ଡେସ୍କ: ସମ୍ପ୍ରତି କେତେକ ବ୍ୟାଙ୍କ ନୋଟରେ ନମ୍ବର (ସଂଖ୍ୟା) ସହ ଷ୍ଟାର (*) ସଙ୍କେତ ଥିବାରୁ ଏହାର ବୈଧତା ନେଇ ଗତ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ବୈଧତା ନେଇ ସ୍ପଷ୍ଟ କରିଛି। ରିଜର୍ଭ ବ୍ୟାଙ୍କ ସୂଚନା ଅନୁଯାୟୀ, ଷ୍ଟାର୍ (*) ଚିହ୍ନ ଏକ ନୋଟରେ ଥିବା ନମ୍ବର ପ୍ୟାନେଲ ବା ସଂଖ୍ୟା ଧାଡି ମଧ୍ୟରେ ଦିଆଯାଇଛି ଏବଂ କ୍ରମାନୁସାରେ ଏକ ପ୍ୟାକେଟରେ ଥିବା ୧୦୦ଟି ନୋଟରେ ଏଭଳି (*) ସଙ୍କେତ ରହିଛି। ଏକ ପ୍ୟାକେଟରେ ଥିବା ତ୍ରୁଟିପୂର୍ଣ୍ଣ ମୁଦ୍ରିତ ନୋଟଗୁଡ଼ିକର ବଦଳ ଭାବରେ ଏହି (*) ଚିହ୍ନ ଥିବା ନୋଟ ବଜାରକୁ ଛଡାଯାଇଛି।
ଏହି ଷ୍ଟାର୍ (*) ଚିହ୍ନ ଥିବା ନୋଟ ଅନ୍ୟ ନୋଟ୍ ଭଳି ବୈଧ ବୋଲି ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି। ଷ୍ଟାର୍ (*) ପ୍ରତୀକ ହେଉଛି ଏକ ପରିଚାୟକ ଯାହା ଏହା ଏକ ବଦଳା ଯାଇଥିବା କିମ୍ବା ପୁନଃ ମୁଦ୍ରିତ ନୋଟ୍ ଉପରେ ଦେଖିବାକୁ ମିଳିଥାଏ। ରିଜର୍ଭ ବ୍ୟାଙ୍କ ୱେବସାଇଟ https://rbi.org.in/scripts/FS_FAQs.aspx?Id=136&fn=2753 ରେ’ଷ୍ଟାର୍ ସିରିଜ୍’ ନୋଟଗୁଡ଼ିକ ବିଷୟରେ ସୂଚନା ଉପଲବ୍ଧ ଅଛି।



