ନିର୍ବାଚନରେ ଇଭିଏମ୍‌ର ପ୍ରୟୋଗ ଜରୁରୀ କି?

ଆଫ୍ରିକାର ପ୍ରମୁଖ ଦେଶ ମଧ୍ୟରେ ନାମିବ୍ୟା ଏକ ଦେଶ। ୨୦୧୪ରେ ନିର୍ବାଚନ ସମୟରେ ପ୍ରଥମଥର ପାଇଁ ‘ଇଲୋକ୍‌ଟ୍ରୋନିକ ଭୋଟିଙ୍ଗ ମେସିନ -ଇଭିଏମ’ର ପ୍ରୟୋଗ ହୋଇଥିଲା। ଚାରିହଜାର ଭୋଟିଙ୍ଗ ମେସିନର ଯେଉଁ ଫଳାଫଳ ଆସିଲା, ସେଥିରେ ୨୪ବର୍ଷ ଯାଏ କ୍ଷମତାସୀନ ପାର୍ଟି ‘ସ୍ୱାପୋ’ ପୁଣି ଥରେ ବିଜୟ ଘୋଷିତ ହେଲା। ସାଉଥ ୱେଷ୍ଟ ଆଫ୍ରିକା ପିପୁଲ୍ସ ଅର୍ଗାନାଇଜେସନ (ସ୍ୱାପୋ)ର ନେତା ହାଗେ ଜୀ କୋଉ ୨୦୧୯ରେ ୫୬%ରେ ଜିତି ରାଷ୍ଟ୍ରପତି ହୋଇଥିଲେ। ତାଙ୍କ ବିରୋଧୀ ଏହି ଜିତିବା ପଛରେ ଇଭିଏମ୍‌ର ଯାଦୁ ଥିବା ମନେ କରନ୍ତି। ଭାରତ ନାମିବ୍ୟାକୁ ୨୦୧୨ରେ ୩୪୦୦ ଇଲେଟ୍ରୋନିକ ଭୋଟିଂ ମେସିନ ପଠାଇଥିଲା।
ମେକ ଇନ୍‍ ଇଣ୍ଡିଆ ଇଭିଏମ ଆଫ୍ରିକାର ବଷ୍ଟୱାଙ୍ଗାକୁ ପଠାଇଥିଲା। ୨୦୧୯ର ନିର୍ବାଚନରେ ଇଭିଏମ୍‌ର ପ୍ରୟୋଗରେ ଆଫ୍ରିକା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ସେଠାକାର ସରକାର ଭାରତୀୟ ନିର୍ବାଚନ କମିସନରଙ୍କୁ ଚିଠି ଲେଖି ତାଙ୍କ ଅଧିକାରୀଙ୍କୁ କୋର୍ଟଙ୍କୁ ଡ଼େମୋ ଦେଖାଇବାକୁ କହିଥିଲେ। ତେବେ ଭାରତୀୟ ନିର୍ବାଚନ କମିସନ ନୀରବ ରହିଥିଲା।
ଡ଼େମୋକ୍ରେଟିକ ରିପବ୍ଲିକ ଅଫ କାଙ୍ଗେ ସେଣ୍ଟ୍ରାଲ ଆଫ୍ରିକାର ବଡ଼ ଦେଶମାନଙ୍କରେ ନାଁ ରହିଛି। ଡ଼ିସେମ୍ବର ୨୦୧୮ରେ ରାଜଧାନୀ କିହ୍ନସାରୁ ଖବର ଆସିଲା ଯେ, ସେଠାରେ ନିର୍ବାଚନ କମିସନଙ୍କ ଗୋଦାମ ଘରେ ନିଅାଁ ଲଗାଇ ଦିଆଯାଇଛି, ଯେଉଁଥିରେ ସେଠାରେ ରଖାଯାଇଥିବା ଦୁଇ ତୃତୀୟାଂଶ ଇଭିଏମ୍‌ ମେସିନମାନ ନିଅାଁରେ ଜଳି ପାଉଁଶ ହୋଇଯାଇଛି। ସେଠାରେ ୨୧ ହଜାର ୧୦୦ ଭୋଟ କେନ୍ଦ୍ରମାନଙ୍କରେ ଇଭିଏମ୍‌ ଜରିଆରେ ନିର୍ବାଚନ କରାଇ ରାଷ୍ଟ୍ରପତି ଯୋଶେଫ କବିଲା ଜିଦିକରି ବସିଲେ ମତଦାନ ପତ୍ର ଦ୍ୱାରା ଭୋଟ କରାଇବେ ନାହିଁ। ମାର୍ଟିନ ଫାଏଲୁ ସେଠାରେ ବିରୋଧୀ ଦଳର ନେତା ଥିଲେ, ସେ ଧମକ ଦେଇ କହିଥିଲେ ଇଭିଏମ୍‌ ଦ୍ବାରା ଭୋଟକୁ ଆମେ ବର୍ଜନ କରିବୁ।
