ଯାଜପୁର : ପୁଣି ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥରେ ଶୁକ୍ରବାର ଦୁର୍ଘଟଣା ଘଟିଛି। ରାଜପଥର ବାଘୁଆ ଛକ ନିକଟରେ ବାଇକ ଆରୋହୀଙ୍କୁ ପ୍ରଥମେ ଏକ ଟ୍ରକ ଧକା ଦେଇଥିଲା। ଫଳରେ ସେ ଗୁରୁତର ଭାବେ ଜାତୀୟ ରାଜପଥ ଉପରେ ପଡି ରହିଥିଲେ। ଏହା ଦେଖି ତାଙ୍କ ପଛେ ପଛେ ବାଇକରେ ଯାଉଥିବା ସ୍ଥାନୀୟ କବାଟବନ୍ଧ ଗ୍ରାମର ଅଜୟ କୁମାର ବେହେରା ଗୁରୁତର ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ସେଠାରେ ଅଟକି ଥିଲେ। ଅଜୟ ସଙ୍ଗେ ସଙ୍ଗେ ନିଜ ମୋବାଇଲ ଫୋନ ବାହାର କରି ୧୦୮ଆମ୍ବୁଲାନ୍ସକୁ ଫୋନ କରୁଥିବା ସମୟରେ ହିଁ ଅନ୍ୟ ଏକ ଟ୍ରକ ତାଙ୍କୁ ଧକା ଦେଇ ଚାଲିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏପଟେ ଗୁରୁତର ହୋଇଥିବା ସୁକିନ୍ଦା ଅଞ୍ଚଳର ଚନ୍ଦ୍ରଶେଖର ଦ୍ବିବେଦୀଙ୍କୁ ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଜେନାପୁର ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ତେବେ ଏହି ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।




