ଖାଦ୍ୟ ବିଶେଷଜ୍ଞଙ୍କ ମତରେ କୌଣସି ଦ୍ରବ୍ୟର କମ୍ କିମ୍ବା ବେଶୀ ପରିମାଣ ବ୍ୟଞ୍ଜନରେ ଉପଯୋଗ କଲେ, ତାହାର କୁପ୍ରଭାବ ଆମ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ସଠିକ୍ ମାତ୍ରାରେ ଚିନି, ଲୁଣ ଇତ୍ୟାଦିର ବ୍ୟବହାର ଦୈନନ୍ଦିନ ରନ୍ଧା ତରକାରିରେ ହେବା ଉଚିତ। ଅଧିକାଂଶଙ୍କ ଧାରଣା ଯେ ଲୁଣ ଖାଇଲେ ରକ୍ତଚାପ ବଢ଼ିବା ସହ ଶରୀରରେ ଅନ୍ୟ ଅସୁବିଧା ଉପୁଜିଥାଏ। ଏଭଳି ଚିନ୍ତାଧାରା ସେମାନେ ମନରୁ ବାହାର କରିବା ଜରୁରୀ। ଦୈନିକ ଯଥା ପରିମାଣର ଲୁଣ ଆମ ଶରୀର ଆବଶ୍ୟକ କରୁଥିବାବେଳେ ଏହାର ପୋଷକତତ୍ତ୍ବ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଉଥିବାର ବିଶେଷଜ୍ଞଙ୍କ ମତ।
ଅଧିକ ଦିନ ଧରି ଲୁଣ ନ ଖାଇଲେ ମନୁଷ୍ୟ ଶରୀରରେ ‘ଇଣ୍ଟରଲ୍ୟୁକିନ୍-୧୭’ ଉତ୍ପାଦନ ବନ୍ଦ ହୋଇଯାଏ। ଏହା ଏକପ୍ରକାରର ଶ୍ବେତ ରକ୍ତକୋଷିକା ଯାହା ବିଷ କଣିକାକୁ ନଷ୍ଟ କରିବା ସହ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ଏହି ରକ୍ତକଣିକାର ଅଭାବ ହେଲେ ସଂକ୍ରାମକ ରୋଗ ଶରୀରକୁ ଶୀଘ୍ର ଆକ୍ରମଣ କରୁଥିବାର ଅନୁଧ୍ୟାନରୁ ଜଣାପଡ଼ିଛି।
ଆମ ଶରୀରରେ ସୋଡିୟମ୍ର ମାତ୍ରା କମ୍ ହେଲେ ମୁଣ୍ଡ ବୁଲାଇବା, ଥକ୍କା ଲାଗିବା, ସ୍ମୃତି ଶକ୍ତି ହ୍ରାସ ପାଇବା ଇତ୍ୟାଦି ସମସ୍ୟାମାନ ଦେଖାଦିଏ। ଆବଶ୍ୟକ ପରିମାଣରେ ଲୁଣ ବ୍ୟବହାର କରି ପ୍ରତ୍ୟେକ ବ୍ୟଞ୍ଜନ ଖାଇବା ଉଚିତ।
ବିଶେଷଜ୍ଞଙ୍କ ମତରେ ଯଦି ଆପଣ ମଧୁମେହ ରୋଗୀ, ଉଚ୍ଚରକ୍ତଚାପ ରୋଗୀ, ଏଭଳି ସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନେଇ ଲୁଣର କମ୍ ବ୍ୟବହାର କରିପାରିବେ। ନିଜ ମନକୁ କିମ୍ବା ପରିବାରଲୋକଙ୍କ ପରାମର୍ଶରେ ଲୁଣ କମ୍-ବେଶୀ ବ୍ୟବହାର କଲେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପାରେ।
ସୋଡିୟମ୍ର ମାତ୍ରା ଶରୀରରୁ କମିଲେ, ହୃଦ୍ଘାତ ହେବାର ଭୟ ବଢ଼ିଥାଏ। ଭାରତରେ ଏହି ବର୍ଗର ମୃତ୍ୟୁହାର ସଂଖ୍ୟା ସର୍ବାଧିକ।
ସଚେତନ ରହିବା ସହ ଲୁଣର ଆବଶ୍ୟକ ପରିମାଣରେ ଉପଯୋଗ କରନ୍ତୁ। ଅଧିକ ପରିମାଣରେ ବ୍ୟଞ୍ଜନରେ ବ୍ୟବହାର କରିବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।