ଏହି ମାମଲା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରଷଦରେ ଉଠିଥିଲା, ନିକି ହେଲୀ ସେତେବେଳେ ୟୁଏନ୍‌ରେ ଆମେରିକାର ଦୂତ ଥିଲେ। ସେ ତର୍କ ଦ୍ୱାରା କହିଥିଲେ ଇଭିଏମ୍‌ ଡ଼ିଆର କାଙ୍ଗୋ ବ୍ୟବହାର କରିଛି। ତାହା ସହଜରେ ହ୍ୟାକ୍‍ କରାଯାଇ ପାରିବ। ଦ୍ୱିତୀୟତଃ କାଙ୍ଗୋ ଗଣରାଜ୍ୟର ଗ୍ରାମୀଣ ଭୋଟର ଇଭିଏମ୍‌ ଦ୍ୱାରା ଅଭ୍ୟସ୍ତ ନୁହନ୍ତି, ତେଣୁ ମତଦାନ ପତ୍ରଦ୍ୱାରା ନିିର୍ବାଚନ କରଇବାକୁ ଗୁରୁତ୍ୱ ଦେଇଥିଲେ। କିହ୍ନାସାରେ ନିକି ହେଲୀ ଏହି ନିଷ୍ପତ୍ତିର ଜବରଦସ୍ତ ସ୍ୱାଗତ କରାଗଲା। ସେଥିମଧ୍ୟରୁ ୨ଟି ମେସିନ ସଂସଦରେ ଟେଷ୍ଟ କରାଗଲା, ଦୁଇଟି ଯାକ ଖରାପ ଥିଲା।
ଇଣ୍ଟରନେସନ ଇନ୍‌ଷ୍ଟିଚ୍ୟୁଟ ପର ଡ଼େମୋକ୍ରେସୀ ଏଣ୍ଡ ଇଲେକ୍ଟୋରାଲ ଆସିଷ୍ଟେଣ୍ଟଙ୍କ ଅନୁସାରେ ଆଜିର ତିଥିରେ ଦୁନିଆର ୧୭୮ଗୋଟି ଦେଶମାନଙ୍କ ଉପରେ ପୂର୍ଣ୍ଣ ଅଥବା ଆଂଶିକ ରୂପରେ ଇଭିଏମ୍‌ର ପ୍ରୟୋଗ କରାଯାଇଛି। ଭାରତ ଆଉ ଭୁଟାନ ବ୍ୟତୀତ ୟ.ଏ.ଇ. ରିଷିୟନ ଫେନରେସନ କିଛି ଅଂଶରେ, ପେରୁ, ଏସ୍ତୋନିଆ, ଡ଼ୋମିନିକ ରିପବ୍ଲିକ, ବ୍ରାଜିଲ, ବେଲଜିୟମ, ଅଷ୍ଟ୍ରେଲିଆ, ଆର୍ମେନିଆ, ଆର୍ଜେଣ୍ଟିନା, ଅଲବାନିଆ, ଫିଲପିନ୍‍ସ, ପାନାମା, ଓମାନ, ନ୍ୟୁଜିଲ୍ୟାଣ୍ଡ, ନାମିବ୍ୟା, ମଙ୍ଗୋଲିଅା, କିରିଗିଜସ୍ଥାନ, ଇରାକ, କାଙ୍ଗେ, ଭେନଜୁଏଲାରେ ଇଭିଏମ୍‌ର ଉପସ୍ଥିତି ରହିଛି। ଏହା ବ୍ୟତୀତ ଇରାନ, କାନାଡ଼ା, ମେକ୍‌ସିକୋର କିଛି ପ୍ରାନ୍ତମାନଙ୍କରେ ଇଭିଏମ୍‌ ମଧ୍ୟମରେ ନିର୍ବାଚନ କରାଉଛନ୍ତି।
