେ ବିଶ୍ବରେ ଅଦ୍ବିତୀୟ ଥିଲା। ମାତ୍ର ଦୁର୍ନୀତିରେ ଏ ଦେଶ ପୃଥିବୀରେ ଖାଉଟିଆଙ୍କ ସହ ବେଶ୍ ବାଜି ଲଗାଇ ପାରୁଛି। ଗଁା ଫୁକାର, ବଡ଼ ସାନ ଆନିକଟ, ବିଦ୍ୟାଳୟ କୋଠା, ବଜାର ଘର, ସବୁ ନିର୍ମାଣରେ ଗାତୁଆ ମୂଷାଙ୍କ ମେଳି। ରାଜା, ମହାରାଜା ଓ ପଦସ୍ଥ କର୍ମକର୍ତ୍ତାମାନଙ୍କ ସାଧୁତାର ପ୍ରଭାବ ଜନତା ଉପରେ ପଡୁଥିଲା। କଥା ଥିଲା ‘ରାଜାନୁଗତ ଧର୍ମ’, ‘ମହାଜନଃ ଯେନ ଗତଃ ସ ପନ୍ଥା’। ଏବେ ତ ‘ମହାଜନ’ ଯାହା ହେଲେଣି ସେଥିରେ ତାଙ୍କୁ ମହାଜନ କେମିତି କୁହାଯାଇ ପାରିବ? ଏମାନେ ସବୁ ବିହନ ବୁଡ଼ା, ଦିଅଁ ଖାଇ ଖଟୁଲି ଖାଇଦେବା ଅବସ୍ଥା ପ୍ରାପ୍ତ ହେଲେଣି।
ତେବେ ୟାର ପ୍ରତିକାର କ’ଣ? ଇଏ ଗଣତନ୍ତ୍ର। ବହୁ ଲୋକ ଯାହା କହିବେ ତା ଠିକ୍, ତା’ ଅବଲମ୍ବନୀୟ। ଏଙ୍କ ଏବର ନଁା ହେଲା ଭୋଟର। ଏମାନେ ନିଜେ ରାଜା ବା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ବନିଯାଉଛନ୍ତି, ନ ହେଲା ବେଳକୁ ଅନ୍ୟଜଣଙ୍କୁ ବି କ୍ଷମତାସୀନ କରାଇ ପାରୁଛନ୍ତି। ଭୋଟ ସବୁ କିଣାବିକା ଚାଲିଲା। ଗଙ୍ଗୁଜେନା ବଡ଼ ଠିକାଦାର। ଜିତିବା ପ୍ରାର୍ଥୀଙ୍କୁ ୫୦ଲକ୍ଷ ଦେଇଦେଲେ। ସେ ଜିତିଲେ, ମନ୍ତ୍ରୀ ବି ହେଲେ। ଡାକ୍ତରଖାନା ଠିକାଦାରୀ ମିଳିଲା ୫୦ କୋଟିର। ଏକ ମୁଥାକେ ୫୦ ଲକ୍ଷ ଉଠାଇ ନେଲା। ଭୁଶୁଡୁ ଡାକ୍ତରଖାନା। ଏ ହେଲା ଏ ଦେଶର ଶାସନ, ଶାସକ। ଏକୁ ସ୍ବଚ୍ଛ କରିବା ପାଇଁ ଗୋଟିଏ ୫ଟି ହୁଲିଆ ସାରା ରାଇଜକୁ କମ୍ପେଇଲା। ଚୋର ଡକେଇତ ବି ଡରିଲେ। ୫ଟି ନଁାରେ ଥୋଡ଼େ ଚମକିଲେ। ମାତ୍ର ଲାଗୁଚି ୟା ରାଗ ଟିକେ କମି କମି ଆସୁଛି। ଲୋକଙ୍କର ବିଶ୍ବାସବୋଧ, ଆସ୍ଥା ଏ ୫ଟିରୁ କମିଲା ତ ଆଉ ଦୁର୍ନୀତିକୁ କାତ ପାଇବନି। ତେଣୁ ଏ ମନ୍ତ୍ର, ଏ ଅଙ୍କୁଶର ଭାବମୂର୍ତ୍ତି ରକ୍ଷା ପାଇଁ କୋଟିଏ ଠିକାଦାର, ଲାଞ୍ଚଖିଆ ଭୋଟର ମରନ୍ତୁ, ଯାଆସେ ନାହିଁ। ‘ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି’। ଅବସ୍ଥା ଯାହା ହେଲାଣି, ସରକାରୀ ନବନିର୍ମିତ ଘରେ ରହିବାକୁ ଡରିଲେଣି ଲୋକେ। ୫ଟି ଡେଉଁରିଆ ବି କାମ ଦେବନି ବୋଲି ଟୁପୁଟାପ ହେଉଛନ୍ତି। ମାତ୍ର ଆମର ୟା ଉପରେ ଢେର ଆସ୍ଥା।
Comments are closed.