ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ପାହାର ଶ୍ରିଗିଡା ଗ୍ରାମରେ ରହିଛି ୧୯୦୪ ମସିହାର ଶତାଧିକ ବର୍ଷର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଛାତ୍ରଛାତ୍ରୀ ସଂଖ୍ୟାରେ ବ୍ଲକର ସବୁଠାରୁ ଅଗ୍ରଣୀ ବିଦ୍ୟାଳୟ କହିଲେ ଅତ୍ୟୁକ୍ତି ହେବନାହିଁ। ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩୭୪ ଜଣ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଛନ୍ତି । ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢି ତୋଳୁଛି ଏହି ବିଦ୍ୟାଳୟ। ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା କମିଗଲେ ସରକାର ତାକୁ ବନ୍ଦ କରି ଦେଉଛନ୍ତି । କିନ୍ତୁ ଏଠାରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଥାଇ ମଧ୍ୟ ଏହାର ବିକାଶ କଥା ସରକାର ଚିନ୍ତା କରି ନଥିବା ପରିତାପର ବିଷୟ। ଏବେ ସରକାରୀ ବିଦ୍ୟାଳୟଗୁଡିକରେ ପିଲାମାନେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଭିତରେ ଆରାମରେ ପାଠ ପଢୁଥିବା ବେଳେ ସରକାରୀ ବିଦ୍ୟାଳୟରେ ପିଲାମାନେ ବସି ପାଠ ପଢିବା ପାଇଁ କେଉଁଠି ଜାଗାର ଅଭାବ ତ କେଉଁଠି ମୁଣ୍ଡ ଉପରେ ଛାତର ଅଭାବ। ଏତେ ପୁରୁଣା ବିଦ୍ୟାଳୟ, ହେଲେ ଆଜି ବି ଏହା ଉପରେ ପୁରୁଣା ଭଙ୍ଗା ଦଦରା ଆଜବେଷ୍ଟସ ଛାଉଣୀ । ବର୍ଷାଦିନେ ପାଣି ଗଳୁଛି ଆଉ ଖରା ଦିନେ ପ୍ରବଳ ଗରମ । ମାଗଣାରେ ମଧ୍ୟାହ୍ନ ଭୋଜନ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି, ହେଲେ ପିଲା କେଉଁଠି ବସି ଖାଇବେ ତାହା ଚିନ୍ତା କରି ନାହାନ୍ତି । ଖରା ହେଉ କି ବର୍ଷା, ପିଲାମାନେ ସବୁ ସହି ବାରଣ୍ଡାରେ ବସି ଖାଉଛନ୍ତି । ତାଙ୍କ ପାଇଁ ଡାଇନିଂ ହଲଟିଏ ମଧ୍ୟ ନାହିଁ ।
ସରକାରୀ ନିୟମ ଅନୁସାରେ ପ୍ରତି ୩୦ ଜଣ ପିଲାରେ ଜଣେ ଶିକ୍ଷକ। ଏହି ହିସାବରେ ଏଠାରେ ୧୨ ଜଣ ଶିକ୍ଷକ ପଦବୀ ରହିବା କଥା। କିନ୍ତୁ ଅଛନ୍ତି ମାତ୍ର ୯ ଜଣ। ସେମାନଙ୍କ ମଧ୍ୟରୁ ଜଣେ ସିଆରସିସି ଆଉ ଜଣେ ପ୍ରଧାନ ଶିକ୍ଷକ, ଯେଉଁମାନେ ବିଭିନ୍ନ ଅଫିସ କାମରେ ସବୁବେଳେ ନିୟୋଜିତ। ତେବେ ଆଉ ମାତ୍ର ୭ ଜଣ ଶିକ୍ଷକ ୮ ଟି ଶ୍ରେଣୀରେ ପାଠ ପଢ଼ାଉଛନ୍ତି । ଆବଶ୍ୟକ ମୁତାବକ ଶିକ୍ଷକ ମଧ୍ୟ ନାହାନ୍ତି। ଏହା ବ୍ୟତୀତ ପିଲାଙ୍କ ପାଇଁ ଖେଳ ପଡିଆଟିଏ ମଧ୍ୟ ନାହିଁ। ଛୋଟ ଛୋଟ ପିଲାମାନେ ୨୦୦ ମିଟର ଦୂରରେ ଥିବା ହାଇସ୍କୁଲ ଖେଳ ପଡିଆକୁ ଯାଇଥାନ୍ତି ଖେଳିବା ପାଇଁ । ଯଦି କେବେ କୌଣସି ଅଘଟଣ ଘଟିଯାଏ ସେଥିପାଇଁ ସରକାର ଦାୟୀ ରହିବେ କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ତେବେ ସରକାରୀ ଶିକ୍ଷା ବ୍ୟବସ୍ଥାରେ ଏମିତି ବିଦ୍ୟାଳୟଗୁଡ଼ିକୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ଏହାର ବିକାଶ ଦିଗରେ ପଦକ୍ଷେପ ନେଇ ପିଲାମାନଙ୍କୁ ପ୍ରୋତ୍ସାହିତ କରିବା, ଅଭିଭାବକମାନଙ୍କ ମଧ୍ୟରେ ସରକାରୀ ବିଦ୍ୟାଳୟ ପ୍ରତି ରହିଥିବା ବିମୁଖତାକୁ ଦୂର କରିବା ସରକାରଙ୍କ ଗୁରୁ ଦାୟିତ୍ଵ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମର ଶିକ୍ଷା ପ୍ରେମୀ ଓ ବୁଦ୍ଧିଜୀବୀ।



