ସହିଦଙ୍କ ଶେଷକୃତ୍ୟ ସମ୍ପନ୍ନ

0

ଭୁବନେଶ୍ବର : ପୁଲୱାମା ଆତ୍ମଘାତୀ ଆକ୍ରମଣରେ ସହିଦ ଓଡ଼ିଆ ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରାଙ୍କ ଶେଷକୃତ୍ୟ ଶନିବାର ରାତିରେ ସେମାନଙ୍କ ଗ୍ରାମ ଶ୍ମଶାନରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହୋଇଛି।
ଏହି ଦୁଇ ସହିଦଙ୍କ ମରଶରୀର ଶନିବାର ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଅପରାହ୍ଣ ୩ଟାରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ପହଞ୍ଚିଥିଲା। ଶୋକାକୁଳ ପରିବେଶ ମଧ୍ୟରେ ସହିଦଙ୍କ ପରିବାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ଓ ବହୁ ବିଶିଷ୍ଟ ବ୍ୟକ୍ତି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୧୦ଲକ୍ଷ ପରିବର୍ତ୍ତେ ୨୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସହିଦଙ୍କ ପିଲାମାନଙ୍କ ପାଠପଢ଼ାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ସେମାନଙ୍କ ପଞ୍ଚାୟତକୁ ଆଦର୍ଶ ଗ୍ରାମ ପଞ୍ଚାୟତରେ ପରିଣତ କରାଯିବ। ଏଥିସହିତ ସେମାନେ ଯେଉଁ ବିଦ୍ୟାଳୟରେ ପାଠ ପଢ଼ିଥିଲେ ତାହା ସେମାନଙ୍କ ନାମରେ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସହିଦଙ୍କ ପାର୍ଥିବ ଶରୀର ପହଞ୍ଚିବା ମାତ୍ରେ ସହିଦ ଅମର ରହେ…, ସିଆରପିଏଫ୍‌ ଜିନ୍ଦାବାଦ, ଭାରତୀୟ ସେନା ଜିନ୍ଦାବାଦ ଭଳି ସ୍ଲୋଗାନରେ ପ୍ରକମ୍ପିତ ହୋଇଉଠିଥିଲା ସମ୍ପୂର୍ଣ୍ଣ ବିମାନବନ୍ଦର ଅଞ୍ଚଳ। ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ପ୍ରତି ସାଧାରଣ ଲୋକଙ୍କ କ୍ରୋଧ ମଧ୍ୟ ପ୍ରତିଫଳିତ ହେଉଥିଲା। ପାକିସ୍ତାନ ମୁର୍ଦାବାଦ କହି ନିଜର କ୍ରୋଧ ଜାହିର କରିଥିଲେ ଦେଶପ୍ରେମୀ। ମରଶରୀର ପହଞ୍ଚିବା ପରେ ପୁରୁଣା ବିମାନବନ୍ଦର କାର୍ଗୋ ଟର୍ମିନାଲ ବାହାରେ କିଛି ସମୟ ପାଇଁ ରଖାଯାଇଥିଲା। ସେଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା​‌େ​‌ର ଉପସ୍ଥିତ ଲୋକେ ନିରବ ପ୍ରାର୍ଥନା କରି ସହିଦଙ୍କ ଅମର ଅାତ୍ମାର ସଦ୍‌ଗତି ପ୍ରାର୍ଥନା କରିଥିଲେ। ପ୍ରଥମେ ମୁଖ୍ୟମନ୍ତ୍ରୀ ସହିଦଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ପରିବାର ଲୋକେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ, ଖୋର୍ଦ୍ଧା ଜିଲାପାଳ ନିର୍ମଳ ମିଶ୍ର, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା, ସିଆରପିଏଫ୍‌ର ପୂର୍ବତନ ଡିଜି ପ୍ରକାଶ ମିଶ୍ର, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଏବଂ ଅଭିନେତା ଅରିନ୍ଦମ ପ୍ରମୁଖ ସହିଦଙ୍କ ପ୍ରତି ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମହିଳା କଂଗ୍ରେସ କର୍ମୀ, ଏବିଭିପି ସମେତ ସବୁ ରାଜନୈତିକ ଦଳର ଛାତ୍ରନେତା ଓ କର୍ମୀ ବୀର ଯବାନଙ୍କ ସମ୍ମାନରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ସହିଦଙ୍କ ଶେଷଦର୍ଶନ ପାଇଁ ବିମାନବନ୍ଦର ନିକଟରେ ବିଶାଳ ଜନସମାବେଶ ଦେଖିବାକୁ ମିଳିଥିଲା। ବିମାନ ବନ୍ଦରରେ ପ୍ରାୟ ୪୦ ମିନିଟ୍‌ ରଖାଯିବା ପରେ ୩ଟା ୪୦ ମିନିଟ୍‌ରେ ସହିଦଙ୍କ ମରଶରୀରକୁ ସୁସଜ୍ଜିତ ସିଆରପିଏଫ୍‌ର ସ୍ବତନ୍ତ୍ର ଗାଡ଼ି ଯୋଗେ ସେମାନଙ୍କ ଜନ୍ମସ୍ଥାନକୁ ପଠାଯାଇଥିଲା। ସିଆରପିଏଫ୍‌ ଓଡ଼ିଶା ସେକ୍ଟର ଆଇଜି ଭିତୁଲ କୁମାର ଓ ଭୁବନେଶ୍ବର ସିଆରପିଏଫ୍ ଗ୍ରୁପ୍‌ ସେଣ୍ଟର ଡିଆଇଜି ଏସ୍‌. କେ. ଟିଗା ଓ ସିଆରପିଏଫ୍‌ର ବରିଷ୍ଠ ଅଧିକାରୀମାନେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ। ସେମାନଙ୍କ ମଧ୍ୟରୁ କିଛି ଅଧିକାରୀ ସହିଦଙ୍କ ପାର୍ଥିବ ଶରୀର ସହିତ ସେମାନଙ୍କ ଗ୍ରାମକୁ ଯାଇଥିଲେ। ସରକାରଙ୍କ ନିର୍ଦେଶକ୍ରମେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସହିଦ ପ୍ରସନ୍ନ କୁମାର ସାହୁଙ୍କ ପାର୍ଥିବ ଶରୀର ସହ ତାଙ୍କ ଗ୍ରାମ ଜଗତସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ପାରିଶିଖରକୁ ଯାଇଥିଲେ। ସେହିପରି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସହିଦ ଯବାନ ମନୋଜ ବେହେରାଙ୍କ ପାର୍ଥିବ ଶରୀର ସହ ତାଙ୍କ ଜନ୍ମସ୍ଥାନ କଟକ ଜିଲା ନିଆଳି ଥାନାର ରତନପୁର ଗ୍ରାମକୁ ଗସ୍ତ କରି ଶେଷକୃତ୍ୟରେ ସାମିଲ ହୋଇଥିଲେ।

prayash

ଅନ୍ୟପକ୍ଷରେ ଗତକାଲି ମୁଖ୍ୟମନ୍ତ୍ରୀ କରିଥିବା ଅନୁରୋଧ କ୍ରମେ ସହିଦଙ୍କ ସମ୍ମାନାର୍ଥେ ଶନିବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। କେତେକ ଶିକ୍ଷାନୁଷ୍ଠାନରେ ସହିଦଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭାର ଆୟୋଜନ କରାଯାଇଥିଲା। ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ସଙ୍ଗଠନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ସହିଦଙ୍କ ସମ୍ମାନାର୍ଥେ ନିରବ ପ୍ରାର୍ଥନା କରାଯାଇଥିଲା।

Leave A Reply