ଲଣ୍ଡନ: ବିଶ୍ଵକପ୍ କ୍ରିକେଟରେ ରବିବାର ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଇଂଲଣ୍ଡରେ ପହଞ୍ଚିଛନ୍ତି ରିଷଭ ପନ୍ତ। ମଞ୍ଚେଷ୍ଟରରେ ସେ ପହଞ୍ଚିବା ପରେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଟିମ୍ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ ଶିଖର ଧାୱନ ଆଘାତଜନିତ ସମସ୍ୟା କାରଣରୁ କିଛିଦିନ ପାଇଁ ବିଶ୍ରାମ ନେଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ନ ହେଲେ ତାଙ୍କ ସ୍ଥାନରେ ପନ୍ତଙ୍କୁ ସାମିଲ କରାଯିବା ସମ୍ଭାବନା ରହିଛି। କେବଳ ଏଥିପାଇଁ ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ପନ୍ତଙ୍କୁ ମୁମ୍ବଇରୁ ଇଂଲଣ୍ଡ ଡକାଇଛି। ତେବେ ରବିବାର ଓଲ୍ଡ ଟ୍ରାଫର୍ଡଠାରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚରେ ସେ ଖେଳିବା ସମ୍ଭାବନା କମ୍ ରହିଛି।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧାୱନଙ୍କ ଶତକ ବଳରେ ଭାରତ ବିଶାଳ ସ୍କୋର ଛିଡ଼ା କରିପାରିଥିଲା। ଏହି ମ୍ୟାଚରେ ଭାରତ ବିଜୟୀ ହୋଇଥିଲା। ତେବେ ଧାୱନ ବ୍ୟାଟିଂ କରୁଥିବାବେଳେ ଏକ ବଲ୍ ତାଙ୍କ ବାମ ହାତ ବୁଢ଼ା ଆଙ୍ଗୁଠିରେ ବାଜିଥିଲା। ଆତ ସ୍କାନ କରାଯିବା ପରେ ଆଙ୍ଗୁଠିରେ ଫ୍ରାକ୍ଚର ହୋଇଥିବା ଜଣାପଡ଼ିଛି। ସୁସ୍ଥ ହେବା ଲାଗି ତାଙ୍କୁ ଅତି କମ୍ରେ ୧୦ ଦିନ ସମୟ ଲାଗିବ। ଏହି ସମୟ ପରେ ଧାୱନ ଯଦି ଫିଟ୍ନେସ ଟେଷ୍ଟରେ ସଫଳ ହୁଅନ୍ତି ତା’ହେଲେ ସେ ଅବଶିଷ୍ଟ ମ୍ୟାଚଗୁଡ଼ିକ ଖେଳିବେ। ନଚେତ ତାଙ୍କ ସ୍ଥାନରେ ପନ୍ତଙ୍କୁ ନିଆଯିବ। ରୋହିତ ଶର୍ମାଙ୍କ ସହିତ ପନ୍ତ ଇନିଂସ ଓପନ କରିବେ ବୋଲି ସୂଚନା ମିଳିଛି।



