ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ସାରୁଅ ଗ୍ରାମର ଓଡ଼ିଶାର କୋଣ ଅନୁକୋଣରେ ଖ୍ୟାତି ଅର୍ଜନ କରିଥିବା ପାଲା ଗାୟକ ସମ୍ରାଟ ପ୍ରହଲ୍ଲାଦ ସାହୁ(୮୮)ଙ୍କର ହୃଦଘାତରେ ରବିବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଛି। ସେ ପାରମ୍ପରିକ ଶୈଳୀ ଓ ସ୍ୱରଚିତ କାବ୍ୟାବଳିକୁ ସୁଲଳିତ କଣ୍ଠରେ ପାଲା ପରିବେଷଣ କରି ଜନ ମାନସରେ ପରିଚିତ ଥିଲେ।
ତାଙ୍କ ମରଶରୀରକୁ କୋଭିଡ ନିୟମାନୁସାରେ ଗ୍ରାମ୍ୟ ଶ୍ମଶାନରେ ବଡ଼ପୁଅ ଲକ୍ଷ୍ମୀଧର ସାହୁ ମୁଖାଗ୍ନି ଦେବା ପରେ ଅନ୍ତ୍ୟେଷ୍ଟିକ୍ରିୟା ସମାପନ ହୋଇଥିଲା କଂଗ୍ରେସ ନେତା ପ୍ରଦୀପ କୁମାର ସାହୁ, ଗାୟକ ଶ୍ୟାମସୁନ୍ଦର ତ୍ରିପାଠୀ, ଗଗନ ମହାପାତ୍ର, ପ୍ରଫୁଲ କୁମାର ଦାଶ ଓ ଖଗେଶ୍ୱର ମାର୍ଥା ଉପସ୍ଥିତ ରହି ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ତାଙ୍କ ମୃତ୍ୟୁରେ ପାଲା ଓ ସାହିତ୍ୟ ଜଗତର ଅପୁରଣୀୟ କ୍ଷତି ହେବା ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।