ଆମେରିକାରେ କିଛି ପ୍ରାନ୍ତରେ ମତପତ୍ର ଦ୍ୱାରା ଭୋଟ ହେଉଛି କିନ୍ତୁ ଯେଉଁଠି ଇଭିଏମ୍‌ର ପ୍ରୟୋଗ ହେଉଛି; ସେଠାରେ ଇଭିଏମ୍‌ ବଡ଼ିର ନିରୀକ୍ଷଣରେ ହେଉଛି। ଇଭିଏମ୍‌ରେ ରାଜନୈତିକ ଦଳ, ସୁରକ୍ଷା ଏଜେନ୍ସି, ମିଡ଼ିଆ, ସିଭିଲ ସେସାଇଟିର ଲୋକ, ଅନ୍ତଃରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକମାନଙ୍କ ଭାଗୀଦାରି ଭାବେ ରଖାଯାଉଛି। ଫିଜି, ଫ୍ରାନ୍ସ, ଆଉ ଦକ୍ଷିଣ କୋରିଆରେ ଆମେରିକା ଶୈଳୀରେ ନିର୍ବାଚନ ସଞ୍ଚାଳିତ ହେଉଛି। ଇରାକରେ ଇଭିଏମ୍‌ ମାଧ୍ୟମରେ ନିର୍ବାଚନର ବିରୋଧ ହେଉଛି କିନ୍ତୁ ସେଠିକାର ନିର୍ବାଚନ କମିସନ ଏହାକୁ ଅଣଦେଖା କରିଛନ୍ତି।
ଭାରତର ସବୁଠାରୁ ପ୍ରଥମେ ୧୯୮୨ରେ କେରଳର ପାରୁଲ ବିଧାନସଭା ଆସନରେ ୫୦ଗୋଟି ଭୋଟଗ୍ରହଣ କେନ୍ଦ୍ରରେ ଇଭିଏମ୍‌ର ପ୍ରୟୋଗ ହୋଇଥିଲା। ୧୯୯୮ରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଆଉ ଦିଲ୍ଲୀ ବିଧାନସଭାରେ ୧୬ଟି ଆସନରେ ଇଭିଏମ ମାଧ୍ୟମରେ ଭୋଟ ଗ୍ରହଣ କରାଯାଇଥିଲା। ୨୦୦୪ ସାଧାରଣ ନିର୍ବାଚନରେ ଇଭିଏମ୍‌ ଦ୍ୱାରା ସଂପୂର୍ଣ୍ଣ ନିର୍ବାଚନ କରାଯାଇଥିଲା। ସେତେବେଳେ ଇଭିଏମ୍‌ର ବିଶ୍ୱସନୀୟତା ଉପରେ ଅନେକ ରାଜନୈତିକ ଦଳ ପ୍ରଶ୍ନ ଉଠାଇଥିଲେ। ୧୭ରୁ ୩୧ ଜୁଲାଇ ୨୦୨୨ରେ ବଙ୍ଗଳାଦେଶ ନିର୍ବାଚନ କମିସନ ଇଭିଏମ୍‌ ବିଷୟକୁ ନେଇ ବୈଠକ କରିଥିଲେ। ମୁଖ୍ୟ ବିରୋଧୀଦଳ ବି.ଏନ.ପି., ଜାତୀୟ ପାର୍ଟି (ଇରସାଦ) ଗଣ ଫୋରମ, କମ୍ୟୁନିଷ୍ଟ ପାର୍ଟି ବଙ୍ଗଳାଦେଶ ସମେତ ୧୯ଗୋଟି ଦଳ ମତଦାନରେ ଇଭିଏମ୍‌ର ପ୍ରୟୋଗକୁ ବିରୋଧ କରିଥିଲେ। ଶେଖ ହସିନା ସରକାର ଦେଶବ୍ୟାପୀ ବିରୋଧ ଦେଖି ତାଙ୍କ ଫଇସଲାରେ ପରିବର୍ତ୍ତନ କଲେ।
