ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀ ନାଜଫଗଡ଼ସ୍ଥିିତ କର୍ପୋରେସନ୍ ବ୍ୟାଙ୍କରେ ଶୁକ୍ରବାର ଅପରାହ୍ଣରେ ଏକ ବଡ଼ ଧରଣର ଡକାୟତି ହୋଇଛି। ୬ ଜଣ ଲୁଟେରା ବ୍ୟାଙ୍କ ଭିତରେ କ୍ୟାସିଅରଙ୍କୁ ଗୁଳି ମାରି ୧୦.୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍ ଟଙ୍କା ନେଇ ଦୁଇଟି ବାଇକ୍ ଯୋଗେ ସେମାନେ ଗୁରୁଗ୍ରାମ ଆଡେ ପଳାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ସୂଚନା ଅନୁସାରେ ଦିନ ପ୍ରାୟ ୩ଟା ୧୫ ବେଳେ ଦୁଇଟି ବାଇକ୍ରେ ୬ ଜଣ ମୁଖା ପିନ୍ଧା ଲୋକ ଆସି ବ୍ୟାଙ୍କ ଫାଟକ ନିକଟରେ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ବନ୍ଧୁକ ବାହାର କରି ବ୍ୟାଙ୍କ ଭିତରକୁ ପଶିଥିଲେ। ବନ୍ଧୁକ ଦେଖି ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀମାନେ ଭୟଭୀତ ହୋଇଯାଇଥିଲେ। ସେଠାରେ କ୍ୟାସିଅର ଭାବେ କାର୍ଯ୍ୟରତ ସନ୍ତୋଷ ଶର୍ମାଙ୍କୁ ଟଙ୍କା ଦେବାକୁ କହିଥିଲେ ବି ସେ ଶୁଣିନଥିଲେ। ଫଳରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଥିଲେ। ଏହାପରେ ସେଠାରୁ ୩ ଲକ୍ଷ ଟଙ୍କା ନେଇ ସେମାନେ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କ ସିସିଟିଭି କ୍ୟାମେରାରେ ଉତ୍ତୋଳିତ ଚିତ୍ରକୁ ଆଧାର କରି ତଦନ୍ତ ଚାଲିଛି ଓ ଏଥିପାଇଁ ୨୦ଟି ଦଳ ଗଠନ କରାଯାଇଛି ବୋଲି ପୁଲିସ୍ ପକ୍ଷରୁ ପ୍ରକାଶ। ଲୁଟେରାମାନେ ମୁଖା ପିନ୍ଧିଥିବାରୁ ସେମାନଙ୍କ ଶାରୀରିକ ଗଠନ, ଜୋତା ଓ ଅନ୍ୟ ପୋଷାକ ସହ ବାଇକ୍କୁ ଆଧାର କରି ପୁଲିସ୍ ତଦନ୍ତ କରୁଛି।
Popular Categories



