କଟକ: ବିଶ୍ୱ ତମାଖୁ ବର୍ଜନ ଦିବସରେ ଏସ୍. ସି. ବି. ମେଡିକାଲ କଲେଜର ନିଶ୍ଚତକ ବିଭାଗର ଅବସର ପ୍ରାପ୍ତ ପ୍ରଫେସର ଡ଼କ୍ଟର ଏ. ଏମ୍. ଦ୍ବିବେଦୀଙ୍କ ମାର୍ଗଦର୍ଶନରେ ରୋଟ୍ରାକ୍ଟ କ୍ଲବର ସଦସ୍ୟ ଭାବରେ ଶପଥ ନେଲେ ରେଭେନ୍ଶାଭିଆନ। ରୋଟାରୀ କ୍ଲବ କଟକ ‘ମିଲେନିୟମ’, ରେଭେନ୍ସା ଏନ୍. ଏସ୍. ଏସ୍. ବ୍ୟୁରୋ ତଥା ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ତମାଖୁ ବର୍ଜନ ଦିବସରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଫେସର ଦ୍ୱିବେଦୀ ରେଭେନ୍ଶାରେ ନିଶାମୁକ୍ତି ଅଭିଯାନ ଚଳାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇ କହିଲେ ଯେ ନିଶା ମଣିଷ ଜୀବନର ବିନାଶକାରୀ। ଟବାକୋ ବର୍ଜନ କଲେ ମାନବ ଜୀବନ ସ୍ୱସ୍ଥ ଓ ସମୃଦ୍ଧିଶୀଳ ହୋଇପାରିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଆରମ୍ଭ ହୋଇଥିବା ଏହି ଅଭିଯାନରେ ଅଧିକରୁ ଅଧିକ ଯୁବଶକ୍ତି ନିୟୋଜିତ ହୋଇ ସମାଜରେ ସଚେତନତା ଆଣିପାରିଲେ ବିଶ୍ୱର କଲ୍ୟାଣ ସାଧିତ ହେବ।
ଓଡିଶାରେ ଏକ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଭାବରେ ରେଭେନ୍ଶା ବିଶ୍ୱବିଦ୍ୟାଳୟ ଏହି ଅଭିଯାନର ନେତୃତ୍ୱ ନେବା ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରୋଟାରୀ କ୍ଲବ୍ କଟକ ମିଲେନିୟମର ସଭାପତି ରୋଟାରୀୟାନ ବିଶ୍ୱଜିତ ଦାସ ଏବଂ ସଂପାଦକ ରୋଟାରିୟାନ୍ ସରୋଜ କୁମାର ପାଇଟାଳ ଯୋଗ ଦେଇଥିଲେ। ରେଭେନ୍ଶା ବିଶ୍ୱବିଦ୍ୟାଳୟ ଏନ୍. ଏସ୍. ଏସ୍ . ବ୍ୟୁରୋର ସଂଯୋଜକ ଡ଼କ୍ଟର ଭାଗବତ ବେହେରା ଅତିଥି ପରିଚୟ ଦେଇଥିଲେ ଏବଂ ଶିକ୍ଷା ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଡ଼କ୍ଟର ବି. ସି. ଦାସ ଧନ୍ୟବାଦ ଅର୍ପଣ କରିଥିଲେ।



