କାବୁଲ : ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଐତିହାସିକ ତଥା ପୁରାତନ ସମ୍ପର୍କ ରହିଛି । ଆଫଗାନିସ୍ତାନର ଲୋକମାନଙ୍କୁ ଭାରତ ମାନବୀୟ ସହାୟତା ଯୋଗାଇ ଦେଉଛି । ଭାରତ ୨୦ହଜାର ମେଟ୍ରିକ୍ ଟନ୍ ଗହମ, ୧୩ଟନ୍ ଔଷଧପତ୍ର, ୫ଲକ୍ଷ ଡୋଜ୍ କୋବିଡ ଟିକା ଓ ଶୀତବସ୍ତ୍ର ସମେତ ସେଠାକୁ ଅନେକ ମାନବୀୟ ସହାୟତା ପଠାଇଛି । ସେଗୁଡ଼ିକୁ କାବୁଲସ୍ଥିତ ଇନ୍ଦିରାଗାନ୍ଧୀ ଶିଶୁ ହସ୍ପିଟାଲ ଓ ଜାତିସଂଘ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ପ୍ରଦାନ କରାଯାଇଛି । ଇରାନରେ ଥିବା ଆଫଗାନିସ୍ତାନର ଲୋକମାନଙ୍କ ପାଇଁ ଭାରତ ୧୦ଲକ୍ଷ ଡୋଜ୍ କୋଭାକ୍ସିନ୍ ପ୍ରତିଷେଧକ ପଠାଇଛି ।
ସେହିପରି ଇତିମଧ୍ୟରେ କାବୁଲ ଗସ୍ତରେ ଯାଇଥିବା ଏକ ଭାରତୀୟ ଦଳ ଆଫଗାନିସ୍ତାନରେ ମାନବୀୟ ସହାୟତା କାର୍ଯ୍ୟର ତଦାରଖ କରୁଛନ୍ତି । ଏହି ଦଳ ବିଭିନ୍ନ ଆନ୍ତର୍ଜାତିକ ସଂଗଠନର ପ୍ରତିନିଧିମାନଙ୍କୁ ସାକ୍ଷାତ୍ କରିବେ । ସେହି ସଂଗଠନ ଗୁଡ଼ିକ ଦ୍ୱାରା ଆଫଗାନିସ୍ତାନରେ ମାନବୀୟ ସହାୟତା ଯୋଗାଇ ଦିଆଯାଉଛି । ଏହାବ୍ୟତୀତ ସେହି ଦଳ ଭାରତୀୟ କାର୍ଯ୍ୟକ୍ରମ ଚାଲିଥିବା ବିଭିନ୍ନ ସ୍ଥାନ ଗସ୍ତ କରିବେ ।
ସେହି ଭାରତୀୟ ଟିମ୍ ତାଲିବାନର ଶୀର୍ଷ ନେତାମାନଙ୍କୁ ସାକ୍ଷାତ୍ କରିବେ । ସେମାନେ ଭାରତରୁ ମାନବୀୟ ସହାୟତା ବିଷୟରେ ସେମାନଙ୍କ ସହ ଆଲୋଚନା କରିବେ ।