ପାକିସ୍ଥାନର ଗୃହମନ୍ତ୍ରୀ ରାଣା ସନୁଲ୍ଲାହ ଲଣ୍ଡନରେ ୧୨ ମେ, ୨୦୨୨ରେ ବୟାନ ଦେଇ କହିଥିଲେ ୨୦୨୩ରେ ସାଧାରଣ ନିର୍ବାଚନରେ ଇଭିଏମ୍‌ର ପ୍ରୟୋଗ କରିବୁ ନାହିଁ। ପାକିସ୍ଥାନ ନିର୍ବାଚନରେ ଯଦି ଇଭିଏମ୍‌ ପ୍ରୟୋଗ ହୁଏ ତେବେ ୩୩୦ ମିଲିୟନ ଟଙ୍କା ୯ଲକ୍ଷ ଇଲେଟ୍ରୋନିକ୍ସ ଭୋଟିଙ୍ଗ ମେସିନ ପାଇଁ ଖର୍ଚ୍ଚ ହେବ, ଯେଉଁ ଦେଶରେ ଖାଇବା ପାଇଁ ଟଙ୍କା ନାହିଁ, ସେ ଏତେ ଟଙ୍କା ଆଣିବ କେଉଁଠୁ।
୨୦୧୦ରେ ଜିଭିଏଲ ନରସିଂହ ରାଓ “ଡ଼େମୋକ୍ରେସି ଏଟ ରିକ୍ସ: କେନ ୱି ଟ୍ରଷ୍ଟ ଆୱାର ଇଲେକ୍‌ଟ୍ରୋନିକ୍ସ ଭୋଟିଙ୍ଗ ମେସିନ” ନାମକ ପୁସ୍ତକ ଲେଖିଥିଲେ। ଏହି ପୁସ୍ତକର ପ୍ରସ୍ତାବନା ବିଶିଷ୍ଟ ରାଜନୀତିଜ୍ଞ ଲାଲକୃଷ୍ଣ ଆଡ଼ୱାଣୀ କରିଛନ୍ତି, ଆଉ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡ଼ୁ ଆଉ ସୁବ୍ରମନ୍ୟମ୍‌ ସ୍ୱାମୀଙ୍କ ବାର୍ତ୍ତା ଛପା ଯାଇଛି।
ଇଭିଏମ୍‌ ମେସିନରେ ଅନେକ ସମୟରେ ତ୍ରୁଟି ମଧ୍ୟ ଦେଖାଯାଉଛି, ସେଗୁଡ଼ିକ ତୁରନ୍ତ ସୁଧାରି ବା ଅନ୍ୟ ମେସିନ ଯୋଗାଇ ଦେବା ନିର୍ବାଚନ କମିସନଙ୍କ ଦାୟିତ୍ୱ ରହିଛି। ଓଡ଼ିଶାର ଦୁର୍ଗମ ଅଞ୍ଚଳ ମାଲକାନଗିରିଠାରେ ଅତୀତ ନିର୍ବାଚନରେ ଏପରି ଗଡ଼ବଡ଼ର ଅଭିଯୋଗ ହୋଇଥିଲା, ତେବେ ପରେ ଏହାର ସୁଧାର କରାଯାଇଥିଲା।
ଇଭିଏମ୍‌ ଏହା ଏଭଳି ଏକ ଆବିଷ୍କାର ଅଟେ, ଯେଉଁଥିରେ କି ତାଳି ବାଜିଲା ମାତ୍ରେ ନିର୍ବାଚନ ଚମତ୍କାର ଦେଖାଇ ପାରୁଛି। କିମ୍ବଦନ୍ତୀର କାହାଣୀ ପରି ସାତତାଳ ପଙ୍କରେ ବୁଢୀ ଅସୁରୁଣୀର ଫରୁଆ ଅଛି, ତା’ ଭିତରେ ଭଅଁର ଅଛି, ତା’ର ଗୋଟିଏ ଲୋମ ଛିଣ୍ଡାଇ ଦେଲେ ଅସୁରୁଣୀର ପ୍ରାଣ ଚାଲିଯିବ। ସେପରି ଇଭିଏମ୍‌ର ଫରୁଆ ଭିତରେ କ୍ଷମତାସୀନ ଦଳର ପ୍ରାଣ ରହିଛି।

ପଞ୍ଚାନନ ଅଗ୍ରୱାଲା
ଟଙ୍କପାଣି ରୋଡ଼, ଭୁବନେଶ୍ବର
ଦୂରଭାଷ:୯୭୭୭୭୪୪୦୭୧

Comments are closed.